ନୂଆଦିଲ୍ଲୀ: ଏମ୍.କେ ଷ୍ଟାଲିନ୍ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଷ୍ଟାଲିନ ହେଉଛି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କରୁଣାନିଧିଙ୍କ ପୁଅ। ରାଜନୀତିରେ ସେ ଜଣେ ଜଣାଶୁଣା ମୁହଁ। ୨୦୧୮ରୁ ସେ ଡିଏମକେର ସଭାପତି ଅଛନ୍ତି। ୪୦ ବର୍ଷ ଧରି ସେ ଡିଏମକେ ଯୁବ ଶାଖାର ସଂପାଦକ ରହିଥିଲେ। ୧୯୯୬ରୁ ୨୦୦୨ ପର୍ଯ୍ୟନ୍ତ ଷ୍ଟାଲିନ ଚେନ୍ନାଇର ମେୟର ହୋଇଥିଲେ। ସେ ୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ତାମିଲନାଡୁର ଉପ-ମୁଖ୍ୟମନ୍ତ୍ରୀ ରହିଥିଲେ। ସେ ହେଉଛନ୍ତି ତାମିଲନାଡୁର ପ୍ରଥମ ଉପ-ମୁଖ୍ୟମନ୍ତ୍ରୀ। ଏଥର ସେ ସପ୍ତମ ଥର ପାଇଁ ତାମିଲନାଡୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଓ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ସ୍କୁଲରେ ପଢ଼ିବା ବେଳୁ ନିଜକୁ ରାଜନୀତି ସହିତ ଜଡ଼ିତ କରିଥିବା ଷ୍ଟାଲିନ ଥରେ ନିଜ ନାଁକୁ ନେଇ ବେଶ୍ ଅଡୁଆରେ ପଡ଼ିଯାଇଥିଲେ। ଅବଶ୍ୟ ଘଟଣାଟି ଭାରତରେ ଘଟି ନଥିଲା। ଏହା ରୁଷିଆରେ ଘଟିଥିଲା। ଥରେ ଏକ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ଷ୍ଟାଲିନ ନିଜେ ଏହି ଘଟଣା ସଂପର୍କରେ କହିଥିଲେ।
ଘଟଣାଟି ୧୯୮୯ ମସିହାର। ଷ୍ଟାଲିନ୍ ସେହି ବର୍ଷ ରୁଷ ଯାଇଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ଉପସ୍ଥିତ ଅଧିକାରୀମାନେ ତାଙ୍କୁ ତାଙ୍କ ନାଁ ପଚାରିଥିଲେ। ସେ ନିଜ ନାଁ କହିବା ପରେ ବିମାନ ବନ୍ଦରରେ ତାଙ୍କ ଆଖପାଖରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଚାହିଁଥିଲେ। ଏମିତିକି ବିମାନବନ୍ଦର ଅଧିକାରୀମାନେ ତାଙ୍କ ପାସପୋର୍ଟ ଯାଞ୍ଚ କଲା ବେଳେ ବହୁତ ପ୍ରଶ୍ନ ପଚାରିଥିଲେ ଓ ତା’ପରେ ଛାଡ଼ିଥିଲେ। ଷ୍ଟାଲିନ୍ କହିଥିଲେ ଯେ ଯେହେତୁ ରୁଷରେ ବହୁତ ଲୋକେ ଜୋଶେଫ ଷ୍ଟାଲିନଙ୍କୁ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ତାଙ୍କ ନାଁ ଶୁଣିବା ପରେ ବିମାନବନ୍ଦରରେ ଉପସ୍ଥିତ ଲୋକେ ସେମିତି ପ୍ରତିକ୍ରିୟା ଦେଇଥିଲେ।
ସୂଚନାଯୋଗ୍ୟ, ଜୋଶେଷ ଷ୍ଟାଲିନ୍ ହେଉଛନ୍ତି ରୁଷର ଏକଛତ୍ରବାଦୀ ଶାସକ। ସେତେବେଳେ ସୋଭିଏତ ୟୁନିୟନ ଥିଲା। ଜୋଶେଷ ଷ୍ଟାଲିନ୍ ୧୯୨୭ରୁ ୧୯୫୩ ମସିହା ପର୍ଯ୍ୟନ୍ତ ସେଠାରେ ଶାସନ କରିଥିଲେ। ପ୍ରଥମେ ପ୍ରଥମେ ସେ ଠିକଠାକ ଶାସନ ଚଲାଇଥିଲେ। କିନ୍ତୁ ୧୯୩୦ ପରଠାରୁ ସେ ଏକଛତ୍ରବାଦୀ ଭାବେ ଉଭା ହୋଇଥିଲେ। ତାଙ୍କୁ ଯିଏ ବିରୋଧ କରୁଥିଲା, ମୃତ୍ୟୁ ଦଣ୍ଡ ପାଉଥିଲା।
ତେବେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଷ୍ଟାଲିନ୍ ରଖାଯିବା ପଛରେ ଜୋଶେଫ ଷ୍ଟାଲିନଙ୍କ ସହିତ କିଛି ସଂପର୍କ ରହିଛି। ହଁ ଅଛି। ଏମ୍.କେ ଷ୍ଟାଲିନ୍ ଜନ୍ମ ହୋଇଥିଲେ ୧୯୫୩ ମାର୍ଚ୍ଚ ୧ ତାରିଖରେ। ଆଉ ଏହାର ଚାରି ଦିନ ପରେ ଅର୍ଥାତ୍ ୧୯୫୩ ମାର୍ଚ୍ଚ ୫ରେ ତତତ୍କାଳୀନ ସୋଭିଏତ୍ ୟୁନିୟନର ଏକଛତ୍ରବାଦ ଶାସକ ଜୋଶେଫ ଷ୍ଟାଲିନଙ୍କ ମୃତ୍ୟୁ ଘଟିଥିଲା। ସେହିଦିନ ଷ୍ଟାଲିନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ କରୁଣାନିଧି ଯୋଗ ଦେଇଥିଲେ ଓ ହଠାତ୍ ସେଠାରେ ପୁଅର ନାଁ ଷ୍ଟାଲିନ୍ ରଖିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତା’ପୂର୍ବରୁ ସେ ପୁଅର ନାଁ ପେରିଅର ରଖିବାକୁ ଠିକ୍ କରିଥିଲେ। ଦ୍ରାବିଡ଼ ଆନ୍ଦୋଳନର ପୁରୋଧା ପେରିଅର ଇ.ଭି ରାମସ୍ୱାମୀଙ୍କ ନାଁ ଅନୁସରଣରେ କରୁଣାନିଧି ଏହି ନାମ ସ୍ଥିର କରିଥିଲେ।
The post ନାଁକୁ ନେଇ ଅଡୁଆରେ ପଡ଼ିଯାଇଥିଲେ ଷ୍ଟାଲିନ୍ appeared first on Odisha Reporter.
from Odisha Reporter https://ift.tt/3uEPm57
No comments:
Post a Comment