ଜେନେଭା: ମହାମାରୀ କରୋନାର ଦ୍ୱିତୀୟ ୱେଭ ଯୋଗୁ ଭାରତରେ ସୃଷ୍ଟି ହୋଇଥିବା ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଭାରତର ଏକାଧିକ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଥିବା ବେଳେ ଲୋକମାନେ କ୍ରମାଗତ ଭାବେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ଓ ପ୍ରାଣ ମଧ୍ୟ ହରାଉଛନ୍ତି। ଏହା ନିଶ୍ଚିତ ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରୁଛି ବୋଲି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଅଧାନୋମ ଘେବ୍ରିୟସ କହିଛନ୍ତି। ଏଥିସହ ସେ କରୋନାର ଦ୍ୱିତୀୟ ବର୍ଷ ପ୍ରଥମ ବର୍ଷ ତୁଳନାରେ ସାରା ବିଶ୍ୱ ପାଇଁ ଅଧିକ ଘାତକ ହେବ ବୋଲି ମଧ୍ୟ ସତର୍କ କରାଇଛନ୍ତି।
ଅଧାନୋମ ଘେବ୍ରିୟସ କହିଛନ୍ତି, ଭାରତର ସ୍ଥିତି ଅତ୍ୟନ୍ତ ଚିନ୍ତା ଜନକ ରହିଛି। ଏହି ସମୟରେ ଭାରତକୁ ସହଯୋଗ କରିବାକୁ ଆଗେଇ ଆସିଥିବା ସମସ୍ତ ସହଯୋଗୀଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଧନ୍ୟବାଦ ଜଣାଉଛି। ଏଥିସହ ଭାରତର କରୋନା ସ୍ଥିତି ଉପରେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନଜର ରଖିଛି ଓ ଏହାର ମୁକାବିଲା ପାଇଁ ନୂଆଦିଲ୍ଲୀକୁ ହଜାର ହଜାର କନସେଣ୍ଟରେଟର୍ସ, ମୋବାଇଲ ଫିଲ୍ଡ ହସ୍ପିଟାଲ ପାଇଁ ଟେଣ୍ଟ, ମାସ୍କ ଓ ଅନ୍ୟ ମେଡିକାଲ ଉପକରଣ ପଠାଇଛି।
କରୋନା ଯୋଗୁ କେବଳ ଭାରତରେ ଜରୁରୀ ଭଳି ସ୍ଥିତି ସୃଷ୍ଟି ହୋଇନାହିଁ। ଭାରତ ବ୍ୟତୀତ ନେପାଳ, ଶ୍ରୀଲଙ୍କା, ଭିଏତନାମ, କମ୍ବୋଡିଆ, ଥାଇଲ୍ୟାଣ୍ଡ, ଇଜିପ୍ଟରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି ଓ ଲୋକମାନେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଆମେରିକାର ଆଖପାଖ ଅଞ୍ଚଳରେ ମଧ୍ୟ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢ଼ିଛି।
ଆଫ୍ରିକା ଦେଶଗୁଡ଼ିକରେ ମଧ୍ୟ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ଏହି ଦେଶଗୁଡ଼ିକ ଅତ୍ୟଧିକ ସତର୍କ ହୋଇ ରହିଛନ୍ତି ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସେମାନଙ୍କୁ ସବୁ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛି। ସେହିପରି ଟିକାକରଣ ହିଁ ମହାମାରୀକୁ ରୋକିବାର ଏକମାତ୍ର ଉପାୟ ବୋଲି ସେ କହିଛନ୍ତି।
The post ଭାରତର କରୋନାର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଲେ ହୁ’ର ମୁଖ୍ୟ appeared first on Odisha Reporter.
from Odisha Reporter https://ift.tt/2Qj4Ah0
No comments:
Post a Comment