ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ୍ ଦେବା ପାଇଁ ଡିଆରଡିଓ ପ୍ରସ୍ତୁତ କରିଥିବା ଔଷଧ ଆସନ୍ତା ସପ୍ତାହରେ ଲଞ୍ଚ ହେବ। କିଛି ଦିନ ତଳେ ଡିଆରଡିଓର 2-deoxy-D-glucose (2-DG) କରୋନା ଔଷଧକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ(ଡିସିଜିଆଇ) ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ।
ପ୍ରଥମ ବ୍ୟାଚ୍ରେ ୧୦ ହଜାର ଡୋଜ୍ ୨-ଡିଜି କରୋନା ଔଷଧ ଆର ସପ୍ତାହରେ ବଜାରରେ ଲଞ୍ଚ ହେବ ବୋଲି ଡିଆରଡିଓ ପକ୍ଷରୁ ଘୋଷଣା କରାଯାଇଛି। ଡିଆରଡିଓ ପକ୍ଷରୁ କୁହାଯାଇଛି ଯେ “ପ୍ରଥମ ବ୍ୟାଚ୍ରେ ୧୦ ହଜାର ଡୋଜ୍ ୨-ଡିଜି ମେଡିସିନ୍ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଆର ସପ୍ତାହ ଆରମ୍ଭରୁ ମାର୍କେଟକୁ ଆସିବ। ଏହାପରେ ଏହାକୁ ରୋଗୀମାନଙ୍କୁ ଦିଆଯିବ। ଏହି ଔଷଧର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ସବୁ ପ୍ରକାରର ଉଦ୍ୟମ କରାଯାଉଛି। ଆମର ଆଶା ଖୁବଶୀଘ୍ର ଏହାର ସଂଖ୍ୟା ବୃଦ୍ଧି ପାଇବ। ଡା ଅନନ୍ତ ନାରାୟଣ ଭଟ୍ଟଙ୍କ ସମେତ ଡିଆରଡିଓର ଗୋଟିଏ ଟିମ୍ ୨-ଡିଜି କରୋନା ଔଷଧକୁ ତିଆରି କରିଛନ୍ତି।”
ସୂଚନାଯୋଗ୍ୟ, କରୋନାକୁ ମାତ ଦେବାର କ୍ଷମତା ରଖିଥିବା ୨ଡିଜି ଔଷଧକୁ ଡିଆରଡିଓ ଲ୍ୟାବ ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିୟର ମେଡିସିନ ଓ ଆଲଇଡ ସାଇନ୍ସ ହାଇଦ୍ରାବାଦ ସ୍ଥିତ ଡା ରେଡ୍ଡୀ ଲ୍ୟାବ ସହାୟତାରେ ପ୍ରସ୍ତୁତ କରିଛନ୍ତି। ଏହାର ଉତ୍ପାଦନ ରେଡ୍ଡୀ ଲ୍ୟାବରେ ହିଁ କରାଯିବ।
ଏହି ୨-ଡିଜି ଔଷଧ ପାଉଡର ରୂପରେ ଆସିଥାଏ। ଏହାକୁ ପାଣିରେ ଗୋଳାଇ ରୋଗୀଙ୍କୁ ଦିଆଯାଇ ଥାଏ। ଶରୀରକୁ ଏହା ଯିବା ପରେ ସଂକ୍ରମିତ ସେଲ୍ ଉପରେ ଜମାଟ ବାନ୍ଧି ଦେଇଥାଏ। ଫଳରେ ଭାଇରସ ଶରୀରର ଅନ୍ୟ ସେଲଗୁଡ଼ିକ ପ୍ରବେଶ କରିପାରି ନଥାଏ। ସଂକ୍ରମିତ ସେଲଗୁଡ଼ିକୁ ଚିହ୍ନଟ କରିବାର କ୍ଷମତା ଏହି ଔଷଧର ରହିଛି।
କ୍ଲିନିକାଲ୍ ଟ୍ରାଏଲ ବେଳେ ଜଣାପଡ଼ି ଯେ 2-DGର ବ୍ୟବହାର ଦ୍ୱାରା ଜଣେ କରୋନା ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି। ସେହିପରି ଜଣେ ରୋଗୀଙ୍କୁ ଅକ୍ସିଜେନ ଉପରେ ନିର୍ଭର କରିବାକୁ ପଡ଼ୁନି। ତେଣୁ ଏହା କରୋନା ଲଢ଼େଇରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କୁହାଯାଇଛି। ୨୦୨୦ ଏପ୍ରିଲ ମାସରୁ ବୈଜ୍ଞାନିକମାନେ ଏହି ଔଷଧ ଉପରେ ପରୀକ୍ଷା ନୀରିକ୍ଷା କରୁଥିଲେ। ପରୀକ୍ଷା ବେଳେ ଜଣାପଡ଼ିଥିଲା ଯେ ୨-ଡିଜି କରୋନାକୁ ରୋକିବାରେ ସହାୟତା କରୁଛି। ଏହି ତଥ୍ୟ ମିଳିବା ପରେ ୨୦୨୦ ମେ’ ମାସରେ ଡିସିଜିଆଇ ଏହାର ଫେଜ୍-୨ ଟ୍ରାଏଲ ପାଇଁ ଅନୁମତି ଦେଇଥିଲା।
ଔଷଧର ଫେଜ-୨ ଟ୍ରାଏଲ ଦେଶର ବିଭିନ୍ନ ହସ୍ପିଟାଲରେ କରାଯାଇଥିଲା। ଫେଜ-୨ ଟ୍ରାଏଲ ‘ଏ’କୁ ୬ଟି ଓ ଫେଜ-୨ ଟ୍ରାଏଲ ‘ବି’କୁ ୧୧ଟି ହସ୍ପିଟାଲରେ କରାଯାଇଥିଲା। ଅକ୍ଟୋବର ମାସର ମଧ୍ୟ ଭାଗରେ କରାଯାଇଥିବା ଏହି ଟ୍ରାଏଲ ପ୍ରାୟ ୧୧୦ ଜଣ କରୋନା ରୋଗୀ ସାମିଲ ହୋଇଥିଲେ। ଏହି ଔଷଧ ଦ୍ୱାରା ଚିକିତ୍ସିତ ହେଉଥିବା ରୋଗୀମାନେ ସାଧାରଣ କରୋନା ଆକ୍ରାନ୍ତଙ୍କ ତୁଳନାରେ ୨.୫ ଦିନ ପୂର୍ବରୁ ସୁସ୍ଥ ହେଉଥିବା ଜଣାପଡ଼ିଥିଲା।
୨୦୨୦ ଡିସେମ୍ବର ମାସରୁ ୨୦୨୧ ମାର୍ଚ୍ଚ ମାସ ମଧ୍ୟରେ ଦେଶର ୨୭ଟି ହସ୍ପିଟାଲରେ 2-DGର ଫେଜ ୩ ଟ୍ରାଏଲ କରାଯାଇଥିଲା। ଏଥିରେ ପ୍ରାୟ ୨୨୦ ଜଶ କରୋନା ରୋଗୀ ସାମିଲ ହୋଇଥିଲେ। ମହାରାଷ୍ଟ୍ର, ଦିଲ୍ଲୀ, ୟୁପି, ବେଙ୍ଗଲ, ଆନ୍ଧ୍ର, ତାମିଲନାଡୁ, ଗୁଜରାଟ, ରାଜସ୍ଥାନ ଓ କର୍ଣ୍ଣାଟକା ଭଳି ରାଜ୍ୟର ହସ୍ପିଟାଲରେ ଏହାର ଟ୍ରାଏଲ କରାଯାଇଥିଲା।
ପରୀକ୍ଷା ବେଳେ ଯେଉଁମାନଙ୍କୁ ୨-ଡିଜି ଔଷଧ ଦିଆଯାଇଥିଲା, ସେମାନଙ୍କ ମଧ୍ୟରୁ ୪୨% ରୋଗୀଙ୍କୁ ତୃତୀୟ ଦିନରେ ହିଁ ଆଉ ଅକ୍ସିଜେନ ଦେବାକୁ ପଡ଼ି ନଥିଲା। ଏହାର ଅର୍ଥ ଏହି ଔଷଧ ଅକ୍ସିଜେନର ଆବଶ୍ୟକତା ମଧ୍ୟ କମ କରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ମଧ୍ୟ ଏହି ଔଷଧ ଦିଆଯାଇଥିଲା। ସେମାନଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।
The post ଆର ସପ୍ତାହରେ ବଜାରକୁ ଆସିବ ଡିଆରଡିଓର କରୋନା ଔଷଧ appeared first on Odisha Reporter.
from Odisha Reporter https://ift.tt/3htY7Lw
No comments:
Post a Comment