ଲକ୍ଷ୍ନୌ: ବିଶ୍ୱ ହିନ୍ଦୁ ପରିଷଦର ନେତା ତଥା ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ ଚମ୍ପତ ରାୟଙ୍କ ବିରୋଧରେ ଜମି ଦୁର୍ନୀତି ଅଭିଯୋଗ ଆଣିଥିବା ଜଣେ ସାମ୍ବାଦିକ ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଉତ୍ତର ପ୍ରଦେଶର ବିଜନୋର ପୁଲିସ୍ ବିଭିନ୍ନ ଦଫାରେ ମାମଲା କରିଛି। ଚମ୍ପତ ରାୟଙ୍କ ଭାଇ ପୁଲିସ୍ର ଅଭିଯୋଗ କରିବା ପରେ ୩ ଜଣଙ୍କ ନାଁରେ ମାମଲା ହୋଇଛି। ଚମ୍ପତି ରାୟ ପୂର୍ବରୁ ଅଯୋଧ୍ୟାରେ ଜମି କିଣାରେ ଦୁର୍ନୀତି ଅଭିଯୋଗକୁ ନେଇ ମଧ୍ୟ ବିବାଦରେ ରହିଛନ୍ତି।
ଏବେ ବିଜନୋରରେ ଚମ୍ପତି ରାୟ ଓ ତାଙ୍କ ଭାଇଙ୍କ ବିରୋଧରେ ଜମି ଦୁର୍ନୀତି ଅଭିଯୋଗ ଆସିଛି। ହେଲେ ପ୍ରାଥମିକ ତଦନ୍ତ କରି ବିଜନୋର ପୁଲିସ ମୁଖ୍ୟ ତୁରନ୍ତ ଶ୍ରୀ ରାୟ ଓ ତାଙ୍କ ଭାଇଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ଏହାପରେ ରାୟଙ୍କ ଭାଇ ସଞ୍ଜୟ ବଂଶଲ ସାମ୍ବାଦିକ ଭୀନିତ ନାରାଇନଙ୍କ ସହ ଅଳକା ଲାହୋତି ଓ ରଜନୀଶ ନାମକ ଦୁଇ ଜଣ ବ୍ୟକ୍ତିଙ୍କ ନାଁରେ ପୁଲିସ୍ରେ ଅଭିଯୋଗ କରିଛନ୍ତି। ଏହାକୁ ଆଧାର କରି ପୁଲିସ୍ ମାମଲା ରୁଜୁ କରିଛି।
୩ ଅଭିଯୁକ୍ତ ଶ୍ରୀ ରୟଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି ଓ ଏହି ପ୍ରକ୍ରିୟା ଦ୍ୱାରା କୋଟିକୋଟି ହିନ୍ଦୁଙ୍କ ଭାବାବେଗକୁ ଆଘାତ କରିବାକୁ ଚେଷ୍ଟା କରାଯାଇଥିବା ସଞ୍ଜୟ ନିଜ ଅଭିଯୋଗରେ ଦର୍ଶାଇଛନ୍ତି।
୩ ଦିନ ତଳେ ସାମ୍ବାଦିକ ଭୀନିତ ତାଙ୍କ ଫେସବୁକରେ ଗୋଟିଏ ପୋଷ୍ଟ କରିଥିଲେ। ଏଥିରେ ସେ ଶ୍ରୀ ରାୟ ଓ ତାଙ୍କ ଭାଇ ଜୋରଜବରଦସ୍ତ ଗୋଟିଏ ଜମିକୁ ହଡ଼ପ କରିଥିବା କହିଥିଲେ। ଏନଆରଆଇ ଅଳକାଙ୍କ ନାଁରେ ଥିବା ୨୦,୦୦ ସ୍କୋୟାର ମିଟର ଜମିକୁ ଦଖଲ କରିବାରେ ଶ୍ରୀ ରାୟ ତାଙ୍କ ଭାଇଙ୍କୁ ସହଯୋଗ କରିଛନ୍ତି। ଅଳକା ୨୦୧୮ ମସିହାରୁ ଏ ବିବାଦରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହଯୋଗ ଲୋଡ଼ିଥିଲେ ହେଁ ତାଙ୍କୁ କୌଣସି ସୁଫଳ ମିଳିନାହିଁ ବୋଲି ସେ ଅଭିଯୋଗ କରିଥିଲେ।
ତେବେ ସଞ୍ଜୟ ବଂଶଲ ତାଙ୍କ ଅଭିଯୋଗରେ କହିଛନ୍ତି, ଏହି ପୋଷ୍ଟ ପରେ ସେ ସାମ୍ବାଦିକ ଭୀନିତଙ୍କ ନମ୍ବର ସଂଗ୍ରହ କରି ସମସ୍ତ ଦ୍ୱନ୍ଦ୍ୱ ଦୂର କରିବାକୁ ଫୋନ କରିଥିଲେ। ହେଲେ ରଜନୀଶ ନାମକ କେହି ଜଣେ ବ୍ୟକ୍ତି ଫୋନ ଉଠାଇବା ସହ ତାଙ୍କୁ ଗାଳିଗୁଲଜ କରିଥିଲେ। ଏଥିସହ ସେ ତାଙ୍କୁ ମାରିଦେବାକୁ ଧମକ ମଧ୍ୟ ଦେଇଥିବା ସେ ପୁଲିସକୁ କହିଛନ୍ତି।
ବିଜନୋର ପୁଲିସ୍ ମୁଖ୍ୟ ଡା ଧର୍ମବୀର ସିଂହ କହିଛନ୍ତି, ସ୍ଥାନୀୟ ପୁଲିସ୍ ସବୁ ଅଭିଯୋଗର ତଦନ୍ତ କରୁଛି। ଚମ୍ପତ ରାୟଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ତଦନ୍ତ ହୋଇଥିଲା। ପ୍ରାଥମିକ ତଦନ୍ତ ପରେ ଏହା ଭିତ୍ତିହୀନ ବୋଲି ଜଣାପଡ଼ିଛି। ଆମେ ସବୁ ପ୍ରକାରର ବିଷୟକୁ ଧ୍ୟାନରେ ରଖି ତଦନ୍ତ କରୁଛୁ ବୋଲି ସେ କହିଛନ୍ତି।
The post ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣିଥିବା ସାମ୍ବାଦିକଙ୍କ ନାଁରେ ମାମଲା appeared first on Odisha Reporter.
from Odisha Reporter https://ift.tt/3qd932k
No comments:
Post a Comment