ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍ଡାଉନ୍, ଶଟଡାଉନ୍ ସତ୍ତ୍ୱେ ରାଜ୍ୟରେ ଖସୁନି କରୋନା ଗ୍ରାଫ। ଏବେ ବି ରାଜ୍ୟରେ ଦୈନିକ ୧୦ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଖି ବୁଜିଛନ୍ତି ୨୦ ପାଖାପାଖି ଆକ୍ରାନ୍ତ। ଏପରି ସ୍ଥିତିରେ କରୋନା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟର ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଆଦି ୪ ଜିଲ୍ଲାରେ ୫୫୦ କୋଭିଡ ବେଡ୍ ବ୍ୟବସ୍ଥା କରାଯିବ ।
କେବଳ ୫୫୦ଟି ଶଯ୍ୟା ନୁହେଁ, ତା’ ସହ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଅନୁରୋଧ କରିଥିବା ବେଳେ ଏହାକୁ ତତ୍କାଳ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଖଣି ମନ୍ତ୍ରୀ।
ଗତ ୭ ତାରିଖରେ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଏନେଇ ପତ୍ର ଲେଖିଥିଲେ ଧର୍ମେନ୍ଦ୍ର ପ୍ରଧାନ। ଏହାପରେ MCLକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ଖଣି ମନ୍ତ୍ରୀ। ଏନେଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏଯାଏଁ ରାଜ୍ୟରେ କୋଭିଡ-୧୯ ପରିଚାଳନା ପାଇଁ ୧୪୦ କୋଟି ଖର୍ଚ୍ଚ କଲାଣି MCL ।
ସୂଚନାଯୋଗ୍ୟ, ରାଜ୍ୟରେ କୋଭିଡ ପରିଚାଳନା ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଗାମୀ ୧୫ ଦିନ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜିଂ ସମୟ ରହିବ, ତେଣୁ ତୃଣମୂଳ ସ୍ତରରେ କୋଭିଡ୍ ମୁକାବିଲାରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସ୍ୱେଚ୍ଛାସେବୀ ତଥା ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, “କୋଭିଡ୍ ମୁକାବିଲା ତଥା ସଠିକ ପରିଚାଳନା ପାଇଁ ରାଜ୍ୟର ସବୁ ଗାଁ ଓ ଓ୍ୱାର୍ଡ ସ୍ତରରେ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ନେଇ ଏକ ‘କୋଭିଡ୍ କ୍ରାଇସିସ୍ ମ୍ୟାନେଜମେଣ୍ଟ କମିଟି ଗଠନ କରାଯାଉ। ଓଡ଼ିଶାରେ କିପରି ଭ୍ୟାକସିନ ଉପଲବ୍ଧି ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ମୋତେ ଅବଗତ କରାଇଛନ୍ତି। ରାଜ୍ୟକୁ କିପରି ଭ୍ୟାକସିନ, ରେମଡ଼େସିଭର ଡ୍ରଗ୍ସ ଓ ରାପିଡ୍ ଆଣ୍ଟିଜେନ ଟେଷ୍ଟ କିଟ୍ ଅଧିକରୁ ଅଧିକ ଯୋଗାଯାଇ ପାରିବ ସେ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ କଥା ହୋଇଥିବା ମୁଖ୍ୟମନ୍ତ୍ରୀ ମୋତେ ଜଣାଇଛନ୍ତି।”
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୬୪୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ ରେ ପହଞ୍ଚି ଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୫୧କୁ ବୃଦ୍ଧି ପାଇଛି।
The post ‘ରାଜ୍ୟର ୪ ଜିଲ୍ଲାରେ ହେବ ୫୫୦ କୋଭିଡ ବେଡ୍’ appeared first on Odisha Reporter.
from Odisha Reporter https://ift.tt/3w3xa5q
No comments:
Post a Comment