ଗୌହାଟୀ: କେନ୍ଦ୍ର ସରକାର ଆଣିଥିବା ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ୨୦୧୯ ମସିହା ଡିସେମ୍ବର ମାସରୁ ଜେଲରେ ଥିବା ଆରଟିଆଇ କର୍ମୀ ଅଖିଲ ଗୋଗୋଇ ଇତିହାସ ସୃଷ୍ଟି କରିଛନ୍ତି। ସେ ଜେଲ୍ରେ ରହି ମଧ୍ୟ ଆସାମ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ। ଏବେ ସେ ବିନା ପ୍ରଚାରରେ ମଧ୍ୟ ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ଶିବସାଗର ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିଲେ।
ସୂଚନାଯୋଗ୍ୟ, ସିଏଏକୁ ବିରୋଧ କରି ଆସାମରେ ହିଂସକାଣ୍ଡ ଘଟିଥିଲା। ଏଥିରେ ଅଖିଲଙ୍କ ଭୂମିକା ଅଭିଯୋଗ କରି ପୁଲିସ୍ ତାଙ୍କୁ ଗିରଫ କରିଥିଲା। ତାଙ୍କ ନାଁରେ ଦେଶଦ୍ରୋହ ଓ ୟୁଏପିଏ ଲଗା ଯାଇଛି। ଏହି କାରଣରୁ ସେ ୨୦୧୯ ଡିସେମ୍ବର ମାସରୁ ଜେଲରେ ରହିଛନ୍ତି। ୟୁଏପିଏ ଲାଗିଥିବାରୁ ସୁପ୍ରିମକୋର୍ଟ ମଧ୍ୟ ତାଙ୍କୁ ଜାମିନ ଦେଇ ନଥିଲେ।
ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଅଖିଲ ଆସାମ ବିଧାନସଭା ନିର୍ବାଚନରେ ଶିବସାଗର ଅଞ୍ଚଳରୁ ପ୍ରାର୍ଥୀ ହୋଇଥିଲେ। ତାଙ୍କ ବିରୋଧରେ ଶାସକ ବିଜେପି ସୁରଭୀ ରାଜକୋନୱାରିଙ୍କୁ ପ୍ରାର୍ଥୀ କରିଥିଲା। ସୁରଭୀଙ୍କ ପାଇଁ ବିଜେପି ନେତା ମଙ୍ଗ ସମ୍ଭାଳିଥିବା ବେଳେ ଅଖିଲଙ୍କ ପାଇଁ ତାଙ୍କ ମା’ ପ୍ରିୟୋଡା ଗୋଗୋଇ ପ୍ରଚାର କରିଥିଲେ। ଶେଷରେ ଅଖିଲ ୯,୦୬୪ ଖଣ୍ଡ ଭୋଟରେ ବିଜେପିର ସୁରଭୀଙ୍କୁ ପରାସ୍ତ କରିଛନ୍ତି।
ଅଖିଲଙ୍କ ବିଜୟ ପରେ ବିଜେପି ନେତା ତଥା ଆସାମର ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଖିଲ ଗୋଗୋଇ ପ୍ରାର୍ଥିପତ୍ର ଦାଖଲ ବେଳେ ତାଙ୍କ ପାଖରେ କୌଣସି ନଗଦ ଟଙ୍କା ନାହିଁ ବୋଲି ଦର୍ଶାଇଥିଲେ। ତେବେ ତାଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ୬୦,୪୯୭ ଟଙ୍କା ରହିଥିବା ସତ୍ୟପାଠରେ କହିଥିଲେ।
The post ସିଏଏକୁ ବିରୋଧ କରି ବର୍ଷେ ହେଲା ଜେଲ୍ରେ ଅଛନ୍ତି, ତଥାପି ବିଧାନସଭା ନିର୍ବାଚନ ଜିତିଲେ appeared first on Odisha Reporter.
from Odisha Reporter https://ift.tt/2QSBSnn
No comments:
Post a Comment