ସାମ୍ବାଦିକତା- ସମାଜର ଦର୍ପଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 27, 2021

ସାମ୍ବାଦିକତା- ସମାଜର ଦର୍ପଣ

  • ଜୟଶ୍ରୀ ମହାପାତ୍ର

ସାମ୍ବାଦିକଙ୍କୁ ଆମେ ଚତୁର୍ଥ ସ୍ତମ୍ଭ ଭାବେ ନେଇଥାଉ ଏବଂ ତାଙ୍କ କଲମ ମୁନରେ ସମ୍ପୂର୍ଣ୍ଣ ସମାଜର ଦୃଶ୍ୟପଟ ଆଙ୍କି ହୋଇଯାଏ। ତାଙ୍କର ତ୍ୟାଗ ପ୍ରକୃତ ଅର୍ଥରେ ଆମେ ବୁଝିପାରୁନାହିଁ। ଅନ୍ୟ ପକ୍ଷରେ ଆମେ ସେମାନଙ୍କୁ ନେଇ ବିଭିନ୍ନ ସମୟରେ ସମାଲୋଚନା କରିଥାଉ। ଗଣତନ୍ତ୍ର ଓ ସାମ୍ବାଦିକତା ଓତଃପ୍ରୋତଃ ଭାବେ ଜଡ଼ିତ। ସମାଜର ପ୍ରତିଫଳନ ହିଁ ସାମ୍ବାଦିକତାର ଅନ୍ୟନାମ। ସମ୍ବାଦ ସାଧାରଣତଃ ସମାଜର ବାସ୍ତବ ଚିତ୍ର ଆଙ୍କିଥାଏ। ସମ୍ବାଦ ଓ ସାମ୍ବାଦିକତା ନିରାପକ୍ଷ ହେବା ଉଚିତ, ହୋଇଥାଏ ମଧ୍ୟ।  ସାମ୍ବାଦିକତାର ଗଳାକୁ ଅବରୋଧ କରିବା ଅର୍ଥ ଗଣତନ୍ତ୍ରକୁ ସମ୍ମାନ ନଦେବା। ପ୍ରତ୍ୟେକ ଦିନର ଘଟଣାବଳିକୁ ବାସ୍ତବ ରୂପ ଦେବା ସାମ୍ବାଦିକତାର ପ୍ରଥମ ଓ ସର୍ବଶ୍ରେଷ୍ଠ ଧର୍ମ।

ବେଳ ଥିଲା ସାମ୍ବାଦିକ ଅର୍ଥ ଗୋଟେ ଖଦଡ଼ ପିନ୍ଧା ମଣିଷ ଟିଏ, କାନ୍ଧରେ ଗୋଟେ ଝୁଲା ମୁଣି ଏବଂ ସ୍ୱରରେ ଦମ୍ଭ, ଗାମ୍ଭୀର୍ଯ୍ୟ, ଆଖିରେ ସତ୍ୟକୁ ସାମ୍ନା କରିବାର ନିର୍ଭିକତାକୁ ଅନୁଭବ କରିହେଉଥିଲା। ଯାହାଙ୍କୁ ଦେଖିଲେ ମୁଣ୍ଡ ନଇଁ ଯାଉଥିଲା, ପୋଲିସ, ପ୍ରଶାସକ, ନେତା କେହି ବି ଉଚ୍ଚ ସ୍ୱରରେ କଥା କହିବା ପୂର୍ବରୁ ଶହେ ଥର ଚିନ୍ତା କରୁଥିଲେ। ବାକ ସ୍ୱାଧୀନତା ସେମାନଙ୍କର ଆଜନ୍ମ ଅଧିକାର ଥିଲା। ସେଥିରେ କିଛି ବି ଭେଜାଲ ନଥିଲା। ସମୟ ବଦଳିଲା, ମଣିଷ ଚରିତ୍ର, ସ୍ଵଭାବରେ ଯଥେଷ୍ଟ ପରିବର୍ତ୍ତନ ଦେଖାଗଲା। ସାମ୍ବାଦିକତାକୁ ହତ୍ୟା କରାଗଲା। ସେମାନେ ବିଭିନ୍ନ ତାପ ଓ ଚାପରେ ପଡ଼ି କିଂକର୍ତ୍ତବ୍ୟ ବିମୂଢ଼ ପାଲଟି ଗଲେ।

ରାଜନୀତି ଓ ସାମ୍ବାଦିକତା ଗୋଟିଏ ନଈର ଦୁଇଟି ପାର୍ଶ୍ଵ, ଗୋଟେ ପଟେ ଘଟଣା ଘଟିଲେ ଆରପଟେ ତାର ଆବାଜ ଶୁଣାଯାଏ। ଗଣତନ୍ତ୍ର, ରାଜତନ୍ତ୍ର, ଲୋକତନ୍ତ୍ର, ପ୍ରଜାତନ୍ତ୍ର ସବୁକୁ ନେଇ ସମ୍ବାଦ ପ୍ରସାରଣ ହେଇଥାଏ। କିନ୍ତୁ ଏ ସବୁ ଭିତରେ ସମାନତା ରକ୍ଷା କରିବା ଚତୁର୍ଥ ସ୍ତମ୍ଭର ମୂଳ ମନ୍ତ୍ର। ସତ୍ୟ ପ୍ରକାଶ କରୁଥିବା ଲେଖାର ନାମ ସମ୍ବାଦ, ତାକୁ କଲମ ମୁନରେ ଯିଏ ଲେଖେ, ଯାହା ପାଇଁ ସତ୍ୟ ପ୍ରାଣ ପାଏ ତାହାର ନାମ ସାମ୍ବାଦିକ। ସେବାରୁ ସାମ୍ବାଦିକତା। ସେମାନେ ବ୍ୟକ୍ତିର ନୁହେଁ ସମାଜର ସେବା କରିଥାନ୍ତି। ସେଇଥିପାଇଁ ସେମାନେ ପ୍ରକୃତ ସମାଜସେବୀ।

ଆଜିର ଇତିହାସ ହେଉଛି ସମ୍ବାଦପତ୍ର। ଏଥିରେ ପ୍ରକାଶିତ ସମସ୍ତ ତଥ୍ୟ ବର୍ଷ ବର୍ଷ ଧରି ସାଇତା ହେଇକି ଥାଏ।। ଯାହାକୁ ଆମେ ଦେଖି ପଢ଼ି ଅତୀତର ବାସ୍ତବତା ସଂପର୍କରେ ଅବଗତ ହୋଇଥାଉଁ। ଭାରତର ଇତିହାସର ସାକ୍ଷୀ ଏଇ ସାମ୍ବାଦିକତା, ଏହା ବିହୁନେ ବିଲୁପ୍ତ ପ୍ରାୟ ହେଇଯାଇଥାନ୍ତା ଆମର ଇତିହାସ। ତାକୁ କେହି ଜଣେ ଲେଖି ରଖିଛି ଯାହା ଆମର ସଂସ୍କୃତି ପରମ୍ପରାର ପରିଚୟ। ସବୁ ପ୍ରମାଣ ସହିତ ଉପସ୍ଥାପନା କରିଛନ୍ତି ସେ କାଳର ଦ୍ରଷ୍ଟାମାନେ। ସେମାନେ ସାମ୍ବାଦିକ ନୁହେଁ ତ ଆଉ କ’ଣ?

ନିକଟରେ ଓଡ଼ିଶାରେ ଦଶ ବାର ଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି, ଯାହା ଅତ୍ୟନ୍ତ ଦୁଃଖଦାୟକ, ମର୍ମସ୍ପର୍ଶୀ ମଧ୍ୟ। ଯେତେବେଳେ ଆମେ ସମସ୍ତେ ଘରଭିତରେ ତାଲାବନ୍ଦୀ ଠିକ ସେତେବେଳେ ସେମାନେ ଖରା, ବର୍ଷା, ଶୀତ କୌଣସିଟାକୁ ଭୃକ୍ଷେପ ନକରିକି ପ୍ରତ୍ୟେକ ଗଳିକନ୍ଦି ହସ୍ପିଟାଲଠାରୁ ଆରମ୍ଭ କରି ମଶାଣି ପର୍ଯ୍ୟନ୍ତ ସେମାନେ ତାଙ୍କ କର୍ତ୍ତବ୍ୟ କରିଚାଲିଛନ୍ତି। ପ୍ରତ୍ୟେକ ଘଟଣାକୁ ତନ୍ନ ତନ୍ନ ପରୀକ୍ଷା ନିରୀକ୍ଷା କରି ଲୋକ ସମ୍ମୁଖକୁ ଆଣିଛନ୍ତି। ଲୋକଙ୍କ ସେବାରେ ଦିନରାତି ସେମାନେ ତାଙ୍କ ଜୀବନକୁ ଦାଉରେ ଲଗେଇ ଦେଇଛନ୍ତି। ତାଙ୍କ ଘର ପରିବାର ତାଙ୍କ ପିଲା ଛୁଆ ସମସ୍ତଙ୍କୁ ପଛରେ ପକେଇଦେଇ ନିଜ କର୍ତ୍ତବ୍ୟରେ ମଜ୍ଜି ରହିଛନ୍ତି।

ଜୀବନ କାହା ପାଇଁ କେମିତି! ସାମ୍ବାଦିକମାନେ ସମୟ ସମୟରେ ସେମାନଙ୍କର ଅନ୍ଦାଜ ଲଗେଇପାରନ୍ତି ନାହିଁ,କାରଣ ଚତୁର୍ଥ ସ୍ତମ୍ଭର ହାତ ସୁଦୂର ପ୍ରସାରିତ। ସେମାନେ ଚାହିଁଲେ ପ୍ରତ୍ୟେକ କ୍ଷେତ୍ରରେ ସତ୍ୟକୁ ଅତି ସହଜରେ ସାମ୍ନାକୁ ଆଣିପାରିବେ। ତେଣୁକରି ସାମ୍ବାଦିକତା କ୍ଷେତ୍ରରେ ଚାଟୁକାରିତା ଶୋଭା ପାଏନାହିଁ। ସେମାନେ ସମାଜର ଏକ ମୁଖ୍ୟ ଅଙ୍ଗ। ସେଇଥିପାଇଁ ପଣ୍ଡିତ ଦାସେ ଆପଣେଙ୍କ କଥାରେ….”ସ୍ୱାଧୀନତା ମଣିଷର ଜନ୍ମ ଅଧିକାର, ସ୍ୱାଧୀନ ଭାଷଣ ଆଉ ସ୍ୱାଧୀନ ବିହାର, ସ୍ୱାଧୀନ ଜୀବନ ପୁଣି ସ୍ୱାଧୀନ ସମିତି, ଚାରି ସ୍ତମ୍ଭେ ମାନବର ସମାଜ ସଂସ୍ଥିତି।”

ଅତୀତରେ ଦେଖାଯାଏ ଯେ ଅନେକ ସାମ୍ବାଦିକ ସତ୍ୟକୁ ସାମ୍ନା କରି ବହୁ କଠିନ ପରିସ୍ଥିତିର ସାମ୍ନା କରିଛନ୍ତି। ସେମାନେ ଭାରତୀୟ ଯବାନମାନଙ୍କଠୁ କୌଣସି ଗୁଣରେ କମ ନୁହନ୍ତି। କାରଣ ଉଭୟଙ୍କ ଚିନ୍ତାଧାରା ଗୋଟେ ପ୍ରକାର ସମାନ କହିଲେ ଅତ୍ୟୁକ୍ତି ହେବନାହିଁ। ଉଭୟ ଦେଶ ପାଇଁ ହିଁ କାର୍ଯ୍ୟ କରିଥାନ୍ତି। ସାମ୍ବାଦିକର ଶାଣିତ କଲମ ମୁନ ଓ ଯବାନମାନଙ୍କର ବନ୍ଧୁକର ଗୁଳି ସବୁ ସମାଜ ଓ ଦେଶର ଶତୃଙ୍କୁ ଦମନ କରିବା ଉଦ୍ଦେଶ୍ୟରେ ଚାଲିଥାଏ। ସାମ୍ବାଦିକତା ବିଭିନ୍ନ ଲୋକହିତକର କାର୍ଯ୍ୟ, ପ୍ରତିଷ୍ଠିତ ଲୋକଙ୍କର ବ୍ୟକ୍ତିତ୍ୱ, ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଥାଏ, ଦେଶର ପରିସ୍ଥିତି, ବିଶ୍ୱ ଭୂଗୋଳ ଏସବୁକୁ ଲୋକମାନଙ୍କ ସମ୍ମୁଖରେ ଥୋଇଥାଏ।

ବେଳେ ବେଳେ ଦେଖାଯାଏ ଯେ ରାଜନୈତିକ ଚାପରେ, କିଛି ପ୍ରଭାବଶାଳୀ ମଣିଷଙ୍କ ଚାପରେ ସାମ୍ବାଦିକମାନେ ବାଟବଣା ହେଇଯାନ୍ତି। ଯେଉଁଟାକି ଗଣତନ୍ତ୍ର ପାଇଁ ବିପଦର ସଂକେତ। ତେଣୁ ନିର୍ଭିକ ହେବା ସାମ୍ବାଦିକତାର ଚରିତ୍ରର ବୈଶିଷ୍ଟ। ତାଙ୍କୁ ସହଯୋଗ କରିବା ଗଣତନ୍ତ୍ର, ରାଜତନ୍ତ୍ରର ଧର୍ମ।

ଗଣତନ୍ତ୍ରକୁ ଯଦି ଆମେ ବ୍ୟାଖ୍ୟା କରିବା ତାହେଲେ ପଣ୍ଡିତ ଗୋପବନ୍ଧୁଙ୍କ କବିତା ଏ ଦିଗରେ ବାଟ ବତାଇବ। ସେ ଲେଖିଥିଲେ, “ପ୍ରଜାଲାଗି କରେ ପ୍ରଜାପତି ସୃଷ୍ଟି, ପ୍ରଜାଲାଗି ଇନ୍ଦ୍ର କରେ ଜଳ ବୃଷ୍ଟି, ପ୍ରଜାଲାଗି ରାଜ୍ୟ ପ୍ରଜାର ଶାସନ, ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ।” ଗଣତନ୍ତ୍ର ବା ପ୍ରଜାତନ୍ତ୍ର ଏହି ପରମ କର୍ତ୍ତବ୍ୟ ପାଳନ କରିବା ଉଚିତ। ଯଦି ଶାସନ ବ୍ୟବସ୍ଥା ଏହା ନକରେ ତେବେ ସାମ୍ବାଦିକର କଲମ ତାହା ବିରୋଧରେ ଶତମୁଖ ହେବା ଉଚିତ। ଆଉ ସେଥିପାଇଁ ଉଭୟ ସମ୍ବାଦ ଓ ସାମ୍ବାଦିକତାକୁ ସୁରକ୍ଷା ଓ ସମ୍ମାନ ସମସ୍ତଙ୍କର ଧର୍ମ ଓ କର୍ତ୍ତବ୍ୟ ହେବା ଉଚିତ।

ଆଜି ସେଇ ଶ୍ରେଷ୍ଠ ସେବା କରିଆସୁଥିବା ବ୍ୟକ୍ତିତ୍ୱମାନଙ୍କ ଭିତରୁ କେତେ ମୁହଁ ହଜି ଗଲାଣି। ଭାବିଲେ ଦୁଃଖ ଲାଗେ, ଆମକୁ ଦୁନିଆର ଖବର ଦେଉଥିବା ଲୋକମାନେ ଆଜି କେତେ ଅସହାୟ। କରୋନା ଭଳି ମହାମାରୀ ପରିସ୍ଥିତିରେ ସେ ସବୁ ଜାଗାକୁ ଯାଇ ଖବର ସଂଗ୍ରହ କରିବା ଯେ କେତେ କଷ୍ଟସାଧ୍ୟ। ପ୍ରତି ମୁହୂର୍ତ୍ତରେ ଜୀବନ ଆଶଙ୍କା ଭିତରେ ଗତି କରୁଥିବ। ରାତି ପାହି କେମିତି ସକାଳ ହେବ, ସେ ସବୁ ଭିତରେ ଦେଇ ସେମାନଙ୍କ ଜୀବନ ଏଇ କରୋନା ସମୟରେ ଗତି କରୁଥାଏ।

ମଣିଷ ଯେ ସ୍ୱାର୍ଥପର ସେଥିରେ ଆଦୌ ସନ୍ଦେହ ନାହିଁ। ବେଳେବେଳେ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମକୁ ଆମେ ହେୟ ଜ୍ଞାନ କରୁଥାଉ। ଏଇ କରୋନା ସମୟରେ ନିର୍ବାଚନ ପ୍ରଚାର କରି କେତେ କେତେ ଜୀବନକୁ ଆମେ ମରଣ ମୁହଁ କୁ ଟାଣିଆଣିଛୁ ତାହା ଆମେମାନେ କେବେ ଚିନ୍ତା କରିଛୁ କି? ସେତେବେଳେ ସାମ୍ବାଦିକମାନଙ୍କର ଆବଶ୍ୟକତା ତ ନିଶ୍ଚିତ ଭାବରେ ଅଛି କାରଣ ନିର୍ବାଚନର ରଣକ୍ଷେତ୍ର ରେ ଜୟ ପରାଜୟର ସମ୍ବାଦ ଲୋକମାନଙ୍କ ସମ୍ମୁଖକୁ ଆଣିବାର ଭାରା ସେଇମାନେ ବହନ କରିଥାନ୍ତି। ସେମାନଙ୍କ ଉପସ୍ଥିତି କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହା ସମସ୍ତେ ଜାଣନ୍ତି, ଅଥଚ ସେମାନଙ୍କ ଜୀବନ ଉପରେ ଆମେ ଗୁରୁତ୍ୱ ସେମିତି ଆରୋପ କରିନଥାଉ ଓ ଯଦି କରିଥାଉ ତାହେଲେ ଆମେ ଗୋଟେ ପ୍ରକାର ତାଙ୍କୁ କିଣି ନେଇଥାଉ। କାହିଁକି ଏଇଟା ନିଶ୍ଚୟ ସବୁ ସାମ୍ବାଦିକ ଭାଇମାନଙ୍କର ମନର କଥା, ଯଦିଓ ଏ ସମାଜ ତାଙ୍କ ମନର କଥା ଉପରେ ବି ରୋକ ଲଗେଇଥାଏ।

ଏଇ କରୋନା ଆମ ପାଖରୁ କେତେ କେତେ ସାମ୍ବାଦିକଙ୍କୁ ଛଡ଼େଇକି ନେଇ ଚାଲିଗଲା ତାକୁ ଭାବିଲେ କରୋନା ନୁହେଁ ସମାଜ ଉପରେ ଧିକ୍କାର ଆସେ। ଏଠି କହିବାର ତତ୍ପର୍ଯ୍ୟ ଏହିକି ଯେ କରୋନାରେ ଆକ୍ରାନ୍ତ ସମ୍ବାଦିକମାନଙ୍କୁ ସେତିକି ଗୁରୁତ୍ୱ ଦେବା ଦରକାର ଯାହା ନେତୃବୃନ୍ଦକୁ ଦିଆଯାଇଥାଏ। କାରଣ ସାମ୍ବାଦିକ ବଞ୍ଚିଲେ ସମାଜ ବଂଚିବ। ସେମାନେ ସମାଜର ପ୍ରତିଫଳନ।

ଆମମାନଙ୍କର ନୈତିକତା ବୋଧ ନିହାତି ଭାବରେ ରହିବା ଉଚିତ। ଆମ ପାଇଁ ଦିନ ରାତି ଏକାଠି କରି କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସେମାନଙ୍କ କାମ କରିବା ପାଇଁ ସହଯୋଗ କରିବା ଉଚିତ। ବରଂ ସେମାନେ ସତ୍ୟକୁ ପ୍ରକାଶ କଲେ ସେମାନଙ୍କୁ ଉତ୍ସାହିତ କରିବା ଆମର କର୍ତ୍ତବ୍ୟ। କାରଣ ପ୍ରତ୍ୟେକଙ୍କ କାର୍ଯ୍ୟରେ ଅଙ୍କୁଶ ଲଗେଇବା ଗଣତନ୍ତ୍ର ପାଇଁ ମଙ୍ଗଳମୟ ନୁହେଁ।

ନିର୍ଦ୍ଦେଶକ ମହିଳା ଆଇନଜୀବୀ ପ୍ରକୋଷ୍ଠ

ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷର ଅବୈତନିକ ସଦସ୍ୟ

ମୋ- ୯୩୩୮୦୦୧୪୬୬

The post ସାମ୍ବାଦିକତା- ସମାଜର ଦର୍ପଣ appeared first on Odisha Reporter.



from Odisha Reporter https://ift.tt/3vrhuca

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages