ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ସିବିଆଇ ମୁଖ୍ୟ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଜାରି ରହିଛି। ଏସବୁ ଭିତରେ ସିବିଆଇ ମୁଖ୍ୟ ଚୟନ କରିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବୈଠକ ବସିବ। ଏହି କମିଟିରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନା ରହିଛନ୍ତି।
୩ ଜଣ ଯାକ ବିଭିନ୍ନ ବ୍ୟକ୍ତିଙ୍କ ନାଁକୁ ତର୍ଜମା କରିବା ପରେ ଜଣଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିବେ। ସୂଚନା ଅନୁସାରେ, ୧୯୮୪ରୁ ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ମଧ୍ୟରୁ ଜଣେ ସିବିଆଇ ମୁଖ୍ୟ ହେବେ। ଏମାନଙ୍କ ମଧ୍ୟରେ ୧୯୮୪ ଆପିଏସ୍ ବ୍ୟାଚ୍ର ୱାଇସି ମୋଦି ରହିଛନ୍ତି। ସେ ଆସାମ-ମେଘାଳୟ କ୍ୟାଡର ହୋଇଥିବା ବେଳେ ଏନଆଇଏର ଡିଜି ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ଓଡ଼ିଶାରେ ଜନ୍ମିତ କେରଳ କ୍ୟାଡର ଲୋକନାଥ ବେହେରାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ଆଇପିଏସ୍ ବେହେରା ଏବେ କେରଳ ପୁଲିସ୍ ଡିଜି ଭାବେ କାର୍ଯ୍ୟ କରୁଛନ୍ତି।
ଏତଦବ୍ୟତୀତ ବିଏସ୍ଏଫ ଡିଜି ତଥା ଗୁଜରାଟ କ୍ୟାଡର ରାକେଶ ଆସ୍ଥାନା ଓ ଆଇଟିବିର ଡିଜି ତଥା ହରିଆଣା କ୍ୟାଡର ଏସଏସ ଦେସୱାଲଙ୍କ ସିବିଆଇ ମୁଖ୍ୟ ପଦ ପାଇବା ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି। ୧୯୮୫ ବ୍ୟାଚ୍ର ଉତ୍ତର ପ୍ରଦେଶ ଡିଜିପି ଏଚ୍ସି ଅବସ୍ତୀ, ଆରପିଏଫ ଡିଜି ଅରୁଣ କୁମାର ଓ ସିଆଇଏସ୍ଏଫ ଡିଜି ଏସକେ ଜୈସୱାଲଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।
କମିଟି ପକ୍ଷରୁ ୧୯୮୪ରୁ ୧୯୮୭ ବ୍ୟାଚ୍ର ପ୍ରାୟ ୧୦୦ ଜଣ ଅଫିସରଙ୍କ ନାଁକୁ ବିଚାର କରାଯିବ। ସିବିଆଇ ମୁଖ୍ୟ ହେବାକୁ ଥିବା ଅଫିସର ଅତିକମରେ ୨ ବର୍ଷ ଏହି ପଦରେ ରହିପାରିବେ। କମିଟି ସଦସ୍ୟ ଅଭିଜ୍ଞା ଓ କାର୍ଯ୍ୟ ଦକ୍ଷତା ଭିତ୍ତିରେ ସିବିଆଇ ମୁଖ୍ୟ ପଦ ପାଇଁ ଅଫିସର ଚୟନ କରିବେ।
ଚଳିତ ବର୍ଷ ଫେବୃଆରୀରେ ଆରଏକେ ଶୁକ୍ଳା ସିବିଆଇ ମୁଖ୍ୟ ପଦରୁ ଅବସର ନେଇଥିଲେ। ସେ ୨ ବର୍ଷ ପାଇଁ ଏହି ପଦରେ ରହିଥିଲେ। ସ୍ଥାୟୀ ସିବିଆଇ ମୁଖ୍ୟ ନିଯୁକ୍ତ ହେବା ଯାଏ ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ସମସ୍ତ ଦାୟିତ୍ୱ ତୁଲାଉଛନ୍ତି।
The post କିଏ ହେବେ ସିବିଆଇର ମୁଖ୍ୟ? ଦୌଡ଼ରେ ଆଇପିଏସ ଲୋକନାଥ ବେହେରା appeared first on Odisha Reporter.
from Odisha Reporter https://ift.tt/3yAP5SQ
No comments:
Post a Comment