ମୁମ୍ବାଇ: ମହାମାରୀ କରୋନାର ରକ୍ଷା କବଚ ଟିକାରେ ବି ଦୁର୍ନୀତି ଅଭିଯୋଗ ଆସିଛି। ଲୋକଙ୍କୁ ଅସଲି ଟଙ୍କାରେ ନକଲି ଟକାର ଡୋଜ୍ ଦିଆଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି। ମୁମ୍ବାଇ କାଣ୍ଡିଭାଲି ହାଉସିଂ ସୋସାଇଟିରେ ରହୁଥିବା ଲୋକମାନେ ଏପରି ଅଭିଯୋଗ ଆଣିବା ପରେ ହଇଚଇ ସୃଷ୍ଟି ହୋଇଛି।
ଅଭିଯୋଗ ଅନୁଯାୟୀ, ମେ’ ୩୦ରେ ହୀରାନନ୍ଦିନୀ ଇଷ୍ଟେଟ ସୋସାଇଟିରେ ଟିକାକରଣ ପାଇଁ କ୍ୟାମ୍ପ ହୋଇଥିଲା। ପ୍ରାୟ ୩୯୦ ଜଣ ଲୋକ ଏହି ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଟିକା ନେଇଥିଲେ। ଏଠାରେ ରହୁଥିବା ଲୋକଙ୍କ ସହ ରାଜେଶ ପାଣ୍ଡେ ନାମକ ଜଣେ ବ୍ୟକ୍ତି ଯୋଗାଯୋଗ କରିବା ସହ ନିଜକୁ କୋକିଳାବେନ ହସ୍ପିଟାଲର ସଦସ୍ୟ ଭାବେ ପରିଚୟ ଦେଇଥିଲେ।
ସଞ୍ଜୟ ଗୁପ୍ତା ନାମରେ ଜଣେ ବ୍ୟକ୍ତି ଟିକାକରଣର ସଂଯୋଜନା କରିଥିଲେ ଓ ମହେନ୍ଦ୍ର ସିଂହ ନାମକ ଜଣେ ବ୍ୟକ୍ତି ଲୋକଙ୍କ ଠାରୁ ଟିକା ବାବଦରେ ନଗଦ ଟଙ୍କା ନେଇଥିଲେ। ହାଉସିଂ ସୋସାଇଟିର ହିତେଶ ପଟେଲ ନାମକ ଜଣେ ବ୍ୟକ୍ତି କହିଛନ୍ତି, “ମୋ ପୁଅ ଟିକାର ଡୋଜ୍ ନେଇଥିଲା।
ଡୋଜ୍ ପିଛା ସେମାନେ ସମସ୍ତଙ୍କ ଠାରୁ ୧୨୬୦ ଟଙ୍କା ନେଇଥିଲେ। ଟିକା ନେବା ପରେ ଆମ ପାଖକୁ କୌଣସି ମେସେଜ ଆସି ନଥିଲା। ସେହିପରି ଟିକା ନେବା ବେଳେ ଆମକୁ ସେଲଫି କିମ୍ବା ଫଟୋ ଉଠାଇବାକୁ ମଧ୍ୟ ଦିଆଯାଇ ନଥିଲା।”
ଜଣଙ୍କ ଠାରୁ ୧୨୯୦ ଟଙ୍କା ଅର୍ଥାତ ୩୯୦ ଜଣଙ୍କ ଠାରୁ ପ୍ରାୟ ୫ ଲକ୍ଷ ଟଙ୍କା ଟିକା ଦେବା ନାଁରେ ନିଆଯାଇଛି। ସମସ୍ତେ କୋଭିସିଲ୍ଡ ଟିକା ନେଇଥିଲେ ହେଁ କାହା ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନଥିଲା। ଏହି କାରଣରୁ ଟିକା ନେଇଥିବା ଲୋକଙ୍କ ମନରେ ଏହାର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଥିଲା।
ହାଉସିଂ ସୋସାଇଟ୍ରେ ରହୁଥିବା ଆଉ ଜଣେ ବ୍ୟକ୍ତି କହିଛନ୍ତି, “ଆମ ଶରୀରରେ ଟିକା ନେବା ପରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ନ ଦେଖାଯିବାରୁ ଆମେ ଆଶ୍ଚର୍ଯ୍ୟ ହୋଇଥିଲୁ। ଆମେ ଏହାକୁ ନେଇ ଚିନ୍ତିତ ଥିବା ବେଳେ ଟିକା ନେଇଥିବା ପ୍ରମାଣପତ୍ର ମଧ୍ୟ ମିଳି ନଥିଲା। ଆମେ ଟିକା ନେବାର ୧୦ରୁ ୧୫ ଦିନ ପରେ ପ୍ରମାଣପତ୍ର ପାଇଥିଲୁ।”
ଲୋକମାନେ ପାଇଥିବା ପ୍ରମାଣପତ୍ର ଗୁଡ଼ିକରେ ବିଭିନ୍ନ ହସ୍ପିଟାଲ ଯଥା ନାନାବତୀ, ଲାଫଲାଇନ, ନେସ୍କୋ ବିଏମସି ଟିକାକରଣ କେନ୍ଦ୍ର ଭଳି ନାଁ ରହିଥିଲା। ଏହାକୁ ଦେଖି ସମସ୍ତେ କିଛି ଗଡ଼ବଡ଼ ହୋଇଥିବା ସନ୍ଦେହ କରିଥିଲେ। ଏହି ହସ୍ପିଟାଲଗୁଡ଼ିକୁ ଯୋଗାଯୋଗ କରାଯିବା ପରେ ସେମାନେ କୌଣସି ହାଉସିଂ ସୋସାଇଟିରେ ଟିକାକରଣର ବ୍ୟବସ୍ଥା କରି ନଥିବା କହିଛନ୍ତି।
ନନାବତୀ ହସ୍ପିଟାଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ନନାବତୀ ମାକ୍ସ ସୁପର ସ୍ପେଶାଲିଟି ହସ୍ପିଟାଲ ନାଁରେ କାଣ୍ଡିଭାଲି ନିକଟ ହାଉସିଂ ସୋସାଇଟିର ଲୋକମାନେ ଟିକା ନେଇଥିବା ଆମ ନୋଟିସକୁ ଆସିଛି। ଆମେ କହିବାକୁ ଚାହୁଁଛୁ ଯେ ଆମେ କୌଣସି ପ୍ରକାରର ଟିକାକରଣ କାର୍ଯ୍ୟକ୍ରମ ହାଉସିଂ ସୋସାଇଟିରେ କରିନାହୁଁ। ଆମେ ଏ ସମ୍ପର୍କରେ ସରକାରୀ ଅଧିକାରୀଙ୍କୁ ଜଣାଇଛୁ ଓ ବିଧିବଦ୍ଧ ଅଭିଯୋଗ ମଧ୍ୟ କରିଛୁ।”
କେବଳ ଏହି ହସ୍ପିଟାଲ ନୁହେଁ ପ୍ରମାଣପତ୍ରରେ ଥିବା ସମସ୍ତ ହସ୍ପିଟାଲ ସମାନ କଥା କହିଛନ୍ତି। ହସ୍ପିଟାଲ ପକ୍ଷରୁ ହାଉସିଂ ସୋସାଇଟିରେ କୌଣସି ପ୍ରକାରର ଟିକାକରଣ କାର୍ଯ୍ୟକ୍ରମ ହୋଇନାହିଁ।
The post ଟିକାରେ ବି ଦୁର୍ନୀତି ଅଭିଯୋଗ, ନକଲି ଡୋଜ୍ ଦିଆଯାଇଥିବା ସନ୍ଦେହ appeared first on Odisha Reporter.
from Odisha Reporter https://ift.tt/3xr05RC
No comments:
Post a Comment