ଐଜାୱଲ(ମିଜୋରାମ): ଦେଶର ଏକାଧିକ ରାଜ୍ୟ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ମିଜୋରାମ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ସେ ଜନସଂଖ୍ୟା ବୃଦ୍ଧି କରିବାକୁ ଲୋକମାନଙ୍କୁ ଉତ୍ପାହିତ କରିବା ସହ ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି।
ଯେଉଁ ବାପା ମା’ଙ୍କର ସର୍ବାଧିକ ପିଲା ଥିବେ ସେମାନଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ମନ୍ତ୍ରୀ ଜଣଙ୍କ କହିଛନ୍ତି। ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ରବର୍ଟ ରୋମାୱିଅ ରୟତେ ଏହି ଘୋଷଣା କରିଛନ୍ତି। ସେହିପରି ଏହି ନିୟମ କେବଳ ତାଙ୍କ ନିର୍ବାଚନ ମଣ୍ଡଳୀରେ ଲାଗୁ ହେବ। ତେବେ ସେ ପିଲାଙ୍କ ସଂଖ୍ୟା ସ୍ପଷ୍ଟ ଭାବେ କିଛି ବି କହିନାହାନ୍ତି।
ରବିବାର ବିଶ୍ୱ ପିତୃତ୍ୱ ଦିବସରେ ଶ୍ରୀ ରୟତେ କହିଛନ୍ତି, ଐଜାୱଲ ଇଷ୍ଟେଟ-୨ ନିର୍ବାଚନ ମଣ୍ଡଳରେ ଯେଉଁ ବାପା କିମ୍ବା ମା’ଙ୍କର ଅଧିକ ସଂଖ୍ୟକ ପିଲା ରହିଛନ୍ତି ସେମାନଙ୍କୁ ମୋ ତରଫରୁ ୧ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ଉକ୍ତ ବ୍ୟକ୍ତି କିମ୍ବା ମହିଳାଙ୍କୁ ଟ୍ରଫି ସହ ମାନପତ୍ର ମଧ୍ୟ ଦିଆଯିବ ବୋଲି ସେ କହିଛନ୍ତି।
ଏହି ୧ ଲକ୍ଷ ଟଙ୍କା ଶ୍ରୀ ରୟତେଙ୍କ ପୁଅଙ୍କ ମାଲିକାନାରେ ଥିବା ଗୋଟିଏ କମ୍ପାନୀ ପ୍ରଦାନ କରିବ। ମିଜୋ ଜନସଂଖ୍ୟାରେ ହ୍ରାସ ପାଇବା ସହ ଜନ୍ମହାର କମିବା ଚିନ୍ତା ଜନକ ବୋଲି ମଧ୍ୟ ସେ କହିଛନ୍ତି। ଶ୍ରୀ ରୟେତ ଆହୁରି କହିଛନ୍ତି, “ବିକାଶ ମୂଳକ କ୍ଷେତ୍ରରେ ମିଜୋରାମ ଲୋକଙ୍କ ସଂଖ୍ୟା ବହୁତ କମ। ଏହାର କାରଣ ହେଉଛି ଜସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବା। ଜନସଂଖ୍ୟା ହ୍ରାସ ପାଇବା ଚିନ୍ତାର ବିଷୟ। ବିଶେଷ କରି ମିଜୋଙ୍କ ଭଳି ଛୋଟ ସଂପ୍ରଦାୟ ବା ଆଦିବାସୀଙ୍କ ବିକାଶ କ୍ଷେତ୍ରରେ ମଧ୍ୟ ଏହା ବାଧକ ସାଜିବାରେ ଲାଗିଛି।” ଜନସଂଖ୍ୟା ବୃଦ୍ଧି କରିବାକୁ ସେ ମଧ୍ୟ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
୨୦୧୧ ଜନଗଣନା ଅନୁଯାୟୀ, ମିଜୋରାମର ଜନସଂଖ୍ୟା ୧,୦୯୧,୦୧୪ ରହିଛି। ୨୧,୦୮୭ ସ୍କୋୟାର କିମି ଅଞ୍ଚଳରେ ଥିବା ମିଜୋରାମରେ ଦିନକୁ ଦିନ ଜନସଂଖ୍ୟା ହ୍ରାସ ପାଉଛି। ପ୍ରତି ବର୍ଗ କିମିରେ ହାରାହାରି ୫୨ ଜଣ ଲୋକ ରହୁଛନ୍ତି। ଦେଶର ଜାତୀୟ ହାର ୩୮୨ ଥିବା ବେଳେ ମିଜୋରାମରେ ସ୍ଥିତି ଚିନ୍ତା ଜନକ। ମିଜୋରାମ ଠାରୁ ଆଗରେ ଅରୁଣାଚଳ ପ୍ରଦେଶ ରହିଛି। ଏଠାରେ ପ୍ରତି ବର୍ଗ କିମିରେ ୧୭ ଜଣ ଲୋକ ରହୁଛନ୍ତି।
ଅନ୍ୟପକ୍ଷରେ ମିଜୋରାମର ପଡ଼ୋଶୀ ଆସାମରେ କିନ୍ତୁ ଓଲଟା ନିୟମ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଯୋଜନା କରିଛନ୍ତି। ୨ ସନ୍ତାନ ପଲିସି ରାଜ୍ୟରେ ଲାଗୁ କରି ଅଧିକ ପିଲା ଜନ୍ମ କରିଥିବା ବାପା ମା’ଙ୍କୁ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ କରିବାକୁ ବ୍ୟବସ୍ଥା କରାଯିବ ବୋଲି ସରକାରୀ ସ୍ଥରରେ ବିଚାର ଚାଲିଛି।
The post ମନ୍ତ୍ରୀଙ୍କ ବଡ଼ ଘୋଷଣା: ଅଧିକ ସଂଖ୍ୟକ ପିଲା ଜନ୍ମ କଲେ ମିଳିବ ୧ ଲକ୍ଷ ଟଙ୍କା appeared first on Odisha Reporter.
from Odisha Reporter https://ift.tt/3j25N8f
No comments:
Post a Comment