ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ଆସିବ ଆଉ ୧୦ NDRF ଟିମ୍। ଏନେଇ NDRF ଡିଜି ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶାକୁ ୨୨ଟି ଟିମ୍ ଯାଇଥିବା ବେଳେ SRC ଆଉ ୧୦ ଟିମ୍ ମାଗିଛନ୍ତି। ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏୟାର ଲିଫ୍ଟ କରି ଟିମ୍ ପହଞ୍ଚାଯିବ ବୋଲି ସେ କହିଛନ୍ତି।
ଅନ୍ୟପଟେ ବାତ୍ୟା ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି। କେହି ହେଡକ୍ୱାର୍ଟର ଛାଡ଼ି ଯାଇପାରିବେନି ବୋଲି ନିର୍ଦ୍ଦେଶ ଦେଇଛି ଜଳସମ୍ପଦ ବିଭାଗ। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏହି ସୂଚନା ଦେଇଛନ୍ତି। ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାକୁ ସଜାଗ ରହିବା ପାଇଁ କୁହାଯାଇଛି। ସ୍ୱତନ୍ତ୍ର ଟିମ ଗଠନ ହୋଇଛି ଏବଂ ଜିଲ୍ଲା ପ୍ରଶାସନ ସହ ମିଶି କାମ କରାଯିବ ବୋଲି ସେ କହିଛନ୍ତି। ଏହାସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି, ସମସ୍ତେ ଯୋଗାଯୋଗରେ ଅଛନ୍ତି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ‘ୟାସ୍’ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଏହି ଆକଳନ କରାଯାଇଛି।
ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆଜି ଲଘୁଚାପ କ୍ଷେତ୍ରଟି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ବାଲେଶ୍ୱର ପାଖରୁ ପାଖାପାଖି ୭୦୦ କିଲୋମିଟର ଦୂରରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅଛି। ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବ ବୋଲି ଆମେ ପୂର୍ବାନୁମାନ କରିଛୁ। ତା’ପରେ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଅତି ପ୍ରବଳ ବାତ୍ୟାରେ ପରିଣତ ହେବ। ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳକୁ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିବ। ଯେତେବେଳେ ଏହା ଉକପୂଳ ଅତିକ୍ରମ କରିବ ସେତେବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୫ କି.ମିରୁ ୧୬୫ କି.ମି ରହିବ। ଅତିବେଶୀରେ ଘଣ୍ଟାପ୍ରତି ୧୮୫ କିମି ବେଗରେ ପବନ ହୋଇପାରେ।
ଶ୍ରୀ ମହାପାତ୍ର ଆହୁରି କହିଛନ୍ତି, ଏହି ବାତ୍ୟାର ପ୍ରଭାବରେ ୨୫ ତାରିଖ ସନ୍ଧ୍ୟାରୁ ଉତ୍ତର ଓଡ଼ିଶାର ଉପକୂଳ ଜିଲ୍ଲା ଓ ପଶ୍ଚିମବଙ୍ଗର ଉପକୂଳ ଜିଲ୍ଲା ସହିତ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହେବ। ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବର୍ଷାର ପରିମାଣ ଧୀରେ ଧୀରେ ବଢ଼ିବ। ୨୬ ତାରିଖରେ ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ ସବୁଠୁ ଅଧିକ ବର୍ଷା ହେବ ଏବଂ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହିତ ଅଳ୍ପ କେତେକ ଜାଗାରେ ଅତ୍ୟନ୍ତ ପ୍ରବଳ ବର୍ଷା ଅର୍ଥାତ୍ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ।
ସେ କହିଛନ୍ତି, ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ରରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଆମେ ଆକଳନ କରିଛୁ। ୨୭ ତାରିଖରେ ଏହି ବର୍ଷାର ପରିମାଣ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ କମିଯିବ। କେବଳ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
The post ବାତ୍ୟା ମୁକାବିଲା: ଓଡ଼ିଶାକୁ ଆସିବ ଆଉ ୧୦ NDRF ଟିମ୍ appeared first on Odisha Reporter.
from Odisha Reporter https://ift.tt/3f9KCii
No comments:
Post a Comment