ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଟିଏମସି କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ଦଖଲ କରିଛି। ନିର୍ବାଚନ ହୋଇଥିବା ୨୯୨ଟି ଆସନରୁ ଟିଏମସି ଏକାକୀ ୨୧୩ଟି ସ୍ଥାନରେ ବାଜିମାତ କରି ସରକାର ଗଠନ କରିବାକୁ ବହୁମତ ହାସଲ କରିଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୪୭ ରହିଥିଲା।
ତେବେ ଟିଏମସି ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଥିଲେ ହେଁ ଦଳର ସୁପ୍ରିମୋ ମମତା ବାନାର୍ଜୀ ଚର୍ଚ୍ଚିତ ଆସନ ନନ୍ଦିଗ୍ରାମରୁ ହାରି ଯାଇଛନ୍ତି। ତାଙ୍କୁ ବିଜେପିର ଶୁଭେନ୍ଦୁ ଅଧିକାରୀ ହରାଇ ଦେଇଛନ୍ତି। ମମତା ହାରି ଯାଇଥିବାରୁ ସେ କ’ଣ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇପାରିବେ? ସେ ବିଧାନସଭାକୁ ନିର୍ବାଚିତ ହୋଇ ନଥିବାରୁ କେମିତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ତା’କୁ ନେଇ ଅନେକ ଦ୍ୱନ୍ଦ୍ୱରେ ରହିଛନ୍ତି।
ହେଲେ ଭାରତୀୟ ଆଇନରେ ଜଣେ ପ୍ରାର୍ଥୀ ପରାସ୍ତ ହୋଇ କିମ୍ବା ନିର୍ବାଚନ ନ ଲଢ଼ି ମଧ୍ୟ ନିର୍ଦ୍ଦିଷ୍ଟ ସମୟ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ। ତେଣୁ ମମତା ମଧ୍ୟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରିବେ।
ଭାରତୀୟ ସମ୍ବିଧାନର ଧାର ୧୬୪(୪) ଅନୁଯାୟୀ, ଜଣେ ରାଜନେତା ୬ ମାସ ଯାଏ ବିଧାନସଭା କିମ୍ବା ବିଧାନ ପରିଷଦକୁ ନିର୍ବାଚିତ ନ ହୋଇ ମଧ୍ୟ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ। ଏହି ୬ ମାସ ମଧ୍ୟରେ ସେ ପୁନଃ ନିର୍ବାଚିତ ହୋଇ ବିଧାନସଭାକୁ ଯାଇପାରିବେ। ନିର୍ବାଚିତ ହୋଇଯିବା କ୍ଷଣି ତାଙ୍କ ପଦ କାଏମ ରହିବ।
ଏହାର ଅର୍ଥ ମମତାଙ୍କ ପାଖରେ ବିଧାନସଭାକୁ ପୁଣି ନିର୍ବାଚିତ ହେବାକୁ ୬ ମାସର ସମୟ ରହିଛି। ଯଦି ସେ ୬ ମାସ ମଧ୍ୟରେ ବିଧାନସଭାକୁ ଉପନିର୍ବାଚନରେ ବିଜୟୀ ହୋଇ ଯାଇପାରିବେ ନାହିଁ, ତା’ହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିବ। ପୂର୍ବରୁ ମଧ୍ୟ ଦେଶରେ ଅନେକ ରାଜନେତା ନିର୍ବାଚନରେ ହାରି କିମ୍ବା ନିର୍ବାଚନ ନ ଲଢ଼ି ମୁଖ୍ୟମନ୍ତ୍ରୀ ହେବାର ନଜିର ରହିଛି।
ଉଦାହରଣ ସ୍ୱରୂପ ୨୦୧୧ରେ ମମତା ବାନାର୍ଜୀ ଲୋକସଭାର ସଦସ୍ୟ ଥିଲେ। ଏହି ସମୟରେ ତାଙ୍କ ଦଳ ଟିଏମସି ବେଙ୍ଗଲରେ ବିଧାନସଭା ନିର୍ବାଚନରେ ସରକାର ଗଠନ କରିବାକୁ ବହୁମତ ପାଇଥିଲା। ମମତା ସାଂସଦ ପଦରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ସେ ସେହିବର୍ଷ ସେପ୍ଟେମ୍ବର ମାସରେ ଭବାନୀପୁର ଉପ ନିର୍ବାଚନରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ।
୨୦୧୭ରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶପଥ ନେଇଥିଲେ। ତେବେ ସେ ଏହି ସମୟରେ ଲୋକସଭା ସଦସ୍ୟ ରହିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ବିଧାନ ପରିଷଦର ସଦସ୍ୟ ଭାବେ ଶପଥ ନେଇ ବିଧାନସଭାକୁ ଯାଇଥିଲେ। ସେହିବର୍ଷ ସେ କୌଣସି ପ୍ରକାରର ବିଧାନସଭା ନିର୍ବାଚନ ଲଢ଼ି ନଥିଲେ।
ବେଙ୍ଗଲରେ କୌଣସି ବିଧାନ ପରିଷଦ ନଥିବାରୁ ମମତାଙ୍କୁ ବିଧାନସଭାର ଉପ ନିର୍ବାଚନ ୬ ମାସ ମଧ୍ୟରେ ଜିତିବାକୁ ପଡ଼ିବ। ଏହି ଉପ ନିର୍ବାଚନରେ ମମତାଙ୍କୁ ନିଜର ମୁଖ୍ୟମନ୍ତ୍ରୀ ପଦ ବଜାୟୀ ରଖିବାକୁ ହେଲେ ଜିତିବାକୁ ପଡ଼ିବ। ନଚେତ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ।
୨୦୦୯ରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ତମାର ଉପ ନିର୍ବାଚନ ହାରି ଯାଇଥିଲେ। ଏହି କାରଣରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ହେଲେ ବେଙ୍ଗଲରେ ସେଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ବହୁତ କମ ରହିଛି।
The post ନନ୍ଦିଗ୍ରାମରୁ ହାରି ବି କ’ଣ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ ମମତା? appeared first on Odisha Reporter.
from Odisha Reporter https://ift.tt/3udqzod
No comments:
Post a Comment