ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ମୋଦି ସରକାର କାମ କରୁଥିବା ଦାବି କରାଯାଉଛି। ହେଲେ ବାସ୍ତବରେ ମୋଦି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ବଡ଼ବଡ଼ କର୍ପୋରେଟ୍ ହାଉସ ଲାଭବାନ ହେଉଥିବା ଦେଶର ୬୪.୪% ଲୋକ ମତ ଦେଇଛନ୍ତି। ଏବିପି-ସି ଭୋଟ ପକ୍ଷରୁ ମୋଦି ସରକାର ୨.୦କୁ ନେଇ କରାଯାଇଥିବା ସର୍ଭେରେ ଏପରି ତଥ୍ୟ ସାମ୍ନାକୁ ଆସିଛି।
ସର୍ଭେ ରିପୋର୍ଟରେ କୁହାଯାଇଛି ଯେ କେନ୍ଦ୍ର ସରକାର ଆପଣାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା କେବଳ ଶିଳ୍ପପତି ଓ କର୍ପୋରେଟ ହାଉସର ବ୍ୟକ୍ତିମାନେ ଆର୍ଥିକ ସ୍ତରରେ ଲାଭବାନ ହେଉଛନ୍ତି। ସହରାଞ୍ଚଳର ୬୧% ଲୋକ ଏଥିରେ ଏକମତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଗ୍ରାମାଞ୍ଚଳର ୬୫.୯% ଲୋକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା କର୍ପୋରେଟ ହାଉସ ଗୁଡ଼ିକ ଲାଭବାନ ହେଉଥିବା କଥା କହିଛନ୍ତି।
ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମୋଟ ୧୬.୨% ଲୋକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଛୋଟଛୋଟ ବ୍ୟବସାୟୀମାନେ ଲାଭାନ୍ୱିତ ହେଉଥିବା ମତଦେଇଛନ୍ତି। ସର୍ଭେରେ ସାମିଲ ହୋଇଥିବା ୭.୪% ଲୋକ କେନ୍ଦ୍ର ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଦ୍ୱାରା ଦରମାପ୍ରାପ୍ତ କର୍ମଚାରୀମାନେ ଆର୍ଥିକ ସ୍ତରରେ ଲାଭ ପାଉଥିବା କଥା କହିଛନ୍ତି। ସହରାଞ୍ଚଳରେ ଏହି ସଂଖ୍ୟା ୮.୬% ଥିବା ବେଳେ ଗ୍ରାମାଞ୍ଚଳରେ ଏହା ୬.୮% ରହିଛି। ଯାହା ଅତ୍ୟନ୍ତ ନିରାଶାଜନକ।
କେବଳ ୧୨% ଲୋକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଚାଷୀ ଓ ଶ୍ରମିକ ଗୋଷ୍ଠୀର ସଦସ୍ୟମାନେ ଲାଭବାନ ହେଉଥିବା କଥା କହିଛନ୍ତି। ସହରାଞ୍ଚଳରେ ରହୁଥିବା ୧୪.୨% ଲୋକ କେନ୍ଦ୍ର ସରକାରଙ୍କ ଯୋଜନା ଚାଷୀ ଓ ଶ୍ରମିକଙ୍କୁ ଆର୍ଥିକ ସ୍ତରରେ ସୁଦୃଢ଼ କରିଥିବା କଥା କହୁଥିବା ବେଳେ ଗ୍ରାମାଞ୍ଚଳର ୧୧.୧% ଲୋକ ସମାନ କଥା କହିଛନ୍ତି।
ଏବିପି-ସି ଭୋଟର ପକ୍ଷରୁ ମେ’ ୨୩ରୁ ୨୭ ଯାଏ ଦେଶର ବିଭିନ୍ନ ପ୍ରାନ୍ତରେ ସର୍ଭେ କରାଯାଇ ମତାମତ ସଂଗ୍ରହ କରାଯାଇଥିଲା। ଏହାପରେ ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇଛି।
The post ମୋଦି ସରକାରଙ୍କ ଯୋଜନା ଦ୍ୱାରା ଲାଭବାନ ହେଉଛନ୍ତି ଶିଳ୍ପପତି! appeared first on Odisha Reporter.
from Odisha Reporter https://ift.tt/3yLGe0K
No comments:
Post a Comment