ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ସମଗ୍ର ଦେଶରେ ଡେଲଟା ପ୍ଲସ୍ ଆକ୍ରାନ୍ତଙ୍କୁ ନେଇ ଭୟ ବଢ଼ିବାରେ ଲାଗିଛି। ସମଗ୍ର ଦେଶରେ ଏଯାଏ ଏପରି ୪୮ଟି ମାମଲା ସାମନାକୁ ଆସିଥିବା ବେଳେ ସେଥିରୁ ଗୋଟିଏ ଓଡ଼ିଶାର ବୋଲି ସ୍ପଷ୍ଟ ହୋଇଛି। ଓଡ଼ିଶାର ଦେବଗଡ଼ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତି ଏହି ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯିବା ପରେ ରାଜ୍ୟବାସୀ ଏକ ପ୍ରକାର ଛାନିଆ ହୋଇଯାଇଛନ୍ତି। ହେଲେ ଏଥିଯୋଗୁ ଛାନିଆ ହେବାର ଆବଶ୍ୟକତା ନାହିଁ ବରଂ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।
ଡେଲଟା ପ୍ଲସ୍ ଭାରିଆଣ୍ଟରେ ଆକ୍ରାନ୍ତ ପ୍ରଥମ ଓଡ଼ିଆଙ୍କ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତି ମାର୍ଚ୍ଚ ୩୦ରେ ଟୀକା ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଜଣେ କୋରନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଏପ୍ରିଲରେ ସାମ୍ପଲ ଦେଇଥିବା ବେଳେ ଲକ୍ଷଣହୀନ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ୬ ସପ୍ତାହ ସର୍ଭେଲାନ୍ସ ପିରିୟଡରେ ରଖାଯାଇଥିଲା।
ମେ ମାସରେ ତାଙ୍କ ସମ୍ପୂର୍ଣ୍ଣ ଜେନମ ସିକ୍ୟୁଏନସିଙ୍ଗ ପାଇଁ ପଠାଯାଇଥିଲା । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏପିଡୋମିଲୋଜି ଟିମ୍ ଦେବଗଡ଼ ଗସ୍ତ କରିଛି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମିତି ରହିଛି, ସେ କାହା ସାଙ୍ଗରେ ମିଶିଥିଲେ, ସେ ଯାହା ସାଙ୍ଗରେ ମିଶିଥିଲେ ସେମାନେ ସଂକ୍ରମିତ ହେଇଛନ୍ତି କି ନାହିଁ, ସେମାନଙ୍କର ସ୍ୱାସ୍ଥ୍ୟ ଅଵସ୍ଥା କେମିତି ରହିଛି, ସମସ୍ତେ ଟୀକା ନେଇଛନ୍ତି କି ନାହିଁ ସେ ବିଷୟରେ ଯାଞ୍ଚ କରାଯିବ ।
ଡେଲଟା ପ୍ଲସ୍ ଭାରିଆଣ୍ଟରେ ଆକ୍ରାନ୍ତ ବ୍ୟକ୍ତିଜଣକ ଟୀକା ନେଇଥିବାରୁ ତାଙ୍କର କିଛି ଲକ୍ଷଣ ଦେଖା ଯାଉନଥିଲା । ତେଣୁ ଟୀକାର ପ୍ରଭାବ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ରାଜ୍ୟର କୋରନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ କହିଛନ୍ତି, ଯେଉଁ ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେଠାରେ ଏହାକୁ କାବୁ କରିବାକୁ ସ୍ଵତନ୍ତ୍ର ଷ୍ଟ୍ରାଟେଜି ଆପଣାଯାଉଛି । ସର୍ଭେଲାନ୍ସଠୁ ନେଇ ଟୀକାକରଣ ଯାଏ ସବୁକିଛିକୁ ତ୍ୱରାନ୍ୱିତ କରାଯାଉଛି ।
କିଛି ଅମାନିଆଙ୍କ ପାଇଁ ସଂକ୍ରମଣ ତଳମୁହାଁ ହେଉନାହିଁ । ଲୋକ କ୍ଷୀର ନେବା ପାଇଁ ଯାଇ ବାହାରେ ଖଟି କରୁଥିବା ଦେଖିବାକୁ ମିଳୁଛି । ଏପରି ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଛି ।
ଭୁବନେଶ୍ୱରରେ ସଂକ୍ରମଣ ବଢିବା ପାଇଁ ବିଭିନ୍ନ କାରଣ ରହିଛି । ଲୋକମାନେ ନିୟମ ନ ମାନିବା, ଅଧିକ ସଂଖ୍ୟକ ଲୋକ ଏକ ସାଙ୍ଗରେ ବାହାରକୁ ବାହାରିବା, ଭୁତାଣୁ ଯାଇନଥିବା ବେଳେ ବାହାରକୁ ବାହାରି ସଂକ୍ରମଣ ବ୍ୟାପିବାକୁ ପ୍ରୋତ୍ସାହନ ଦେବା ପରି କାମ କରୁଛନ୍ତି ବହୁ ଲୋକ । ଯାହାର ଭୟାବହତା ଅନ୍ୟମାନଙ୍କୁ ଭୋଗିବାକୁ ପଡ଼ୁଛି।
ଏହାବାଦ ବିଭିନ୍ନ ଜିଲ୍ଲାରୁ ଲୋକମାନଙ୍କ ଯିବା ଆସିବା ବି ଭୁବନେଶ୍ୱରରେ ସଂକ୍ରମଣ ବଢିବାର କାରଣ ସାଜିଛି । ବର୍ତ୍ତମାନର ସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ପ୍ରତିଦିନର ଡାଟାବେସ୍କୁ ବିଶ୍ଳେଷଣ କରାଯାଉଛି । ହାଇକମିଟି ବୈଠକ ବସି ଆସନ୍ତା ୩୦ ତାରିଖ ପରେ କ’ଣ ପଦକ୍ଷେପ ନିଆଯିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଦେଶରେ ଚିହ୍ନଟ ମୋଟ ୪୮ଟି ଡେଲଟା ପ୍ଲସ୍ କେସ୍ ଭିତରୁ ଓଡ଼ିଶାରେ ଗୋଟିଏ ଚିହ୍ନଟ ହୋଇଛି। ସେହିପରି ମହାରାଷ୍ଟ୍ରରେ ୨୦, ତାମିଲନାଡୁରେ ୯ ଓ ମଧ୍ୟପ୍ରଦେଶରେ ୭ ଜଣ ଚିହ୍ନଟ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।
ରାଜ୍ୟରେ ଡେଲଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ ନେଇ DMET ସିବିକେ ମହାନ୍ତି କହିଛନ୍ତି, ଡେଲ୍ଟା ପ୍ଲସ ଏକ ନୂଆ ଭେରିଏଣ୍ଟ, ତେଣୁ ସାବଧାନ ରହିବାକୁ ପଡ଼ିବ। ଆଲ୍ଫା, ବିଟା ଓ ଗାମା ଭଳି ଡେଲ୍ଟା ପ୍ଲସ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ। ଟିକା ନେବା ଫଳପ୍ରଦ ହେବ। କୋଭିଡ୍ ନିୟମ ମାନିଲେ ସଂକ୍ରମଣ କମିବ ବୋଲି ସେ କହିଛନ୍ତି।
ICMR ମୁଖ୍ୟ ବଳରାମ ଭାର୍ଗବ କହିଛନ୍ତି “କୋଭାକ୍ସିନ ଓ କୋଭିସିଲ୍ଡ ଟିକା ସବୁ ଭେରିଆଣ୍ଟ ପ୍ରତି ଫଳପ୍ରଦ ହେଉଛି। କୋଭିଡ୍ର ସମସ୍ତ ଭେରିଏଣ୍ଟକୁ ମାତ୍ ଦେଲା ଭଳି କ୍ଷମତା ଏହି ଟିକା ଦୁଇଟିର ରହିଛି। କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭେରିଏଣ୍ଟ ପ୍ରତି କାମ କରୁଛି।”
The post କିପରି ଅଛନ୍ତି ଓଡ଼ିଶାର ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ? କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ appeared first on Odisha Reporter.
from Odisha Reporter https://ift.tt/3x0fus2
No comments:
Post a Comment