ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟରେ ପହଞ୍ଚିଲା କେନ୍ଦ୍ରାପଡ଼ା ବଳଦେବଜୀଉ ରଥଯାତ୍ରା ପ୍ରସଙ୍ଗ । ବଳଦେବଜୀଉଙ୍କ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦେବାକୁ ଅନୁରୋଧ କରି ସର୍ବୋଚ୍ଚ କୋର୍ଟରେ ଦାଏର ହୋଇଛି ସ୍ପେଶାଲ୍ ଲିଭ୍ ପିଟିସନ୍ । ରଥଯାତ୍ରା ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ମଦନମୋହନ ପତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
କୋଭିଡ୍ ଗାଇଡଲାଇନ୍ସ ଅନୁସାରେ, କେନ୍ଦ୍ରାପଡ଼ାରେ ରଥଯାତ୍ରା ଲାଗି ଅନୁମତି ଦେବାକୁ ପିଟିସନରେ ଆବେଦନ କରାଯାଇଛି । ବଳଦେବଜୀଉଙ୍କ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଲାଗି ହାଇକୋର୍ଟରେ ବି ଆବେଦନ ହୋଇଥିଲା । ତେବେ କରୋନା ସଂକ୍ରମଣ ସମୟରେ କେବଳ ପୁରୀକୁ ଛାଡ଼ି ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବନି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ କୁମାର ଜେନା ସୂଚନା ଦେଇଥିଲେ।
କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ସେବାୟତ ଓ ସ୍ଥାନୀୟ ଲୋକ। ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ କୋଭିଡ୍ କଟକଣାରେ ଗଡାଇବାକୁ ଅନୁମତି ଦେବା ପାଇଁ ଦାବି କରିଛନ୍ତି। ଚଳିତ ବର୍ଷ ତୁଳସୀକ୍ଷେତ୍ରରେ ରଥଯାତ୍ରା କରିବାକୁ ବଳଦେବଜୀଉ ମନ୍ଦିର ସେବାୟତ, ନିଯୋଗ, ବିଭିନ୍ନ ସାମାଜିକ ସଂଗଠନ ସହିତ ସାଧୁସନ୍ଥମାନେ ଦାବି କରି ଆସୁଛନ୍ତି।
ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କୋଭିଡ୍ କଟକଣା ଭିତରେ କେନ୍ଦ୍ରାପଡ଼ା ଓ ଭଟଲୀରେ ରଥଯାତ୍ରା ପାଇଁ ୫ଟି ମାମଲା ହୋଇଥିଲା। କେନ୍ଦ୍ରାପଡ଼ା ପାଇଁ ୪ଟି ଓ ଭଟଲୀ ପାଇଁ ଗୋଟିଏ ମାମଲା ହୋଇଥିଲା। ହସ୍ତକ୍ଷେପ ପାଇଁ ମନା ସହ ୫ଟି ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ। ଶ୍ରୀକ୍ଷେତ୍ର ଭଳି କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ମଧ୍ୟ ବିନାଭକ୍ତରେ ବଳଦେବଜୀଉଙ୍କ ରଥଯାତ୍ରା କରିବାକୁ ମନ୍ଦିରର ୫ଜଣ ସେବାୟତ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।
ପୁରୀ ଛଡ଼ା ଅନ୍ୟ ଜାଗାରେ ରଥଯାତ୍ରା ପାଇଁ ଆବେଦନ ପ୍ରସଙ୍ଗରେ ସରକାରୀ ନିର୍ଦ୍ଦେଶନାମାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆବେଦନକାରୀ ମଦନମୋହନ ପତ୍ରୀ ।
The post ବଳଦେବଜୀଉଙ୍କ ରଥଯାତ୍ରା ଅନୁମତି ଦାବିରେ ସର୍ବୋଚ୍ଚ କୋର୍ଟରେ ଆବେଦନ appeared first on Odisha Reporter.
from Odisha Reporter https://ift.tt/3x4qswR
No comments:
Post a Comment