ଅନୁଗୋଳ (ବିରଜା ପ୍ରସାଦ ଦାଶ): ଦ୍ୱିତୀୟ ଲହରରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏବେ ଟେଷ୍ଟିଂ ଉପରେ ଯେତିକି ଗୁରୁତ୍ୱ ଦିଆଯାଉଛି ଭ୍ୟାକ୍ସିନେସନ ବା ଟିକାକରଣ ଉପରେ ବି ସେତିକି ଗୁରୁତ୍ୱ ଦିଆଯାଉଛି। କିନ୍ତୁ ରାଜ୍ୟର ଅନେକ ସ୍ଥାନରେ ଟିକାକରଣ କେନ୍ଦ୍ର ଗୁଡ଼ିକରେ ଯେମିତି ଭିଡ଼ ଦେଖିବାକୁ ମିଳୁଛି ଟେଷ୍ଟିଂ ପାଇଁ ମଧ୍ୟ ଅନେକ ସ୍ଥାନରେ ଲୋକଙ୍କ ଭିଡ଼ ଜମୁଛି। ତେବେ ଭିଡ଼ ଯୋଗୁ କରୋନା ସଂକ୍ରମିତ ହେବାର ଆଶଙ୍କା ରହୁଥିବାରୁ ଅନୁଗୋଳ ଜିଲ୍ଲା କୋଶଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ଲୋକେ ଟେଷ୍ଟିଂ ପାଇଁ ଆସିଥିବା ବେଳେ ଅଭିନବ ଉପାୟରେ ଧାଡ଼ି କରିଥିବା ଦେଖିବାକୁ ମିଳିଛି।
ଲୋକମାନେ ନିଜେ ଧାଡ଼ିରେ ଛିଡ଼ା ନହୋଇ ସାଙ୍ଗରେ ଆଣିଥିବା ନିଜ ନିଜ ଆଧାର କାର୍ଡ ଗୁଡ଼ିକୁ ଲାଇନରେ ପଛକୁ ପଛ ରଖିଥିଲେ। ଆଧାର କାର୍ଡ ଯେପରି ପବନରେ ଉଡ଼ି ନଯିବ ସେଥିପାଇଁ ତା’ଉପରେ ଛୋଟ ଛୋଟ ପଥର ରଖି ଦେଇଥିଲେ। କେହି କେହି ନିଜ ବ୍ୟାଗକୁ ଧାଡ଼ିରେ ରଖିଥିଲେ। ତେବେ ଖବର ଲେଖାଯିବା ସୁଦ୍ଧା ଆଜି ଏଠାରେ କାହାରି ଟେଷ୍ଟିଂ ହୋଇପାରିନାହିଁ। ସେଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।
ଲୋକେ କହିଛନ୍ତି, ଟେଷ୍ଟିଂ କିଟ୍ ସରି ଯାଉଥିବାରୁ ତଥା ଲୋକଙ୍କ ଭିଡ଼ ଜମୁ ଥିବାରୁ ବାରମ୍ବାର ଟେଷ୍ଟିଂ ପାଇଁ ଆସିବାକୁ ପଡୁଛି। ସେଥିପାଇଁ ବିରକ୍ତ ଲାଗୁଛି। ଆଉ ଭିଡ଼ରୁ ବର୍ତ୍ତିବା ପାଇଁ ଏମିତି ଆଧାର କାର୍ଡ ରଖି ଲାଇନ୍ ଲଗାଇବାକୁ ପଡ଼ୁଛି।
ନିକଟସ୍ଥ ଛେଣ୍ଡିପଦାରୁ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି, ଦୁଇ ଦିନ ହେଲା ଛେଣ୍ଡିପଦାରେ ଟେଷ୍ଟ କରିବାକୁ ଯାଇ ବିଫଳ ହେଲି। ଆଜି ଏଠାକୁ ଆସିଥିଲି। ରାତି ୪ଟାରୁ ଆସିଥିଲି। କିନ୍ତୁ ମନା କରୁଛନ୍ତି। କହୁଛନ୍ତି କିଟ୍ ନାହିଁ।
ଲୋକେ କରୋନା ଟେଷ୍ଟ କରାଇବାକୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏହାକୁ ସୁବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ସାଧାରଣରେ ଦାବି ହୋଇଛି।
The post ଟେଷ୍ଟିଂ ପାଇଁ ବି ଭିଡ଼, ଆଧାର କାର୍ଡ ରଖି ଲୋକେ ଲଗାଉଛନ୍ତି ଲାଇନ୍ appeared first on Odisha Reporter.
from Odisha Reporter https://ift.tt/3twUiHO
No comments:
Post a Comment