କୋଲକାତା: ବହୁଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀଙ୍କ ସମେତ ୪ ଟିଏମସି ନେତାଙ୍କୁ ଗୃହବନ୍ଦୀ କରି ରଖିବାକୁ ଆଜି କ୍ୟାଲକାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ନାରଦା ଲାଞ୍ଚ କାରବାର ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳରେ ଥିବା ଫିରହଦ ହକିମ ଓ ସୁବ୍ରତ ମୁଖାର୍ଜୀଙ୍କ ସହ ଦୁଇ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଏବଂ ସୋଭନ ଚାଟାର୍ଜୀଙ୍କୁ ଗିରଫ କରିଥିଲା। ସେମାନେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ।
କ୍ୟାଲକାଟା ହାଇକୋର୍ଟ ବେଞ୍ଚର ଜଷ୍ଟିସ ଅରଜିତ ବାନାର୍ଜୀ ସମସ୍ତଙ୍କୁ ଅନ୍ତରୀଣ ଜାମିନ ଦେବାକୁ ରାଜି ହୋଇଥିଲେ। କିନ୍ତୁ ଆକ୍ଟିଂ ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲ ଏହା ଉପରେ ରୋକ ଲଗାଇ ସମସ୍ତଙ୍କୁ ଗୃହବନ୍ଦୀ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ଗୋଟିଏ ବୃହତର ବେଞ୍ଚରେ କରାଯିବ। ସେ ଯାଏ ଗିରଫ ନେତାମାନେ ଗୃହବନ୍ଦୀ ହୋଇ ରହିବେ।
ସୋମବାର ସିବିଆଇ ସମସ୍ତଙ୍କୁ ଗିରଫ କରିବା ପରେ କୋଲକାତାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଶତାଧିକ ଟିଏମସି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି କାରଣରୁ ସିବିଆଇ ମାମଲାର ବିଚାର ପ୍ରକ୍ରିୟାକୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରିବାକୁ ଆବେଦନ କରିଛନ୍ତି।
ସୋମବାର ଗିରଫ ହେବାର କିଛି ଘଣ୍ଟା ପରେ ୪ ନେତାଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ଜାମିନ ଦେଇଥିଲେ। ହେଲେ ସେମାନେ ଜେଲରୁ ମୁକୁଳିବା ପୂର୍ବରୁ ହିଁ କ୍ୟାଲକାଟା ହାଇକୋର୍ଟ ଜାମିନ ଉପରେ ରୋକ ଲଗାଇ ଦେଇଥିଲେ। ଫଳରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତରେ ରହିବାକୁ ପଡ଼ିଥିଲା।
ଫିରହଦ ହକିମ, ସୁବ୍ରତ ମୁଖାର୍ଜୀ ଓ ମଦନ ମିତ୍ର ଟିଏମସିରେ ରହିଥିବା ବେଳେ ସୋଭନ ଚାଟାର୍ଜୀଙ୍କ ସମ୍ପର୍କ କୌଣସି ରାଜନୀତିକ ଦଳ ସହ ନାହିଁ। ସେ ପ୍ରଥମେ ଟିଏମସିରେ ମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହାପରେ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ। ତେବେ ତାଙ୍କୁ ଟିକେଟ ନ ମିଳିବାରୁ ସେ ବିଜେପି ମଧ୍ୟ ଛାଡ଼ି ଦେଇଛନ୍ତି।
The post ନାରଦା ଷ୍ଟିଙ୍ଗ: ଜେଲ ନୁହେଁ ଘରେ ବନ୍ଦୀ ହୋଇ ରହିବେ ଗିରଫ ଟିଏମସି ନେତା appeared first on Odisha Reporter.
from Odisha Reporter https://ift.tt/3ysAfxN
No comments:
Post a Comment