ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡର ଦୁଇଟି ଡୋଜ୍ ମଧ୍ୟରେ ଥିବା ସମୟ ସୀମାକୁ ବୃଦ୍ଧି ପ୍ରସ୍ତାବକୁ ଭାରତ ସରକାର ଗ୍ରହଣ କରି ସାରିବା ପରେ ଏନେଇ ସାନି ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ସବୁ ଜିଲ୍ଲାପାଳ, CDMOଙ୍କୁ ଗାଇଡଲାଇନ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି।
ପ୍ରଥମ ଡୋଜ୍ ନେବାର ଅନ୍ୟୁନ ୮୪ ଦିନ ହୋଇନଥିଲେ ୨ୟ ଡୋଜ୍ ନେବାକୁ ବାରଣ କରାଯାଇଛି। ୮୪ ଦିନ ପୂର୍ବରୁ ୨ୟ ଡୋଜ୍ ପାଇଁ ଅନଲାଇନ୍ ବୁକିଂ ହୋଇପାରିବନି। କିନ୍ତୁ ୨ୟ ଡୋଜ୍ ପାଇଁ ଅନଲାଇନ ବୁକିଂ ହୋଇସାରିଥିଲେ ତାହାକୁ ବାତିଲ କରିବନି କୋୱିନ୍। ଏଭଳି କ୍ଷେତ୍ରରେ ପୁଣି ଥରେ ନିଜ ତରଫରୁ ବୁକିଂ ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। କିନ୍ତୁ ଜଣେ ବ୍ୟକ୍ତି ପୂର୍ବ ବୁକିଂ ଅନୁଯାୟୀ ୮୪ ଦିନ ପୂର୍ବରୁ ଟିକା ନେବାକୁ ଚାହିଁଲେ ନେଇପାରିବେ।
ନୂଆ ନିୟମ ଅନୁସାରେ ଏବେ ୨ୟ ଡୋଜ୍ ନେବାକୁ ଆଉ ଭିଡ଼ ହେବନି। ଏଭଳି କ୍ଷେତ୍ରରେ ଏବେ ପ୍ରଥମ ଡୋଜ୍ ନେବାକୁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡର ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତି ଏଣିକି ୪ ମାସ ପରେ ଦ୍ୱିତୀୟ ଡୋଜ୍ ନେଇପାରିବେ। ଭାରତ ସରକାର କହିଛନ୍ତି, ବିଜ୍ଞାନ ପଦ୍ଧତିକୁ ଆଧାର କରି ଦୁଇଟି ଡୋଜ୍ ମଧ୍ୟରେ ଥିବା ସମୟସୀମାକୁ ବୃଦ୍ଧି କରାଯାଇଛି।
ଏଣିକି କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତି ୧୨ରୁ ୧୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେଇପାରିବେ। ଏହା ବର୍ତ୍ତମାନ ୬ରୁ ୮ ସପ୍ତାହ ମଧ୍ୟରେ ରହିଥିଲା। ତେବେ କୋଭାକ୍ସିନ ଟିକା ସମୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ପୂର୍ବଭଳି ୪ରୁ ୬ ସପ୍ତାହ ରହିଛି। ଏହାର ଅର୍ଥ କୋଭାକ୍ସିନ ଟିକାର ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତି ୪ରୁ ୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେବେ। କୋଭିଡ-୧୯ ୱାର୍କିଂ ଗ୍ରୁପ୍ କୋଭିସିଲ୍ଡ ଟିକାର ଡୋଜ୍ ମଧ୍ୟରେ ଥିବା ସମୟକୁ ବୃଦ୍ଧି କରିବାକୁ ଏକମତ ହୋଇଥିବା ଭାରତ ସରକାର କହିଛନ୍ତି। ତେବେ ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇ ନାହିଁ।
ସୂଚନାଯୋଗ୍ୟ, ସରକାରଙ୍କ ନ୍ୟାଶନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅଫ୍ ଇମ୍ୟୁନାଇଜେସନ ପ୍ରଥମେ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ଥିବା ସମୟକୁ ବଦଳାଇବାକୁ ପ୍ରସ୍ତାବ ଦେଇଥିଲା, ଯାହାକୁ କି ଭାରତ ସରକାର ଗ୍ରହଣ କରି ନେଇଥିଲେ।
The post କୋଭିସିଲ୍ଡ ପାଇଁ ସାନି ଗାଇଡଲାଇନ୍; ପ୍ରଥମ ଡୋଜ୍ ନେବାର ୮୪ ଦିନ ପୂର୍ବରୁ ୨ୟ ଡୋଜ୍ ମନା appeared first on Odisha Reporter.
from Odisha Reporter https://ift.tt/3hkIypk
No comments:
Post a Comment