ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଓ ଅନୁଗୋଳ ଜିଲ୍ଲାରେ ଦୁଇଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ (କେଭି) ପ୍ରତିଷ୍ଠା ହେବ। ମହାନଦୀ କୋଲ ଫିଲ୍ଡ(ଏମସିଏଲ୍) ବୋର୍ଡ ଏହି ଦୁଇ ବିଦ୍ୟାଳୟ ପ୍ରତିଷ୍ଠାକୁ ଅନୁମୋଦନ ଦେଇଛି। ଏଥିପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ ସାଂସଦ ସୁରେଶ ପୂଜାରୀ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପତ୍ର ଆଧାରରେ ଗତ ବର୍ଷ ସେପ୍ଟେମ୍ବର ୨୦ ତାରିଖରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏକ ପତ୍ର ଲେଖିଥିଲେ। ଏଥିରେ ସେ ଏମସିଏଲ୍ ଦ୍ୱାରା ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୋଳ ଜିଲ୍ଲାରେ ୩ଟି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ଅନୁରୋଧ କରିଥିଲେ। ଏହାଦ୍ୱାରା ଉକ୍ତ ଜିଲ୍ଲାର ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ।
ଏହି ପତ୍ରର ଜବାବରେ ଶ୍ରୀ ଯୋଶୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପତ୍ର ଲେଖି କହିଛନ୍ତି ଯେ ସୁନ୍ଦରଗଡ଼ ଜିଲ୍ଲାର ବସୁନ୍ଧରାରେ ଗୋଟିଏ ଓ ଅନୁଗୋଳ ଜିଲ୍ଲାର ଜଗନ୍ନାଥ ଏବଂ ସୁଭଦ୍ରା ଅଂଚଳରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଏମଏସିଏଲ ବୋର୍ଡ ଅନୁମୋଦନ ଦେଇଛି।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପକ୍ଷରୁ କୁହାଯାଇଛି ଯେ ପ୍ରାଥମିକ ଶିକ୍ଷା ସ୍ତରରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସଂପନ୍ନ ଜାତୀୟ ଶିକ୍ଷା ନୀତି ୨୦୨୦ରେ ମୁଖ୍ୟ ଏଜେଣ୍ଡା ରହିଛି। ଏହି ଖଣିଖାଦାନ ଅଂଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଗୁଣାତ୍ମକ ଶିକ୍ଷା ପାଇପାରିବେ ଏବଂ ସ୍ଥାନୀୟ ଲୋକଙ୍କର ଆକାଂକ୍ଷା ମଧ୍ୟ ପୂରଣ ହୋଇପାରିବ।
The post ସୁନ୍ଦରଗଡ଼ ଓ ଅନୁଗୋଳ ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ appeared first on Odisha Reporter.
from Odisha Reporter https://ift.tt/2R7SV59
No comments:
Post a Comment