ପାଟନା: ଧୀରେ ଧୀରେ ଦୂର ହେଉଛି ଦେଶରେ ଅକ୍ସିଜେନର ଅଭାବ। କିଛି ସ୍ଥାନରେ ଅକ୍ସିଜେନ ପ୍ଲାଣ୍ଟ ତିଆରି ହେବା ପରେ ଏବଂ ବିଭିନ୍ନ ଦେଶରୁ ଅକ୍ସିଜେନ ଟ୍ୟାଙ୍କର ଏବଂ ଅକ୍ସିଜେନ ତିଆରି କରିବାକୁ ଆବଶ୍ୟକ ଉପକରଣ ଆସିବା ପରେ ଏହି ଅଭାବ ଦୂର ହେଉଛି। ନିକଟରେ ଦିଲ୍ଲୀ ସରକାର କେନ୍ଦ୍ର ସରକାରକୁ ଏ ନେଇ ଧନ୍ୟବାଦ ଦେଇଥିଲେ। ଦିଲ୍ଲୀକୁ ଆବଶ୍ୟକ ମୁତାବକ ଅକ୍ସିଜେନ ଟ୍ୟାଙ୍କର କେନ୍ଦ୍ର ଯୋଗାଉଛି ବୋଲି ଦିଲ୍ଲୀ ସରକାର କହିଥିଲେ।
ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଶୁକ୍ରବାର କହିଛନ୍ତି ଯେ ଦେଶରେ ଅକ୍ସିଜେନ ପୂର୍ବ ଅପେକ୍ଷା ଏବେ ୮ ରୁ ୧୦ ଗୁଣ ବୃଦ୍ଧି କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ଉତ୍ପାଦନ କାରଖାନା ସ୍ଥାପନ କରାଯାଉଛି।
ବିହାର ଗସ୍ତରେ ଥିବା ବେଳେ ସେ କହିଛନ୍ତି ଯେ ବିହାରର ମୁଜାଫରପୁର ଏବଂ କାଟିହାର ସଦର ହସ୍ପିଟାଲରେ ମଧ୍ୟ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯାଇଛି। ଏହା ସହିତ ପିଏମ୍ କେୟାର ଫଣ୍ଡରୁ ବହୁ ପରିମାଣରେ ପିଏସଏ ଅକ୍ସିଜେନ କାରଖାନା ମଧ୍ୟ ପ୍ରତିଷ୍ଠା କରାଯାଉଛି।
ବିହାରର ବକ୍ସାରର ଏହି ସାଂସଦ କହିଛନ୍ତି ଶୁକ୍ରବାର ଅକ୍ସିଜେନ ଏବଂ ଔଷଧ ବାବଦରେ କ୍ୟାବିନେଟ୍ ବୈଠକରେ ଆଲୋଚନା ହୋଇଛି। ଏଥିରେ ବିହାର ସମେତ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ ସହ ଜଡିତ ସମସ୍ତ ବିଷୟ ଉପରେ ଆଲୋଚନା କରାଯାଇଥିଲା।
ଚୌବେ କହିଛନ୍ତି, “ବିହାର ପାଇଁ ୧୬,୧୩୬ ଅକ୍ସିଜେନ ସିଲିଣ୍ଡର ଆବଣ୍ଟିତ ହୋଇଛି, ସେଥିମଧ୍ୟରୁ ଡି ଟାଇପ୍ ସିଲିଣ୍ଡର ୨୮୨୭ ଏବଂ ବି ଟାଇପ୍ ୧୩,୩୦୯ ରହିଛି। ଏହା ସହିତ ରେମେଡିସଭିର ଇଞ୍ଜେକ୍ସନର କୋଟାକୁ ୧୬ ମେ ପର୍ଯ୍ୟନ୍ତ ୧ ଲକ୍ଷ ୫୦ ହଜାର ଡୋଜକୁ ବୃଦ୍ଧି କରାଯାଇଛି।”
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ରାଜ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ପ୍ରଧାନମନ୍ତ୍ରୀ ନିୟମିତ ଭାବେ ରାଜ୍ୟଗୁଡିକର ପରିସ୍ଥିତିର ସମୀକ୍ଷା କରୁଛନ୍ତି। କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ଉନ୍ନତି କରୁଛି। ସେ କହିଛନ୍ତି ଯେ ଦେଶର ଆରୋଗ୍ୟ ହାର ୮୨ ପ୍ରତିଶତ ଥିବାବେଳେ ବିହାରରେ ଏହା ୭୯ ପ୍ରତିଶତ ରହିଛି।
ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ବେଳେ ଅଧିକାଂଶ ଆକ୍ରାନ୍ତ ଏବେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗୁଛନ୍ତି। ଆଉ ଅକ୍ସିଜେନର ଅଭାବ ଥିବାରୁ ଅନେକ ଆକ୍ରାନ୍ତ ମୃତ୍ୟୁର ଶିକାର ହେଉଛନ୍ତି। ଏବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଭାରତକୁ ବିଭିନ୍ନ ଦେଶ ସହଯୋଗ କରୁଥିବା ବେଳେ କେନ୍ଦ୍ର ସରକାର ଦେଶର ବିଭିନ୍ନ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ତିଆରି କରୁଛନ୍ତି।
The post ଦେଶରେ ଦୂର ହେଉଛି ଅକ୍ସିଜେନ ଅଭାବ: କେନ୍ଦ୍ରମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3vRWuLy
No comments:
Post a Comment