ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସକାଳ ୯ଟାରୁ ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ୍ ଆରମ୍ଭ କରିଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ ହୋଇଛି। ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ। ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ସରିଯିବା ଆଶା କରାଯାଉଛି। ଏବେ ପବନ ବେଗ ୧୩୦ରୁ ୧୪୦ କିମି ରହିଛି। ଏନେଇ ସୂଚନା ଦେଇଛନ୍ତି ଏସ୍ଆର୍ସି ପ୍ରଦୀପ ଜେନା।
ସେ ଆହୁରି କହିଛନ୍ତି-“ବାତ୍ୟା ୟାସ୍ ବାଲେଶ୍ୱର ଜିଲ୍ଲା ପାର୍ ହେବାକୁ ୫ରୁ ୬ ଘଣ୍ଟା ସମୟ ଲାଗିବ। ବାଲେଶ୍ୱର ପରେ ବାତ୍ୟା ମୟୂରଭଂଜ ଯିବ। ସେଠି ୧୦୦ କିମି ବେଗରେ ପବନ ବହିବ। ଦିନ ୩ଟା ଯାଏ ବାତ୍ୟାର ପ୍ରଭାବ ଭଦ୍ରକ ଓ ବାଲେଶ୍ୱରରେ ରହିବ। ଅପରାହ୍ନ ପରଠାରୁ ମୟୂରଭଂଜରେ ବର୍ଷା ଓ ପବନ ବଢ଼ିବ। ମୟୂରଭଂଜରୁ ମଧ୍ୟରାତ୍ର ସୁଦ୍ଧା ବାତ୍ୟା ଝାଡ଼ଖଣ୍ଡ ଚାଲିଯିବ।”
ଏସ୍ଆରସି ଶ୍ରୀ ଜେନା ଆହୁରି କହିଛନ୍ତି-“ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ମୟୂରଭଂଜ କୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୨୮୮, ରାଜନଗରରେ ୨୭୫, ଏରସମାରେ ୨୭୧ ମିମି ବର୍ଷା ହୋଇଛି। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି।”
ସେପଟେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି-“ବାତ୍ୟା ଲ୍ୟାଣ୍ଡଫଲ ପରେ ବାଲେଶ୍ୱର ଓ ଭଦ୍ରକରେ ୧୩୦ରୁ ୧୫୦ କିମି ବେଗରେ ପବନ ହେଉଛି। ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଏମିତି ବେଗରେ ପବନ ବହିବ। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପବନ କମି କମି ଚାଲିଛି। କେନ୍ଦୁଝର ଜିଲ୍ଲାରେ ୬୦ରୁ ୯୦ କିମି ବେଗରେ ପବନ ବହୁଛି। କାଲି ସକାଳ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। କାଲି ସକାଳ ପରେ ପାଗରେ ସୁଧାର ଆସିବ, ବର୍ଷା ହେବନି। ଆଶ୍ରୟସ୍ଥଳୀରେ ରହିଥିବା ଲୋକେ ଏବେ ଘରକୁ ଫେରନ୍ତୁ ନାହିଁ।”
The post ଦିନ ୧ଟା ସୁଦ୍ଧା ବାତ୍ୟା ୟାସ୍ର ଲ୍ୟାଣ୍ଡଫଲ୍ ସରିଯିବ: ଏସ୍ଆର୍ସି appeared first on Odisha Reporter.
from Odisha Reporter https://ift.tt/3flmzxd
No comments:
Post a Comment