ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖଲିକୋଟ ସ୍ୱୟଂଶାସିତ କଲେଜକୁ ମିଳିଲା ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କରିଛନ୍ତି ଏହି ଘୋଷଣା।
ଖଲିକୋଟ କଲେଜ ରାଜ୍ୟର ଏକ ପୁରୁଣା କଲେଜ। ଏହାର ଏକ ସ୍ୱତନ୍ତ୍ର ପରିଚିତି ରହିଛି। ଏଠାରେ ପାଠପଢ଼ିଥିବା ଅନେକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।
ଖଲିକୋଟ କଲେଜକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ ଫଳରେ ଦକ୍ଷିଣ ଓଡ଼ିଶା ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ ହୋଇଛି। ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ଏହି ଅନୁଷ୍ଠାନ ଶିକ୍ଷାକ୍ଷେତ୍ରରେ ଏକ ନୂଆ ଯାତ୍ରା ଆରମ୍ଭ କରିବ। ବର୍ତ୍ତମାନର ସମୟକୁ ଦୃଷ୍ଟିରେ ରଖି ଏହା ଗବେଷଣା ଓ ନୂଆ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରି ଆଗକୁ ବଢ଼ିବ ବୋଲି ଅଶା କରାଯାଉଛି।
ବ୍ରହ୍ମପୁରରେ ୧୮୫୬ ମସିହାରୁ ଏକ ସ୍କୁଲ୍ରୁ ଆରମ୍ଭ ହୋଇଥିଲା ଏହି ଅନୁଷ୍ଠାନର ଯାତ୍ରା। ୧୮୭୮ ମସିହାରେ ଏହା ଇଣ୍ଟରମିଡିଏଟ୍ କଲେଜରେ ପରିଣତ ହୋଇଥିଲା। ଏହାର ପୂର୍ବ ନାଁ ନେଟିଭ୍ କଲେଜ ଥିଲା। ୧୮୯୩ରେ ଏହାର ନାଁ ଖଲ୍ଲିକୋଟ କଲେଜ ହୋଇଥିଲା। ଖଲ୍ଲିକୋଟ ରାଜା ଏହି କଲେଜ ପାଇଁ ୧୬.୫ ଏକର ଜମି ପ୍ରଦାନ କରିଥିଲେ। ୧୯୪୪ ମସିହାରୁ ଏଠାରେ ସ୍ନାତକ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହୋଇଥିଲା। ଉଭୟ କଳା ଓ ବିଜ୍ଞାନରେ ଏଠାରେ ସ୍ନାତକ ଶ୍ରେଣୀ ଆରମ୍ଭ କରାଯାଇଥିଲା। ୧୯୬୩ ମସିହାରୁ ଏଠାରେ ଗଣିତ ଓ ବାଣିଜ୍ୟରେ ସ୍ନାତକ ଶ୍ରେଣୀ ଆରମ୍ଭ ହୋଇଥିଲା। ପରେ ପରେ ଅନ୍ୟାନ୍ୟ ପାଠ୍ୟକ୍ରମ ଯୋଡ଼ା ଯାଇଥିଲା। ଏହା ପ୍ରଥମେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିଲା। ତେବେ ୨୦୧୫ରୁ ଏହା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଧୀନରେ ରହିଥିଲା।
The post ଖଲିକୋଟ ସ୍ୱୟଂଶାସିତ କଲେଜକୁ ମିଳିଲା ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା appeared first on Odisha Reporter.
from Odisha Reporter https://ift.tt/2QYAgbL
No comments:
Post a Comment