ନୂଆଦିଲ୍ଲୀ: ଜୁନ୍ ୨୧ରେ ସାରା ଦେଶରେ ୮୫ ଲକ୍ଷ ଲୋକ ଟିକା ନେଇଛନ୍ତି। ସାରା ଦେଶରେ ମୋଟ ଯେତିକି ଟିକାକରଣ କରାଯାଇଛି ସେଥିରୁ ୬୩.୬୮ ପ୍ରତିଶତ କେବଳ ଗ୍ରାମାଞ୍ଚଳରେ ଦିଆଯାଇଛି। ସେହିଦିନ ଦିଆଯାଇଥିବା ମୋଟ ପ୍ରତିଷେଧକ ଟିକା ମଧ୍ୟରୁ ୫୬.୦୯ ଲକ୍ଷ ଟିକା କେବଳ ଗ୍ରାମାଞ୍ଚଳରେ ବସବାସ କରୁଥିବା ହିତାଧିକାରୀମାନଙ୍କୁ ଦିଆଯାଇଛି। ସହରାଞ୍ଚଳରେ ସେହିଦିନ ୩୧.୯ ଲକ୍ଷ ଲୋକ କୋଭିଡ଼ ଟିକା ନେଇଥିଲେ।
ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ନିତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ୍ କହିଛନ୍ତି ଯେ ଗ୍ରାମାଞ୍ଚଳ ଟିକାକରଣ ଉପରେ ସରକାର ବିଶେଷ ଭାବେ ଗୁରୁତ୍ୱ ଆରୋପ କରୁଛନ୍ତି । “ଏବେ ଗ୍ରାମାଞ୍ଚଳରେ ବ୍ୟାପକ ଭାବେ ଟିକାକରଣ କରାଯାଉଛି ଏବଂ ଅଧିକ ମାତ୍ରାରେ ଏହି ଟିକା ଲୋକମାନଙ୍କୁ ଦିଆଯାଉଛି । ସୋମବାର (ଜୁନ ୨୧, ୨୦୨୧) ଠାରୁ ଦେଶର ଗ୍ରାମାଞ୍ଚଳ– ସହରାଞ୍ଚଳ ଟିକାକରଣ ବିଭାଜନ ସଂଖ୍ୟା ପ୍ରାୟ ସମାନ ରହିଛି। ତେଣୁ ଏହା ପ୍ରମାଣିତ କରିଛି ଯେ ଦେଶର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ମଧ୍ୟ ସହଜରେ ଟିକାକରଣ କରାଯାଇପାରିବ।”
ଡକ୍ଟର ପଲ୍ ଆହୁରି କହିଛନ୍ତି ଯେ ଏବେ ଦେଶରେ ଥିବା ମୋଟ ଟିକାକରଣ କେନ୍ଦ୍ରର ୭୧ ପ୍ରତିଶତ କେବଳ ଗ୍ରାମାଞ୍ଚଳରେ ରହିଛି ଏବଂ ଗତ କିଛି ସପ୍ତାହ ଧରି ନିରବଚ୍ଛିନ୍ନ ଭାବେ ଗ୍ରାମାଞ୍ଚଳରେ ମୋଟ ଟିକାକରଣର ଅର୍ଦ୍ଧାଧିକ ଟିକା ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି। “ ଆଇଟି ବ୍ୟବସ୍ଥାର ଅଧିକ ଉପଯୋଗ ଦ୍ୱାରା, ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଟିକାକରଣ ଉପକାରିତା ସଂପର୍କରେ ଅବଗତ ଓ ସଚେତନ କରାଯାଉଛି। ଲୋକମାନେ ଏହାକୁ ଗ୍ରହଣ କରୁଥିବାରୁ ଏବେ ଗ୍ରାମାଞ୍ଚଳକୁ ଅଧିକରୁ ଅଧିକ ଟିକା ପଠାଯାଉଛି। ତେଣୁ ଆମର ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଛି ଯେ ଗ୍ରାମାଞ୍ଚଳରେ ସଂପୂର୍ଣ୍ଣ ରୂପେ ଟିକାକରଣ ସମ୍ଭବପର।”
ସେ ଆହୁରି କହିଛନ୍ତି ଯେ ଗତ ସୋମବାର ଦିନ ଏତେ ଅଧିକ ସଂଖ୍ୟକ ଟିକା ପରିଚାଳନାରେ କୋୱିନ୍ ପ୍ଲାଟଫର୍ମରେ କୌଣସି ପ୍ରକାର ତ୍ରୁଟି ଦେଖା ଦେଇ ନାହିଁ। ସେହିପରି ସୋମବାର ଯେତେ ସଂଖ୍ୟକ ଲୋକ ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରୁ ୪୬ ପ୍ରତିଶତ ହେଉଛନ୍ତି ମହିଳା । ଅନ୍ୟ ୫୩ ପ୍ରତିଶତ ହେଉଛନ୍ତି ପୁରୁଷ ଥିବା ପଲ ସୂଚନା ଦେଇଛନ୍ତି।
The post ଗ୍ରାମାଞ୍ଚଳରେ ବଢ଼ିଛି ଟିକାକରଣ, ଅଧିକ ମହିଳାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ appeared first on Odisha Reporter.
from Odisha Reporter https://ift.tt/3h63izw
No comments:
Post a Comment