ନୂଆଦିଲ୍ଲୀ: ଭାରତ ସମେତ ଏକାଧିକ ରାଷ୍ଟ୍ରରେ କରୋନା ବିରୋଧୀ ଟିକାକରଣ ଅଭିଯାନକୁ ଜୋରଦାର କରାଯାଇଛି। ହେଲେ ଭାରତ ଭାରତରେ ପ୍ରଥମେ ଠାବ ହୋଇଥିବା କରୋନାର ନୂଆ ରୂପ ଡେଲ୍ଟା ଭାରିଏଣ୍ଟ ତା’ର ରୂପ ବଦଳାଇବାରେ ଲାଗିଛି। ଡେଲ୍ଟା ଭାରିଏଣ୍ଟର ନୂଆ ରୂପ ଡେଲ୍ଟା ପ୍ଲସ ବା AY.01 ଭାରିଏଣ୍ଟ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଲାଣି।
ଭାରତରେ ଏହି ଭାରିଏଣ୍ଟରେ ଏକାଧିକ ଲୋକ ମଧ୍ୟ ସଂକ୍ରମିତ ହେବାରେ ଲାଗିଛନ୍ତି। ଏସବୁ ଭିତରେ ବିଶେଷଜ୍ଞମାନେ ସମସ୍ତଙ୍କୁ ନିରାଶ କରିବା ଭଳି ଖବର ଦେଇଛନ୍ତି। ନୂଆ ଗବେଷଣାରୁ ଜଣାପଡ଼ିଛି ଯେ କରୋନାର ଡେଲ୍ଟା ପ୍ଲସ ଭାରିଏଣ୍ଟ ଟିକାର ପ୍ରଭାବକୁ ମାତ ଦେଇବାକୁ ସକ୍ଷମ ହୋଇପାରେ।ସେହିପରି ଏହା ରୋଗ ପ୍ରତିରୋଧ ଶକ୍ତିକୁ ଦୁର୍ବଳ କରି ଜଣେ ବ୍ୟକ୍ତିଙ୍କୁ ସଂକ୍ରମିତ ମଧ୍ୟ କରିପାବାର ଆଶଙ୍କା ରହିଛି।
ଭାରତର ବରିଷ୍ଠ ଭାଇରୋଲଜିଷ୍ଟ ତଥା INSACOGର ପୂର୍ବତନ ସଦସ୍ୟ ପ୍ରଫେସର ଶାହିଦ ଜାମୀଲ ଆଶଙ୍କା କରିଛନ୍ତି ଯେ କରୋନାର ଡେଲ୍ଟା ପ୍ଲସ ଭାରିଏଣ୍ଟ ଟିକା ଦ୍ୱାରା ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତି ଓ ପୂର୍ବରୁ ସଂକ୍ରମିତ ହୋଇ ସୃଷ୍ଟି ହୋଇଥିବା ଆଣ୍ଟିବଡିକୁ ମାତ ଦେଇପାରେ। ଏହା ଲୋକଙ୍କ ରୋଗ ପ୍ରତିରୋଧକ ସିଷ୍ଟମକୁ ସଂକ୍ରମିତ କରିବାର ବି ଆଶଙ୍କା ରହିଛି। ଏହି ଭାରିଏଣ୍ଟ ଲୋକଙ୍କୁ ଟିକା ନେବା ପରେ ମଧ୍ୟ ସଂକ୍ରମିତ କରିପାରେ ବୋଲି ସେ ଆକଳନ କରିଛନ୍ତି।
ସେ କହିଛନ୍ତି, ଡେଲ୍ଟା ଭାରିଏଣ୍ଟ ମ୍ୟୁଟେସନ ହୋଇ ଡେଲ୍ଟା ପ୍ଲସ ତିଆରି ହୋଇଛି। ଏହା ପ୍ରକୃତ ଡେଲ୍ଟା ଭାରିଏଣ୍ଟ ଠାରୁ ଭିନ୍ନ। ଏଥିରେ କେ୪୧୭ଏନ ଭାରିଏଣ୍ଟ ରହିଛି, ଯାହା ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଠାବ ହୋଇଥିବା ବିଟା ଭାରିଏଣ୍ଟରେ ଦେଖିବାକୁ ମିଳୁଥିଲା। ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି ଯେ ଆଲଫା ଓ ଡେଲ୍ଟା ଭାରିଏଣ୍ଟ ତୁଳନାରେ କରୋନା ଟିକାକୁ ମାତ ଦେବାରେ ବିଟା ଭାରିଏଣ୍ଟ ଯଥେଷ୍ଟ ସକ୍ଷମ।
ଏହି କାରଣରୁ ଦକ୍ଷିଣ ଆଫ୍ରିକା ସରକାର ଆଷ୍ଟ୍ରାଜେନେକାର ଗୋଟିଏ କନସାଇନମେଣ୍ଟକୁ ଫେରାଇ ଦେଇଥିଲେ। ଆଷ୍ଟ୍ରାଜେନେକା ଟିକା କରୋନାର ବିଟା ଷ୍ଟ୍ରେନ ବିରୋଧରେ ଫଳପ୍ରଦ ହେଉନଥିବା ଦକ୍ଷିଣ ଆଫ୍ରିକା ସରକାର ସ୍ପଷ୍ଟ କରିଥିଲେ। ତେଣୁ ଡେଲ୍ଟା ପ୍ଲସରେ କେ୪୧୭ଏନ ଭାରିଏଣ୍ଟ ରହିଥିବାରୁ ଏହା ମଧ୍ୟ ଭାରତରେ ଉପଲବ୍ଧ ଟିକାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।
ପ୍ରଫେସର ଜାମୀଲ ଆହୁରି କହିଛନ୍ତି, ଡେଲ୍ଟା ପ୍ଲସ ଦ୍ରୁତ ଗତିରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରିବାର ପ୍ରମାଣ ଏଯାଏ ମିଳିନି। ଏହା ଉପରେ ଅଧିକ ଗବେଷଣା କରାଯାଉଛି। ଭାରତ ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର। ବର୍ତ୍ତମାନ ସୁଦ୍ଧା ୨୫ ହଜାର ନମୁନାର ଜିନୋମ ସିକ୍ୱେନ୍ସିଂ କରାଯାଇଥିବା ବେଳେ ୨୦ରୁ ୩୦ ଜଣ ଡେଲ୍ଟା ପ୍ଲସ ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି। ତେଣୁ ଏହା ବିଷୟରେ ଅଧିକ ତଥ୍ୟ ପାଇଁ ନମୁନାର ସିକ୍ୱେନ୍ସିଂ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
The post ଟିକାକୁ ମାତ୍ ଦେଇ ସଂକ୍ରମିତ କରିପାରେ କରୋନାର ଡେଲ୍ଟା ପ୍ଲସ ଭାରିଏଣ୍ଟ appeared first on Odisha Reporter.
from Odisha Reporter https://ift.tt/3wQWix4
No comments:
Post a Comment