ନୂଆଦିଲ୍ଲୀ: ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ପକ୍ଷରୁ ୨୫.୮୩ ଟିକାର ଡୋଜ୍ ପଠାଯାଇ ସାରିଛି। ଆସନ୍ତା ୩ ଦିନ ମଧ୍ୟରେ ଆଉ ୧୦ ଲକ୍ଷ ଡୋଜ୍ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପଠାଯିବ। ଏ ସମ୍ପର୍କରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସରକାର ଦେଇଥିବା ସୂଚନା ଅନୁଯାୟୀ, ଏଯାଏ କେନ୍ଦ୍ର ଓ ରାଜ୍ୟମାନଙ୍କ କୋଟାରୁ ମୋଟ ୨୫,୮୭,୪୧,୮୧୦ ଡୋଜ ରାଜ୍ୟମାନଙ୍କୁ ପଠାଯାଇଛି। ଅପଚୟକୁ ମିଶାଇ ମୋଟ ୨୪,୭୬,୫୮,୮୫୫ ଡୋଜ୍ ଟିକା ଲୋକଙ୍କୁ ଦିଆଯାଇଛି। ଏବେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଖରେ ୧,୧୨,୪୧,୧୮୭ କରୋନା ଟିକାର ଡୋଜ୍ ଉପଲବ୍ଧ ରହିଛି।
ପାଇପ ଲାଇନରେ ଆଉ ୧୦,୮୭,୩୦୦ ଡୋଜ୍ ରହିଛି। ଏଗୁଡ଼ିକୁ ୩ ଦିନ ମଧ୍ୟରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ପଠାଯିବ। ଏବେ ଟିକାର କୌଣସି ଅଭାବ ନାହିଁ। କିନ୍ତୁ ରାଜ୍ୟ ସରକାରମାନେ ଟିକାର ଅପଚୟ ଉପରେ ଦୃଷ୍ଟି ଦିଅନ୍ତୁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଣଳୟ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଆସନ୍ତା ୨୧ ତାରିଖରୁ ଦେଶର ସବୁ ନାଗରିକଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି। ଟିକା ଉତ୍ପାଦନକାରୀ କମ୍ପାନୀ ଠାରୁ କେନ୍ଦ୍ର ସରକାର ୭୫% ଟିକା କିଣିବେ ଓ ଏହାକୁ ମାଗଣାରେ ରାଜ୍ୟଗୁଡ଼ିକ ପାଖକୁ ପଠାଇବେ।
ବାକି ୨୫% ଘରୋଇ ହସ୍ପିଟାଲଗୁଡ଼ିକ କିଣି ଲୋକଙ୍କ ଟିକାକରଣ କରିପାରିବେ। କେଉଁ ଟିକାର ଡୋଜ ପିଛା ମୂଲ୍ୟ କେତେ ହେବ ସେକଥା ମଧ୍ୟ ମନ୍ତ୍ରଣାଳୟ ଘୋଷଣା କରିସାରିଛି। ଘରୋଇ ହସ୍ପିଟାଲ ଗୁଡ଼ିକରେ କୋଭିସିଲ୍ଡ ଟିକାର ଡୋଜ୍ ପିଛା ଦାମ ୭୮୦ ଟଙ୍କା ରହିଥିବା ବେଳେ ସ୍ପୁଟନିକ ଭିର ଦାମ ୧୧୪୫ ଓ କୋଭାକ୍ସିନ ଟିକାର ଦାମ ୧୪୧୦ ଟଙ୍କା ଧାର୍ଯ୍ୟ କରାଯାଇଛି।
The post ୩ ଦିନ ଭିତରେ ଆଉ ୧୦ ଲକ୍ଷ ଟିକା ପଠାଇବ କେନ୍ଦ୍ର appeared first on Odisha Reporter.
from Odisha Reporter https://ift.tt/3zjMcWZ
No comments:
Post a Comment