ଉଦ୍ଧମପୁର: ଜମ୍ମୁ-କଶ୍ମୀରର ଉଦ୍ଧମପୁରର ଗ୍ରାମାଞ୍ଚଳରେ ରହୁଥିବା ଜଣେ ୧୨୦ ବର୍ଷୀୟ ବୃଦ୍ଧା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। କାରଣ ସେ ଏହି ଉପାନ୍ତ ଗ୍ରାମାଞ୍ଚଳର ଲୋକଙ୍କୁ କରୋନା ବିରୋଧୀ ଟିକା ନେବାକୁ ଉତ୍ସାହିତ କରିଛନ୍ତି। ସେ ମଧ୍ୟ ୧୨୦ ବର୍ଷ ବୟସରେ କରୋନା ଟିକାର ଡୋଜ୍ ନେଇଛନ୍ତି।
ସେ ଡୋଜ୍ ନେବା ପରେ ଗାଁର ଅନ୍ୟମାନେ ମଧ୍ୟ ଟିକା ନେବାକୁ ଆଗେଇ ଆସିଛନ୍ତି। ଏହି କାରଣରୁ ନର୍ଦ୍ଦନ ଆର୍ମି କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ ୱାଇ କେ ଯୋଶୀ ବୃଦ୍ଧାଙ୍କ ଘରକୁ ଯାଇ, ତାଙ୍କୁ ସମ୍ମାନୀତ କରିଛନ୍ତି।
ଜଣେ ଆର୍ମି ଅଫିସର କହିଛନ୍ତି, କରୋନା ଟିକା ନେବାକୁ ଯେଉଁଠି ଲୋକମାନେ କୁଣ୍ଠାବୋଧ କରୁଥିଲେ ସେଇଠି ୧୨୦ ବର୍ଷୀୟ ଢୋଲି ଦେବୀ ସମସ୍ତଙ୍କୁ ନୂଆ ଦିଗଦର୍ଶନ ଦେଇଥିଲେ। ସେ ନିଜେ ମେ’ ୧୭ ତାରିଖରେ କରୋନା ଟିକାର ଡୋଜ୍ ନେବା ପରେ ସ୍ଥାନୀୟ ଲୋକଙ୍କ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଥିଲା। ଗାଁ ଲୋକମାନେ ମଧ୍ୟ ଟିକା ନେବାକୁ ଆଗ୍ରହ ଦେଖାଇଥିଲେ। ଏବେ ସମସ୍ତଙ୍କର ଟିକାକରଣ କାର୍ଯ୍ୟ ଚାଲିଛି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।
ଟିକା ନେବା ବେଳେ ସେ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ନଥିଲେ କିମ୍ବା ଟିକା ନେବା ପରେ ତାଙ୍କ ଶରୀରରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ନଥିବା ଢୋଲି ଦେବୀ କହିଛନ୍ତି। ତାଙ୍କ ନାତି ଚମନ ଲାଲ କହିଛନ୍ତି, “୧୨୦ ବର୍ଷ ବୟସରେ ମଧ୍ୟ ସେ ଭ୍ୟାକସିନ ନେଇଛନ୍ତି। ସେ କୌଣସି ସମସ୍ୟା ଭୋଗି ନାହାନ୍ତି କିମ୍ବା ତାଙ୍କୁ ଜ୍ୱର ମଧ୍ୟ ହୋଇନାହିଁ। ସେ ଟିକା ନେଇଥିବାରୁ ଅନ୍ୟମାନଙ୍କୁ ମଧ୍ୟ ଟିକାର ଡୋଜ୍ ନେବାକୁ ଆହ୍ୱାନ କରିଛନ୍ତି। ତାଙ୍କ କଥା ମାନି ଗାଁର ଲୋକମାନେ ଟିକା ମଧ୍ୟ ନେଉଛନ୍ତି।”
ଢୋଲି ଦେବୀଙ୍କ ଏପରି କାର୍ଯ୍ୟ ସମ୍ପର୍କରେ ଜାଣିବା ପରେ କାର୍ଗିଲ ହିରୋ ଲ୍ୟୁଟନାଣ୍ଟ ଜେନେରାଲ ଯୋଶୀ ତାଙ୍କୁ ଭେଟିବାକୁ ଚାହିଁଥିଲେ। ଏଥିପାଇଁ ସେ ଡୁଡୁ ତହସିଲ ଅନ୍ତର୍ଗତ ଗର କଟିୟାସ ଗାଁରେ ପହଞ୍ଚିଥିଲେ। ଏହି ଗାଁରେ ହିଁ ଢୋଲି ଦେବୀଙ୍କ ଘର। ସେଠାରେ ସେ ଢୋଲି ଦେବୀଙ୍କୁ ସର୍ବସମ୍ମୁଖରେ ସମ୍ମାନୀତ କରିଥିଲେ।
ଜେନେରାଲ ଯୋଶୀ ଗାଁର ଅନ୍ୟ ବରିଷ୍ଠ ନାଗରିକ ଓ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଲୋକଙ୍କ ସହ ମଧ୍ୟ କଥା ହୋଇଥିଲେ। ଟିକାର ଫାଇଦା ସମ୍ପର୍କରେ ମଧ୍ୟ ସେ ସମସ୍ତଙ୍କୁ ଅବଗତ କରାଇଥିଲେ। ଟିକା ନେଇଥିବା କିଛି ଲୋକଙ୍କ ସହ ମଧ୍ୟ ସେ ଆଲୋଚନା କରି ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ।
The post କରୋନା ଟିକା ନେଲେ ୧୨୦ ବର୍ଷୀୟ ବୃଦ୍ଧା, ଅନ୍ୟମାନଙ୍କ ପାଇଁ ସାଜିଲେ ପ୍ରେରଣା appeared first on Odisha Reporter.
from Odisha Reporter https://ift.tt/2SZNUfp
No comments:
Post a Comment