ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ବାଙ୍କିଶୋଳ ସ୍ଥିତ କୋଭିଡ୍ ହସ୍ପିଟାଲ୍ର ଅବ୍ୟବସ୍ଥା ସଂପର୍କିତ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ପ୍ରଶାସନର ଚେତା ପଶିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ପିଟାଲର ସବୁ ୱାର୍ଡରେ ସିସିଟିଭି ଲଗାଯାଇଛି। ଏଥିସହ ହସ୍ପିଟାଲ୍ର ସ୍ୱାସ୍ଥ୍ୟ କର୍ମଚାରୀ ପିପିଇ କିଟ୍ ପିନ୍ଧି ବୟସ୍କ କରୋନା ଆକ୍ରାନ୍ତଙ୍କୁ ନିଜ ହାତରେ ଖୁଆଇ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି।
ଚାରି ଦିନ ତଳେ ଏହି କୋଭିଡ୍ ହସ୍ପିଟାଲ୍ ଭିତରର କିଛି ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଚିକିତ୍ସାଧୀନ କୋଭିଡ୍ ରୋଗୀମାନେ ହସ୍ପିଟାଲ୍ରେ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଥିଲା। କିଏ ହସ୍ପିଟାଲ୍ ବାରଣ୍ଡାରେ ତ ଆଉ କିଏ ୱାଶ୍ ରୁମ୍ ବେସିନ୍ ତଳେ ପଡ଼ିଥିଲେ। ପୁଣି କେହି କେହି ବେଡ୍ ପାଖରେ ସଂପୂର୍ଣ୍ଣ ଉଲଗ୍ନ ହୋଇ ପଡ଼ିଥିଲେ ଓ ପାଖରେ ଖାଦ୍ୟ ପଦାର୍ଥ ପଡ଼ିଥିଲା। କୋଭିଡି ହସ୍ପିଟାଲ୍ର ଏଭଳି କଦର୍ଯ୍ୟ ଦୃଶ୍ୟ ଦେଖି ବିଭିନ୍ନ ବର୍ଗର ଲୋକେ ତୀବ୍ର ସମାଲୋଚନା କରିଥିଲେ।
ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ମୟୂରଭଞ୍ଜ ଜିଲ୍ଲାପାଳ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହିତ ସିସିଟିଭି ଲଗାଯିବ ବୋଲି କହିଥିଲେ।
ଏହି ଘଟଣା ସାମ୍ନାକୁ ଆସିବା ପରେ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇଥିଲେ। ସେ ଘଟଣା ସଂପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଆଉ ଥରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୭ ଦିନ ଭିତରେ ରିପୋର୍ଟ ଦେବାକୁ କହିଥିଲେ। ଚିକିତ୍ସା ସେବାରେ ଆହୁରି ଉନ୍ନତି ଆଣିବାକୁ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହା ସହିତ ସେ ଉକ୍ତ କୋଭିଡ୍ ହସ୍ପିଟାଲ୍କୁ ପରିଦର୍ଶନରେ ଯାଇ ପିପିଇ କିଟ୍ ପିନ୍ଧି ରୋଗୀମାନଙ୍କୁ ଭେଟିଥିଲେ ଓ ସେମାନଙ୍କୁ ଯୋଗଇ ଦିଆଯାଉଥିବା ଚିକିତ୍ସା ସେବା ସଂପର୍କରେ ପଚାରି ବୁଝିଥିଲେ। ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ସହିତ ବିଧାୟକ ବୁଡ଼ାନ ମୁର୍ମୁ ଓ ପ୍ରକାଶ ସୋରେନ୍ ମଧ୍ୟ ପିପିଇ କିଟ୍ ପିନ୍ଧି କୋଭିଡ୍ ଆକ୍ରାନ୍ତମାନଙ୍କୁ ଭେଟିଥିଲେ।
The post ଭାଇରାଲ ହେବା ପରେ ପଶିଲା ଚେତା, ବଦଳିଲା କୋଭିଡ୍ ହସ୍ପିଟାଲର ଚିତ୍ର appeared first on Odisha Reporter.
from Odisha Reporter https://ift.tt/3fKKG8L
No comments:
Post a Comment