ନୂଆଦିଲ୍ଲୀ: କ୍ରିକେଟର ସବୁ ଫର୍ମାଟରେ ଜବରଦସ୍ତ ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ। ଏହା ସତ୍ତ୍ୱେ ୨୦୧୩ରୁ ଆଇସିସିର କୌଣସି ବଡ଼ ଇଭେଣ୍ଟରେ ଟ୍ରଫି କରାୟାତ କରିବାକୁ ସକ୍ଷମ ହୋଇନି ମେନ୍ ଇନ୍ ବ୍ଲୁ। ୨୦୧୩ରେ ଶେଷ ଥର ପାଇଁ ଇଂଲଣ୍ଡରେ ଚାମ୍ପିୟନଶିପ୍ ଟ୍ରଫି ଜିତିଥିଲା ଭାରତ।
ଏହାପରେ ଏକାଧିକ ବଡ଼ ଟୁର୍ଣ୍ଣାମେଣ୍ଟର ଫାଇନାଲ ଓ ସେମି ଫାଇନାଲକୁ ଯାଇ ମଧ୍ୟ ଦଳକୁ ନିରାଶ ହେବାକୁ ପଡ଼ିଛି। ୨୦୧୯ ବିଶ୍ୱକପ ସେମି ଫାଇନାଲ ଠାରୁ ଆରମ୍ଭ କରି ୨୦୧୪ ଟି-୨୦ ବିଶ୍ୱକପ ଫାଇନାଲ, ସବୁଥିରେ ଦଳ ଭଲ ପ୍ରଦର୍ଶନ କରି ମଧ୍ୟ ବିଜୟ ମୁଣ୍ଡି ମାରିବାକୁ ସକ୍ଷମ ହୋଇନି।
ଏହା ପଛର କାରଣ କ’ଣ ହୋଇପାରେ? କାହିଁକି ମେଗା ଇଭେଣ୍ଟରେ ବିଜୟ ହାସଲ କରିପାରୁନି ଭାରତୀୟ ଟିମ? ଏହାକୁ ନେଇ ସବୁବେଳେ ଆଲୋଚନା ଓ ପର୍ଯ୍ୟାୟ ଲୋଚନା ଚାଲିଛି। ଆସନ୍ତାକାଲି ଠାରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଆରମ୍ଭ ହେବ। କ’ଣ ଏଥିରେ ଭାରତ ତା’ର ଭାଗ୍ୟ ବଦଳାଇ ପାରିବ?
ଭାଗ୍ୟ ବଦଳାଇବା ଲକ୍ଷ୍ୟରେ ବିରାଟ କୋହଲି
ଆସନ୍ତାକାଲି ଠାରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ୍ ଖେଳିବାକୁ ଟିମ୍ ଇଣ୍ଡିଆ ମୈଦାନକୁ ଓହ୍ଲାଇବ। ୨୦୧୩ରୁ ଲାଗି ରହିଥିବା ନିରାଶା ଭାବକୁ ଦୂର କରି ବିରାଟ କୋହଲି ପ୍ରଥମଥର ଆଇସିସି ଟ୍ରଫି କବଜା କରିବା ଲକ୍ଷ୍ୟରେ ରହିବେ। ଶୁକ୍ରବାରଠାରୁ ସ୍ଥାନୀୟ ଏଜିସ୍ ବାୱେଲ ଷ୍ଟାଡିୟମ୍ରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହି ମ୍ୟାଚ୍ ଆରମ୍ଭ ହେବ।
ସବୁ ଆଇସିସି ଇଭେଣ୍ଟ ଭଳି ଏଥିରେ ମଧ୍ୟ ଟିମ ଇଣ୍ଡିଆ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହି ଫାଇନାଲ ଟିକେଟ ହାସଲ କରିଛି। ହେଲେ ଫାଇନାଲରେ କ’ଣ ହେବ ସେକଥା ଏବେଠାରୁ କହିବା ମୁସ୍କିଲ। ବିରାଟ କୋହଲିଙ୍କ କ୍ୟାପ୍ଟେନଶିପ୍ରେ ଏଯାଏ ଭାରତୀୟ ଦଳ ଗୋଟିଏ ହେଲେ ବି ଆଇସିସି ଟ୍ରଫି ଜିତି ନାହିଁ।
୨୦୧୭ ଚାମ୍ପିୟନଶିପ ଟ୍ରଫିରେ ଭାରତ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଫାଇନାଲରେ ଭେଟିଥିଲା। ହେଲେ ଏଥିରେ ଦଳ ଆଶ୍ଚର୍ଯ୍ୟଜନକ ଭାବେ ପରାସ୍ତ ହୋଇଥିଲା। ୨୦୧୯ ଦିନିକିଆ ବିଶ୍ୱକପ ସେମି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରି ଭାରତ ଅଭିଯାନ ଶେଷ କରିଥିଲା। ଏବେ ସେହି ନ୍ୟୁଜିଲ୍ୟାଣ୍ଡକୁ କ୍ରିକେଟର ସବୁଠାରୁ ଲମ୍ବା ଫର୍ମାଟର ଫାଇନାଲରେ ବିରାଟ ବାହିନୀ ଭେଟିବାକୁ ଯାଉଛି। ସମସ୍ତଙ୍କର ଆଶା ଭାରତ ବିରାଟଙ୍କ ନେତୃତ୍ୱରେ ପ୍ରଥମ ଟ୍ରଫି ଜିତିବ।
ନ୍ୟୁଜିଲ୍ୟାଣ୍ଡର ଆତ୍ମ ବିଶ୍ୱାସ ଦୃଢ଼
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପୂର୍ବରୁ ଟିମ ଇଣ୍ଡିଆ ଜୋରଦାର ପ୍ରସ୍ତୁତି କରିଛି। ହେଲେ ଇଂଲଣ୍ଡ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୦ରେ ଜିତି ନ୍ୟୁଜିଲ୍ୟାଣ୍ଡ ଫାଇନାଲ ପୂର୍ବରୁ ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛି। ଏଥିସହ ଇଂଲଣ୍ଡକୁ ତା’ରି ମାଟିରେ ହରାଇ ନ୍ୟୁଜିଲାଣ୍ଡର ଆତ୍ମବିଶ୍ୱାସ ସୁଦୃଢ଼ ହୋଇଛି।
ପୂର୍ବରୁ ଭାରତ ଟେଷ୍ଟ ମାନ୍ୟତାର ୧ନଂ ସ୍ଥାନରେ ଥିଲା। ହେଲେ ଇଂଲଣ୍ଡକୁ ହରାଇ ନ୍ୟୁଜିଲ୍ୟାଣ୍ଡ ଏହି ସ୍ଥାନ ହାସଲ କରିବା ସହ ଭାରତକୁ ପରୋକ୍ଷରେ କଡ଼ା ଚ୍ୟାଲେଞ୍ଜ ଦେଇଛି। ଦଳ ପାଖରେ କେନ ୱିଲିୟମସନ ଠାରୁ ଆରମ୍ଭ କରି ଟ୍ରେଣ୍ଟ ବୋଲ୍ଟ ଓ ମ୍ୟାଟ ହେନରୀଙ୍କ ଭଳି ଖେଳାଳି ରହିଛନ୍ତି।
ବୋଲ୍ଟ ଓ ହେନରୀ ବିଶ୍ୱକବ ସେମି ଫାଇନାଲରେ ଭାରତୀୟ ବ୍ୟାଟିଂ ଲାଇନ ଅପ୍କୁ ସେହି ଇଂଲଣ୍ଡରେ ଛିନଛତ୍ର କରି ଦେଇଥିଲେ। ଏବେ ଏହାର ପୁନରାବୃତ୍ତି କରିବାକୁ ଦଳ ବେଶ ଆଶାବାଦୀ।
ରୋଡ ଟୁ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ
ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏହି ଫାଇନାଲ ମୁକାବିଲା ବେଶ ମହତ୍ତ୍ୱପୂର୍ଣ୍ଣ। କାରଣ ଟିମ୍ ଇଣ୍ଡିଆ ତାଙ୍କ ନେତୃତ୍ୱରେ ଅନେକ ସଫଳତା ପାଇଛି। ହେଲେ କେବେ ବି ଆଇସିସି ଟ୍ରଫି ଜିତି ପାରିନି। ତାଙ୍କ ନେତୃତ୍ୱରେ ଦଳ ଗୋଟିଏ ଥର ଫାଇନାଲ ଓ ଗୋଟିଏ ଥର ସେମି ଫାଇନାଲ ଯାଇଥିଲେ ମଧ୍ୟ ଟ୍ରଫି ହାତେଇ ପାରିନି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ରେ ଟିମ୍ ଇଣ୍ଡିଆ ୧୭ ଟେଷ୍ଟ୍ ଖେଳି ୧୨ଟିରେ ବିଜୟ ଓ ମାତ୍ର ୪ଟିରେ ପରାଜିତ ହୋଇଛି।
ଏହି ୪ଟି ପରାଜୟ ମଧ୍ୟରୁ ନ୍ୟୁଜିଲ୍ୟାଣ୍ଡ ଠାରୁ ଭାରତ ୨ଟିରେ ହାରିଥିବା ବେଳେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଠାରୁ ଗୋଟିଏ ଲେଖାଏ ମ୍ୟାଚ୍ରେ ପରାସ୍ତ ହୋଇଛି। ୨୦୧୯ରେ ଟିମ ଇଣ୍ଡିଆ ପ୍ରଥମେ ୱେଷ୍ଟଇଣ୍ଡିଜକୁ ତା’ରି ମାଟିରେ ୨-୦ରେ ହରାଇଥିଲା। ଏହାପରେ ଦକ୍ଷିଣ ଆଫ୍ରିକାକୁ ୩-୦ ଓ ବାଂଲାଦେଶକୁ ୨-୦ରେ ହରାଇଥିଲା।
କିନ୍ତୁ ନ୍ୟୁଜିଲ୍ୟାଣ୍ଡରେ ଦଳ ୨-୦ରେ ପରାସ୍ତ ହୋଇଥିଲା। ଅଷ୍ଟ୍ରେଲିଆରେ କଙ୍ଗାରୁ ଟିମକୁ ୨-୧ରେ ହରାଇ ଜବରବଦସ୍ତ କମବ୍ୟାକ କରିଥିଲା। ନିକଟରେ ଇଂଲଣ୍ଡକୁ ୩-୧ରେ ହରାଇ ଦଳ ଫାଇନାଲ ଖେଳିବାକୁ ଟିକେଟ ହାସଲ କରିଛି। ତେବେ ମାର୍ଚ୍ଚ ମାସ ପରଠାରୁ ବିରାଟ ବାହିନୀ ଟେଷ୍ଟ କ୍ରିକେଟ ଖେଳିନାହିଁ। ତେଣୁ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟେଷ୍ଟ ଫାଇନାଲ ଖେଳିବା ନିଶ୍ଚିତ ଦଳ ପାଇଁ ସହଜ ହେବନି।
ନକଆଉଟରେ ବିରାଟଙ୍କ ଆଭରେଜ ମାତ୍ର ୧୨.୧୬
ଆଇସିସିର ନକଆଉଟ ଇଭେଣ୍ଟରେ ବିରାଟ କୋହଲିଙ୍କ ପ୍ରଦର୍ଶନ ବେଶ ନିରାଶାଜନକ ରହିଛି। ଏହାର ଉଦାହାରଣ ୨୦୧୭ ଆଇସିସି ଚାମ୍ପିୟନଶିପ ଟ୍ରଫି ଓ ୨୦୧୯ ବିଶ୍ୱକପ ସେମି ଫାଇନାଲରେ ଦେଖିବାକୁ ମିଳିଛି। ସେମି ଫାଇନାଲରେ ବିରାଟ ମାତ୍ର ୬ଟି ବଲରେ ୧ ରନ୍ କରି ଟ୍ରେଣ୍ଟ ବୋଲ୍ଟ ବଲରେ ଆଉଟ ହୋଇଥିଲେ।
ତୃତୀୟ ଥର ପାଇଁ ବିରାଟ ବିଶ୍ୱକପ ସେମି ଫାଇନାଲରେ ଫେଲ ମାରିଥିଲେ। ୨୦୧୧ରେ ପାକିସ୍ତାନ ବିପକ୍ଷ ସେମି ଫାଇନାଲରେ ସେ ୧୧ ରନ କରିଥିବା ବେଳେ ୨୦୧୫ରେ କେବଳ ୧ ରନ୍ କରିବାକୁ ସକ୍ଷମ ହୋଇଥିଲେ। ୨୦୧୧ ଅଷ୍ଟ୍ରେଲିଆ ବିପକ୍ଷ କ୍ୱାର୍ଟର ଫାଇନାଲରେ ବିରାଟ ୩୩ ବଲ ଖେଳି ୨୪ ରନ୍ କରିପାରିଥିଲେ। ତଥାପି ୨୦୧୧ରେ ଭାରତ ଫାଇନାଲରେ ପ୍ରବେଶ କରି ବିଶ୍ୱ ବିଜେତା ହୋଇଥିଲା। ଫାଇନାଲରେ ବିରାଟ କେବଳ ୩୫ ରନ୍ କରିଥିଲେ।
୨୦୧୫ ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଭାରତ ପ୍ରତିପକ୍ଷ ବାଂଲାଦେଶକୁ ପରାସ୍ତ କରିଥିଲା। ଏହି ମ୍ୟାଚରେ ମଧ୍ୟ ବିରାଟଙ୍କ ବ୍ୟାଟ ଆଦୌ ଚାଲି ନଥିଲା। ସେ ୮ଟି ବଲର ସମ୍ମୁଖୀନ ହୋଇ ୩ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଏଯାଏ ବିରାଟ ବିଶ୍ୱକପର ୬ଟି ନକଆଉଟ ମ୍ୟାଚ୍ ଖେଳି ୭୬ ରନ୍ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୧୨.୧୬ ଥିବାବେଳେ ଷ୍ଟ୍ରାଇକ ରେଟ ମାତ୍ର ୫୬.୧୫ ରହିଛି।
ଖାଲି ବିଶ୍ୱକପ ନୁହେଁ, ୨୦୧୭ ଆଇସିସି ଚାମ୍ପିୟନଶିପ ଟ୍ରଫି ଫାଇନାଲରେ ବିରାଟ ସମସ୍ତଙ୍କୁ ନିରାଶ କରିଥିଲେ। ସେ ପାକିସ୍ତାନ ବିପକ୍ଷ ଫାଇନାଲରେ ୫ ରନ କରିବାକୁ ସକ୍ଷମ ହୋଇଥିଲେ। ତେବେ ଟି-୨୦ ବିଶ୍ୱକପର ନକଆଉଟ ପର୍ଯ୍ୟାୟରେ ବିରାଟ ଭଲ ପ୍ରଦର୍ଶନ କରିଛନ୍ତି।
ଆଇସିସି ଇଭେଣ୍ଟରେ ଅଧିକ ଚାପ ଅନୁଭବ କରୁଛି କି ଭାରତ
୨୦୧୩ ପରଠାରୁ କାହିଁକି ଟିମ୍ ଇଣ୍ଡିଆ ଆଇସିସିର କୌଣସି ବଡ଼ ଟ୍ରଫି ଜିତି ପାରୁନି? ଏହାକୁ ନେଇ ଅନେକ କଥା ସାମ୍ନାକୁ ଆସୁଛି। କିଏ କହୁଛି ଟିମ ଇଣ୍ଡିଆ ନକଆଉଟରେ ଅଧିକ ଚାପ ଅନୁଭବ କରୁଛି ତ ଆଉ କିଏ ଓଭର କନଫିଡେନ୍ସ ପାଇଁ ଏପରି ଘଟୁଛି। ପୂର୍ବତନ କ୍ରିକେଟର ଦୀପ ଦାସଗୁପ୍ତ ନିକଟରେ କହିଛନ୍ତି, ଭାରତ ଫାଇନାଲ ଓ ସେମି ଫାଇନାଲରେ ବୋଧେ ଅଧିକ ଚିନ୍ତା କରୁଥିବାରୁ ଦଳକୁ ପରାଜୟ ସାମ୍ନାକୁ କରିବାକୁ ପଡ଼ୁଛି।
୨୦୧୩ ପରଠାରୁ ଭାରତ କୌଣସି ଆଇସିସି ଇଭେଣ୍ଟ ଜିତିନି। ଶେଷଥର ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଦଳ ଇଂଲଣ୍ଡରେ ଆଇସିସି ଚାମ୍ପିୟନଶିପ ଟ୍ରଫି ଜିତିଥିଲା। ଏହାର କାରଣ କିଛି ଖାସ ନୁହେଁ। ତଥାପି ଟିମ୍ ଇଣ୍ଡିଆ ଅଧିକ ଚାପ ନେଉଥିବାରୁ ଏପରି ଘଟୁଛି ବୋଲି ସେ କହିଛନ୍ତି।
The post ୨୦୧୩ ପରେ ଆଇସିସି ଟ୍ରଫି ଜିତିନି ଭାରତ, କ’ଣ ଭାଗ୍ୟ ବଦଳାଇପାରିବେ ବିରାଟ? appeared first on Odisha Reporter.
from Odisha Reporter https://ift.tt/3xk8LsS
No comments:
Post a Comment