ନୂଆଦିଲ୍ଲୀ: ଏଥର ତଳମୁହାଁ ହେଉଛି କରୋନା ସଂକ୍ରମଣ। ଶୁକ୍ରବାର ପରେ ପୁଣିଥରେ ଶନିବାର ଦୈନିକ ସଂକ୍ରମଣ ୨ ଲକ୍ଷରୁ କମ୍ ଚିହ୍ନଟ ହୋଇଛି। ଗତ ୪୫ ଦିନ ମଧ୍ୟରେ ସର୍ବନିମ୍ନ ସଂଖ୍ୟକ ସଂକ୍ରମଣ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟରୁ ଜଣାପଡ଼ିଛି। ଶନିବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧,୭୩,୭୯୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି। ଯାହାକି ଏପ୍ରିଲ ୧୩ ପରେ ସବୁଠୁ ସର୍ବନିମ୍ନ। ଏପ୍ରିଲ ୧୩ ରେ, ୧,୬୧,୭୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ।
ତେବେ ମୃତ୍ୟୁ ସଂଖ୍ୟାରେ ରୋକ୍ ଲାଗିପାରୁନି। ସଂକ୍ରମଣ ଯେଉଁ ହାରରେ କମୁଛି ସେହି ହାରରେ କରୋନା ମୃତକଙ୍କ ସଂଖ୍ୟା କମୁନଥିବା ଦେଖିବାକୁ ମିଳିଛି। ଆଜିର ରିପୋର୍ଟ ଅନୁସାରେ ବିଗତ ୨୪ ଘଣ୍ଟାରେ ୩,୬୧୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଶୁକ୍ରବାର ଏହି ସଂଖ୍ୟା ୩,୬୬୦ ଥିବା ବେଳେ ଗୁରୁବାର ମୃତକଙ୍କ ସଂଖ୍ୟା ୩,୮୪୭ ଥିଲା।
ନୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ୨.୭୭ କୋଟି (୨,୭୭,୨୯,୨୪୭) ଲୋକ ଏଯାବତ ସଂକ୍ରମିତ ହୋଇଛନ୍ତି। ଏଯାଏ ୩,୨୨,୫୧୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ପଜିଟିଭିଟି ହାର ୮.୩୬% କୁ ଖସି ଆସିଛି। ଯାହାକି ପାଞ୍ଚ ଦିନ ପୂର୍ବରୁ ୧୦% ଥିଲା। ସାପ୍ତାହିକ ପଜିଟିଭିଟି ହାର ଏବେ ୯.୮୪% ରହିଛି।
ସେହିପରି ଲଗାତର ୧୬ ଦିନ ହେବ ୨ ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ହେଉଛନ୍ତି। ଆଜିର ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୨,୮୪,୬୦୧ ଜଣ ଡିସଚାର୍ଜ ହୋଇଛନ୍ତି। ଏହାକୁ ମିଶାଇଲେ ଦେଶରେ ଆରୋଗ୍ୟ ସଂଖ୍ୟା ୨,୫୧,୭୮,୦୧୧କୁ ଛୁଇଁଛି। ଆରୋଗ୍ୟ ହାର ଏବେ ୯୦.୮୦% ରହିଛି। ଏବେ ସାରା ଦେଶରେ ୧,୧୪,୪୨୮ ଜଣେ କରୋନାରେ ଚିକିତ୍ସାଧୀନ ରହିଛନ୍ତି। ପୂର୍ବରୁ ଏହା ୨୨,୨୮,୭୨୪ ଥିଲା।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅନୁଯାୟୀ ଭାରତ ଏଯାବତ ୩୪,୧୧,୧୯,୯୦୯ଟି ନମୁନା ପରୀକ୍ଷା କରିଛି। ସେଥିମଧ୍ୟରୁ ଶୁକ୍ରବାର ୨୦,୮୦,୦୪୮ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା।
The post ତଳମୁହାଁ ଦୈନିକ କରୋନା ସଂକ୍ରମଣ, ମୃତ୍ୟୁ ସଂଖ୍ୟାରେ ଘଟୁନି ଆଖି ଦୃଶିଆ ହ୍ରାସ appeared first on Odisha Reporter.
from Odisha Reporter https://ift.tt/2R18wmW
No comments:
Post a Comment