ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାରଙ୍କ ଟେଣ୍ଡର ପ୍ରକ୍ରିୟାରେ ଆଗ୍ରହ ଦେଖାଇଲେନି ଟିକା ଉତ୍ପାଦନକାରୀ ସଂସ୍ଥା । ପ୍ରି-ବିଡିଂ ବୈଠକକୁ ଆସିଲେନି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ନବଦାସ ଦେଇଥିବା ଚିଠିରୁ ଏହି ସୂଚନା ମିଳିଛି । ରାଜ୍ୟ ସରକାର ଟିକା ଯୋଗାଣ ନେଇ ଗ୍ଲୋବାଲ୍ ଟେଣ୍ଡର ନୀତି କୋହଳ କରିଥିଲେ। ତେବେ ଏହା ପରେ ବି କୌଣସି ଟିକା ସଂସ୍ଥା ରାଜ୍ୟ ସହ ଡିଲ୍ କରିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି ।
କମ୍ପାନି ମାନେ ସିଧାସଳଖ ଭାବେ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିବାକୁ ଚାହିଁଥିବା ନବ ଚିଠିରେ ଉଲ୍ଲେଖ କରିଛନ୍ତି । ତୁରନ୍ତ ଏହାକୁ ନେଇ କେନ୍ଦ୍ରକୁ ହସ୍ତକ୍ଷେପ କରିବାକୁ ନବ କହିଛନ୍ତି। କେନ୍ଦ୍ର ସରକାର ଟିକା ଯୋଗାଣ ନୀତି କୋହଳ କରିବା ପରେ ଗ୍ଲୋବାଲ ଟେଣ୍ଡର ଡାକିଥିଲେ ରାଜ୍ୟ ସରକାର। ହେଲେ ନିୟମରେ କୋହଳ କରାଯାଇଥିଲେ ବି ବିଡିଂ ପ୍ରତି ଏତେଟା ଆଗ୍ରହ ଟିକା ଉତ୍ପାଦନକାରୀ କମ୍ପାନି ମାନେ ଦେଖାଇନାହାନ୍ତି । ସେରମ୍ ଓ ଭାରତ ବାୟୋଟେକ୍ ରାଜ୍ୟ ପରିବର୍ତ୍ତେ ସିଧା କେନ୍ଦ୍ର ସହ ଡିଲ୍ କରିବାକୁ ଚାହିଁଛନ୍ତି ।
ଏପରିକି ମଡର୍ଣ୍ଣା, ଫାଇଜର ଭଳି କଂପାନୀ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ପାଇଁ ଅପେକ୍ଷାରେ ରହିଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟରେ ଆବଶ୍ୟକ ଟିକା ଅଭାବ ଥିବାରୁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଥିଲା। ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଥିବା ମୁଖ୍ୟ ଶାସନ ସଚିବ କହିଥିଲେ। ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ କୁହାଯାଇ ଥିଲା । ସଫଳ ବିଡିଂ ହେଲେ ମେ’ ୨୮ ପରେ ଆମେ ଟିକା କିଣିପାରିବା ବୋଲି ସେ କହିଥିଲେ।
ତେବେ ଟିକା ଟେଣ୍ଡର ପ୍ରକ୍ରିୟାରେ ପଞ୍ଜାବ ସରକାରକୁ ମଧ୍ୟ ଝଟକା ଲାଗିଛି। ଆମେରିକାର ବୋଷ୍ଟନରେ ତିଆରି ହେଉଥିବା ମୋଡେର୍ଣ୍ଣା ପଞ୍ଜାବ ସରକାରକୁ ସିଧାସଳଖ ଟିକା ଦେଇପାରିବନି ବୋଲି କହିସାରିଛି। ସେ ଯଦି ଟିକା ଦେବ ତାହେଲେ ଭାରତ ସରକାରକୁ ଦେବ ବୋଲି କମ୍ପାନୀ କହିଛି। ନିୟମ ଅନୁଯାୟୀ ମୋଡେର୍ଣ୍ଣା କେବଳ କେନ୍ଦ୍ର ସରକାର ସହିତ ଏ ବାବଦରେ ଆଲୋଚନା କରିବ ବୋଲି କମ୍ପାନୀ କହିଛି।
The post ରାଜ୍ୟ ସରକାରଙ୍କ ଟିକା ଟେଣ୍ଡରକୁ ଝଟକା ! appeared first on Odisha Reporter.
from Odisha Reporter https://ift.tt/2R8smwy
No comments:
Post a Comment