ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳ ବାହାରିଥିବା ବେଳେ ୯୭.୮ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏହାବାଦ ସିବିଏସ୍ଇ ଓ ଆଇସିଆଇସି ପରୀକ୍ଷା ଫଳ ବାହାରି ନାହିଁ। ଚଳିତ ବର୍ଷ ପାସ୍ ହାର ଅଧିକ ଥିବା ବେଳେ ସବୁ ରେଜଲ୍ଟ ବାହାରି ସାରିବା ପରେ ଯୁକ୍ତ ୨ ପଢ଼ିବା ନିମନ୍ତେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିଯିବା ଆକଳନ କରାଯାଉଛି। ହେଲେ ସେହି ଅନୁଯାୟୀ ସିଟ୍ ନ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଲାଗି ସିଟ୍ ସମସ୍ୟା ଉପୁଜିବ ନାହିଁ ବୋଲି ଏବେଠୁ ଆଶଙ୍କା ପାଇଲାଣି। ହେଲେ ଏପରି କିଛି ସମସ୍ୟା ଉପୁଜିବ ନାହିଁ ବୋଲି ଆଶ୍ୱସ୍ତ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।
ଏନେଇ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମଲେଖା ପାଇଁ ସିଟ୍ ସମସ୍ୟା ଦେଖାଦେବନି। ବଡ଼ ବଡ଼ କଲେଜରେ ପଢିବାକୁ ଛାତ୍ରଛାତ୍ରୀଙ୍କ ଇଚ୍ଛା ରହିଛି । ଆବଶ୍ୟକ ସ୍ଥଳେ ସିଟ୍ ବୃଦ୍ଧି କରାଯିବ । ନାମଲେଖା ପାଇଁ ୬ଲକ୍ଷ ୩ ହଜାର ୧୧୩ ସିଟ୍ ରହିଛି । ତାସହ କଲେଜକୁ ଆଧାର କରି ସିଟ୍ ବୃଦ୍ଧି କରାଯିବ ବୋଲି କହିଛନ୍ତ ମନ୍ତ୍ରୀ।
ସିବିଏସ୍ଇ, ଆଇସିଆଇସି ରେଜଲ୍ଟ ବାହାରିବା ପରେ ପିଲାମାନେ ନିଜ ମାର୍କ ଓ ଇଚ୍ଛା ମୁତାବକ ବିଭିନ୍ନ କଲେଜରେ ପଢ଼ିବା ପାଇଁ ଆବେଦନ କରିପାରିବେ। ପିଲାମାନଙ୍କ କୌଣସି ନିର୍ଦ୍ଦିଷ୍ଟ କଲେଜ ପ୍ରତି ଅଧିକ ଆଗ୍ରହ ଥିଲେ, ଆବଶ୍ୟକତା ଅନୁଯାୟୀ, ସେହି କଲେଜର ସିଟ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।
ସୂଚନାଯୋଗ୍ୟ, କରୋନା ଯୋଗୁ ଏଥର ମାଟ୍ରିକ୍ ପରୀକ୍ଷା ହୋଇପାରି ନଥିଲା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ପିଲାଙ୍କ ମୂଲ୍ୟାୟନ କରି ଫଳ ପ୍ରକାଶ କରାଯାଇଛି । ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି, ଯାହା ଏକ ରେକର୍ଡ। ଚଳିତ ବର୍ଷ ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫, ୬୨, ୦୧୦ ଜଣ ପାସ୍ କରିଛନ୍ତି। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ। ସେହିପରି ୨୨୫୬ ପିଲାଙ୍କ ମାର୍କ ସ୍କୁଲଗୁଡ଼ିକ ଦେଇ ନାହାନ୍ତି। ୫, ୬୨, ୦୧୦ ଜଣ ପାସ୍ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୨,୮୦,୩୫୨ ଜଣ ଛାତ୍ର ଥିବା ବେଳେ ୨,୮୧,୬୫୮ ଜଣ ଛାତ୍ରୀ ରହିଛନ୍ତି। ଚଳିତ ବର୍ଷ ଏକ୍ସରେଗୁଲାରରେ ପାସ୍ ହାର ମଧ୍ୟ ୮୮.୩୦ ପ୍ରତିଶତ ରହିଛି।
ବୋର୍ଡ ସଭାପତି କହିଛନ୍ତି, ମାଟ୍ରିକ୍ ରେଜଲ୍ଟକୁ ନେଇ କୌଣସି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହେଲେ ପରୀକ୍ଷା ଦେଇ ପାରିବେ। ସ୍ଥିତି ସ୍ୱାଭାବିକ ହେଲେ ସେମାନେ ପରୀକ୍ଷା ଦେବେ। ଏଥିପାଇଁ ଜୁଲାଇ ୫ରୁ ଫର୍ମ ଫିଲ୍ଅପ୍ କରାଯିବ। ଅଗଷ୍ଟ ଶେଷ ସୁଦ୍ଧା ପରୀକ୍ଷା କରିବାକୁ ଚେଷ୍ଟା କରାଯିବ।
The post ପିଲାଙ୍କ ପାଠପଢ଼ା ପାଇଁ ସିଟ୍ ସମସ୍ୟା ଉପୁଜିବ ନାହିଁ-ମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3h0kGXj
No comments:
Post a Comment