ପୁରୀ(ଓଡ଼ିଶା ରିପୋର୍ଟର): ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। କରୋନା କଟକଣା ପାଇଁ ପୂର୍ବ ବର୍ଷ ଇତିହାସର ପୁନରାବୃତ୍ତି ହୋଇଛି। ବିନା ଭକ୍ତରେ ଖାଁ ଖାଁ ବଡ଼ ଦାଣ୍ଡରେ ଆୟୋଜିତ ହେଉଛି ସ୍ନାନଯାତ୍ରା । ସମ୍ପୂର୍ଣ୍ଣ ରୀତିନୀତି ସହ ଆଗେଇ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି।
ଧାଡ଼ି ପହଣ୍ଡିରେ ରତ୍ନସିଂହାସନରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂରତି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ତାପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସି ସ୍ନାନ ବେଦୀରେ ବିଜେ କରିଛନ୍ତି ମହାପ୍ରଭୁ ଜଗନ୍ନାଥ । ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧର ପୋଛା ଶେଷ । ୧୦୮ ଗରା ସୁବାସିତ ଜଳରେ ହେବ ମହାପ୍ରଭୁଙ୍କର ମହାସ୍ନାନ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ମଙ୍ଗଳ ଆଳତୀ ପରେ ବଢି ଚାଲିଛି ଅନ୍ୟାନ୍ୟ ନୀତିକାନ୍ତି । ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ଜଳବିଜେ ସହ ସମ୍ପନ୍ନ ହେଉଛି ସ୍ନାନ ବିଧି । ସାଢ଼େ ୧୦ଟାରେ ଛେରା ପହଁରା ପାଇଁ ସମୟ ଧାର୍ଯ୍ୟ ହୋଇଛି । ଏହାପରେ ମଧ୍ୟାହ୍ନ ୧୧ଟାରୁ ୧୨ଟା ଭିତରେ ଅନୁଷ୍ଠିତ ହେବ ଠାକୁରଙ୍କ ହାତୀବେଶ । ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି କରାଯିବ।
ତେବେ ଗଲାବର୍ଷ ଭଳି ଏଥର ବି କରୋନା ସଂକ୍ରମଣକୁ ଦେଖି ଛେରାପହଁରା ପାଇଁ ଆସିବେନି ଗଜପତି ମହାରାଜା । ତାଙ୍କ ପ୍ରତିନିଧି ମୁଦିରସ୍ତ ପରମ୍ପରା ରକ୍ଷା କରିବେ ।
ତେବେ ଶ୍ରୀକ୍ଷେତ୍ର ପୁରୀରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଗତ ରାତି ୧୦ଟାରୁ ଲାଗୁ ହୋଇଛି ୧୪୪ ଧାରା। ଏହା ଆସନ୍ତା କାଲି ଯାଏ ବଳବତ୍ତର ରହିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବଂ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପୁରୀ ପ୍ରବେଶ ପାଇଁ ଅନୁମତି ରହିବ।
ସହରର ସମସ୍ତ ପ୍ରବେଶ ପଥରେ ପୁଲିସ ପିକେଟିଂ କରୁଛି । ଏହି କଟକଣା ସମ୍ପର୍କରେ ପୁରୀ ପ୍ରଶାସନ ସହରବାସୀଙ୍କୁ ଅବଗତ କରାଇବା ସହ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପ ଜିଲ୍ଲାପାଳ ଭବତାରଣ ସାହୁ । ଆଦେଶ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାନୀ ମଧ୍ୟ ଦିଆଯାଇଛି।
The post ବିନା ଭକ୍ତରେ ସ୍ନାନ ବେଦୀକୁ ଗଲେ ଚତୁର୍ଦ୍ଧାମୂର୍ତ୍ତି appeared first on Odisha Reporter.
from Odisha Reporter https://ift.tt/3qnWZew
No comments:
Post a Comment