ଉଦଳା (ମାନସ ପାଣି): ବିଜେପି ଯୁବ ନେତାଙ୍କୁ ପିଟିପିଟି ହତ୍ୟା। ତାହା ପୁଣି ଶ୍ୱଶୁର ଘର ସାମ୍ନାରେ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୂଆସାହି ଅଞ୍ଚଳରେ। ମୃତ ଯୁବନେତାଙ୍କ ନାଁ ରଞ୍ଜିତ ପ୍ରଧାନ। ସେ ବିଜେପିର ବାଲେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚାର ପ୍ରଭାରୀ ଥିଲେ।
ଗତକାଲି ବିଳମ୍ବିତ ରାତିରେ ରଞ୍ଜିତ ନୂଆସାହି ସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଆସିଥିଲେ। ଶ୍ୱଶୁରଙ୍କ ଘର ସମ୍ମୁଖ ରାସ୍ତାରେ କାର୍କୁ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ନେଉଥିବା ବେଳେ ଦୁଇଟି ବାଇକ୍ରେ ଚାରି ଜଣ ଯୁବକ ଆସି ତାଙ୍କୁ ଅଟକାଇ ଥିଲେ। ଇଣ୍ଡିକେଟର ନ ଦେଇ କାହିଁକି ସାଇଡ୍ ମାରିଲ ବୋଲି କହି ସେମାନେ ରଞ୍ଜିତଙ୍କୁ କାର ଭିତରୁ ଟାଣି ନେଇ ଅତି ନିର୍ଦ୍ଦୟ ଭାବେ ପିଟିଥିଲେ। ପାଟିତୁଣ୍ଡ ଶୁଣି ରଞ୍ଜିତଙ୍କ ଶ୍ୱଶୁର ଘର ଲୋକେ ସେଠାରେ ପହଞ୍ଚିଲା ବେଳକୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ରଞ୍ଜିତ ଚେତାଶୂନ୍ୟ ହୋଇଯାଇଥିବା ବେଳେ ଶ୍ୱଶୁର ଘର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନା ନେଇ ଯାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାରେ କପ୍ତିପଦା ପୁଲିସ୍ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
ରଞ୍ଜିତଙ୍କ ଶାଳକ ପୃଥ୍ୱୀରାଜ ପାତ୍ର କହିଛନ୍ତି, ଏହି ଘଟଣା ଆମ ଘର ସମ୍ମୁଖରେ ଘଟିଥିଲା। ଆମେ ସେତେବେଳେ ଘର ଭିତରେ ଥିଲୁ। କିନ୍ତୁ ଆମ ଘର ସାମ୍ନାରେ ଭଡ଼ାରେ ରହୁଥିବା ଲୋକଙ୍କ କହିବା ଅନୁଯାୟୀ, ଭିଣୋଇ ଆମ ଘରକୁ ଟର୍ଣ୍ଣ କଲା ବେଳକୁ ଅଭିଯୁକ୍ତ ମାନେ ଭଡ଼ରା ଛକ ଆଡୁ ଆସୁଥିଲେ। ମୋ ଭିଣୋଇଙ୍କର କୌଣସି ଭୁଲ୍ ନଥିଲେ ବି ସେମାନେ ହଠାତ୍ ରାସ୍ତା ସାଇଡ୍କୁ ଯାଇ ତାଙ୍କୁ ଅଟକାଇଥିଲେ। ଦେଖାଯାଉନି, ଏମିତି କ’ଣ ଗାଡ଼ି ଚଲାଉଛ କହି ସେମାନେ କାର୍ ଡୋର୍ ଖୋଲି ତାଙ୍କୁ ଘୋଷାରି ଆଣିଲେ ଓ ପିଟାପିଟି କରିଥିଲେ। ଆମେ ଆସି ସେଠାରେ ପହଞ୍ଚିଲା ବେଳକୁ ଭିଣୋଇଙ୍କ ଛାତି ଓ ମୁଣ୍ଡରେ ଜୋରରେ ଆଘାତ ଲାଗିଥିବା ଦେଖିଥିଲୁ। ତାଙ୍କର ସେତେବେଳକୁ ଚେତା ନଥିଲା। ତା’ପରେ ଆମେ ତାଙ୍କୁ ଉଦଳା ଡାକ୍ତରଖାନା ନେଇଯାଇଥିଲୁ। ସେହି ସମୟ ମଧ୍ୟରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
The post ଶ୍ୱଶୁର ଘର ସାମ୍ନାରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀଙ୍କୁ ପିଟିପିଟି ହତ୍ୟା appeared first on Odisha Reporter.
from Odisha Reporter https://ift.tt/3vWNhSB
No comments:
Post a Comment