ନୂଆଦିଲ୍ଲୀ: କୋଭିଶିଲ୍ଡ ଓ କୋଭାକ୍ସିନକୁ ୟୁରୋପିଆନ୍ ୟୁନିଅନ (ଇୟୁ) ଅନୁମତି ନଦେବା ପରେ ଭାରତ ସରକାର ଏହାକୁ ନେଇ କଡ଼ା ଆପତ୍ତି ଜଣାଇଛନ୍ତି। ଯେସାକୁ ତେସା ନୀତିରେ ଭାରତ ସରକାର କହିଛନ୍ତି ଯଦି କୋଭିଶିଲ୍ଡ ଓ କୋଭାକ୍ସିନକୁ ୟୁରୋପିଆନ୍ ୟୁନିଅନ ଅନୁମତି ନଦେବେ ତାହେଲେ ୟୁରୋପିଆନ୍ ୟୁନିଅନରୁ ଭାରତ ଆସୁଥିବା ଲୋକଙ୍କ ଭ୍ୟାକସିନ ସାର୍ଟିଫିକେଟକୁ ବି ଗ୍ରହଣ କରାଯିବ ନାହିଁ। ତେଣୁ ସେମାନଙ୍କୁ ୧୫ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ହେବ ବୋଲି ଭାରତ ସରକାର କହିଥିବା ସୂଚନା ରହିଛି।
ଏବେ ଯେଉଁମାନେ ବିଦେଶ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଭ୍ୟାକସିନ ପାସପୋର୍ଟ ଅନିର୍ବାର୍ଯ୍ୟ। କୋଭିଡ୍ ଭ୍ୟାକ୍ସିନ୍ ପାସପୋର୍ଟ ହେଉଛି ଏକ ସୁବିଧା ଯେଉଁଥିରେ ଟିକାର ଉଭୟ ଡୋଜ ନେବା ପରେ ଏହା ଡିଜିଟାଲ୍ ପାସପୋର୍ଟ ସହିତ ସଂଯୁକ୍ତ ଏବଂ ଏହା ବିଦେଶ ଯାତ୍ରା କରିବାକୁ ଅନୁମତି ଦେଇଥାଏ।
ଭାରତର ଅନେକ ବ୍ୟକ୍ତି ପାଠ ପଢ଼ିବା ପାଇଁ, ଚାକିରି ପାଇଁ ୟୁରୋପ ଦେଶକୁ ଯାଆନ୍ତି। କିନ୍ତୁ ୟୁରୋପିଆନ୍ ୟୁନିଅନ କୋଭିଶିଲ୍ଡ ଓ କୋଭାକ୍ସିନକୁ ଅନୁମତି ଦେଇନଥିବାରୁ ସମସ୍ୟା ଉପୁଜିଛି। କୋଭିଡ ପରେ ଏବେ ବିଦେଶ ଯିବାକୁ ହେଲେ ଗ୍ରୀନ୍ ପାସର ଆବଶ୍ୟକ ରହିଛି। ଏହି ଗ୍ରୀନ ପାସ ହେଲା କିଏ କେଉଁ ଟିକା ନେଇଛନ୍ତି। ଯଦି ସେହି ଟିକା ସଂପୃକ୍ତ ଦେଶରେ ମଞ୍ଜୁରୀ ଦେଇଥିବ ତାହେଲେ ଜଣେ ଗ୍ରୀନ୍ ପାସ ପାଇବାକ ହକଦାର। ୟୁରୋପ କିନ୍ତୁ କୋଭିଶିଲ୍ଡ ଓ କୋଭାକ୍ସିନକୁ ଅନୁମତି ଦେଇନଥିବାରୁ ଏବେ ସମସ୍ୟା ଉପୁଜିଛି।
କୋଭିଶିଲ୍ଡ ଟିକାର ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଧାର ପୁଣାଓ୍ୱାଲା ମଧ୍ୟ ଏହି ପ୍ରସଙ୍ଗକୁ ରାଜନୀତିକ ଏବଂ କୂଟନୀତିକ ସ୍ତରରେ ଉଠାଇବାକୁ ଦାବି କରିଛନ୍ତି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ଯଦି ୟୁରୋପିଆନ୍ ୟୁନିଅନ ନିଜର ଆଭିମୁଖ୍ୟ ପରିବର୍ତ୍ତନ ନକରେ ତେବେ ଟିକାକରଣ ସାର୍ଟିଫିକେଟ ସମ୍ବନ୍ଧରେ ଭାରତ ମଧ୍ୟ କାଉଣ୍ଟର ନୀତି କାର୍ଯ୍ୟକାରୀ କରିବ। ଏଭଳି ପରିସ୍ଥିତିରେ ୟୁରୋପରେ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ଟିକାକୁ ଭାରତ ଅନୁମତି ଦେବ ନାହିଁ। ଏବଂ ଭାରତ ଆସିବା ପରେ ସେଠାରୁ ଆସୁଥିବା ଯାତ୍ରୀମାନଙ୍କୁ କ୍ୱାରେଣ୍ଟିନରେ ରହିବାକୁ ହେବ।
ସୂଚନାଯୋଗ୍ୟ ବର୍ତ୍ତମାନ ଭାରତରେ ଚାରୋଟି କରୋନା ଟିକା ଅନୁମୋଦନ ମିଳିଛି। ଗୋଟିଏ ସ୍ୱଦେଶୀ କମ୍ପାନୀ ଭରତ ବାୟୋଟେକର କୋଭାକ୍ସିନ୍, ଆଷ୍ଟ୍ରା ଜେନେକାର କୋଭିଶିଲ୍ଡ ରହିଥିବା ବେଳେ ଋଷର ଟିକା ସ୍ପୁଟନିକ୍ ଭି ଏବଂ ଆମେରିକାର ମୋଡର୍ନା ଟିକାକୁ ଅନୁମୋଦନ ମିଳିଛି।
The post ‘ଦୁଇ ଟିକାକୁ ଅନୁମତି ଦିଅ, ନହେଲେ ହେବ ଜବାବୀ କାର୍ଯ୍ୟାନୁଷ୍ଠାନ’ appeared first on Odisha Reporter.
from Odisha Reporter https://ift.tt/3h6kaXL
No comments:
Post a Comment