ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ସାଂଘାତିକ ଭାବେ ପ୍ରଭାବିତ କରିଛି। କରୋନା ମହାମାରୀକୁ ଠିକ୍ ଭାବେ ପରିଚାଳନା କରିବାରେ ମୋଦି ସରକାର ସଂପୂର୍ଣ୍ଣ ଭାବେ ବିଫଳ ବୋଲି ଅଧିକାଂଶ ଦେଶବାସୀ ମତ ଦେଇଛନ୍ତି।
ଏବିପି-ସି ଭୋଟର ପକ୍ଷରୁ ମୋଦି ସରକାର ୨.୦ର ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯାଇଛି। ସର୍ଭେ ବେଳେ ଜଣାପଡ଼ିଛି ଯେ କରୋନାକୁ ନିୟନ୍ତ୍ରଣ କରିବା ମୋଦି ୨.୦ ସରକାରଙ୍କ ସବୁଠାରୁ ବଡ଼ ବିଫଳତା।
ଏବିପି-ସି ଭୋଟର ତା’ର ସର୍ଭେ ରିପୋର୍ଟରେ କହିଛି ଯେ ୪୧%ରୁ ଅଧିକ ଲୋକ ମୋଦି ସରକାର ଠିକ୍ ଭାବେ କରୋନାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା କଥା କହିଛନ୍ତି। ସେହିପରି ୨୩.୭% ଲୋକ ଚାଷୀମାନଙ୍କ ଅସନ୍ତୋଷ ଓ ରାଗକୁ ପ୍ରଶମିତ କରିବାରେ ମୋଦି ସରକାର ବିଫଳ ହୋଇଥିବା ମତ ଦେଇଛନ୍ତି।
ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦିଲ୍ଲୀରେ ହୋଇଥିବା ଦଙ୍ଗା ମୋଦି ୨.୦ ସରକାରର ସବୁଠାରୁ ବଡ଼ ବିଫଳତା ବୋଲି ୮.୮% ଲୋକ ସର୍ଭେ ବେଳେ କହିଛନ୍ତି। ସେହିପରି ୮.୯% ଲୋକ ଚାଇନା ସହ ଭାରତର ସୀମା ବିବାଦ ମୋଦି ସରକାରଙ୍କ ବଡ଼ ବିଫଳତା ବୋଲି ମତ ଦେଇଛନ୍ତି। ମୋଦି ସରକାର ଅନ୍ୟ ବିଭିନ୍ନ କ୍ଷେତ୍ରରେ ବିଫଳ ହୋଇଥିବା ୧୮% ଲୋକ ମତ ଦେଇଥିବା ସର୍ଭେ ରିପୋର୍ଟରେ କୁହାଯାଇଛି।
ଏବିପି –ସି ଭୋଟର ପକ୍ଷରୁ ମେ’ ୨୩ରୁ ୨୭ ମଧ୍ୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୧୨,୦୭୦ ଜଣ ଲୋକଙ୍କୁ ନେଇ ସର୍ଭେ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ସହାରାଞ୍ଚଳର ୪୪.୨% ଲୋକ କରୋନାକୁ ନିୟନ୍ତ୍ରଣ କରିବା ମୋଦି ସରକାରଙ୍କ ବଡ଼ ବିଫଳତା ବୋଲି କହିଥିବା ବେଳେ ଗ୍ରାମାଞ୍ଚଳର ୩୯.୮% ଲୋକ ସମାନ ମତ ଦେଇଛନ୍ତି।
ମୋଦି ସରକାରଙ୍କ ଲୋକ ପ୍ରିୟତାକୁ କରୋନା ପ୍ରଭାବିତ କରିଥିବାରୁ ଏବେ ବିଜେପି ଏଥିରେ ତାଳି ପକାଇବାକୁ ଉଦ୍ୟମ ଆରମ୍ଭ କରିଛି। କରୋନା କଷ୍ଟକୁ ଭୁଲାଇବା ପାଇଁ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବ।
ଏଥିପାଇଁ ଦଳ ଏବେଠାରୁ ତୃଣମୂଳ ସ୍ତରରୁ ନିଜ ଦଳୀୟ କର୍ମୀଙ୍କ ଠାରୁ ମତାମତ ଲୋଡ଼ିବା ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତର ପ୍ରଦେଶରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ଏହାର ପ୍ରଭାବ ଯେମିତି ନିର୍ବାଚନ ଉପରେ ନ ପଡ଼ିବ, ସେଥିପାଇଁ ‘ଫିଡବ୍ୟାକ୍ ଡ୍ରାଇଭ୍’ ଆରମ୍ଭ କରାଯାଇଛି।
ବିଜେପିର ଦୁଇ ଜାତୀୟ ନେତା ବିଏଲ୍ ସନ୍ତୋଷ ଓ କେନ୍ଦ୍ରମନ୍ତ୍ରୀ ରାଧା ମୋହନ ସିଂହ ଉତ୍ତରପ୍ରଦେଶ ଯାଇ ସେଠାରେ ବିଭିନ୍ନ ମନ୍ତ୍ରୀମାନଙ୍କୁ ଭେଟିଛନ୍ତି। ସେମାନଙ୍କ ଠାରୁ ମତାମତ ସଂଗ୍ରହ କରିବା ସହ ଉଭୟ ଯୋଗୀ ଆଦିତ୍ୟନାଥ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ଯେମିତି ହେଲେ କରୋନା ମାଡ଼ରେ ପ୍ରଭାବିତ ହୋଇଥିବା ଦଳର ଛବିକୁ ବିଜେପି ସୁଧାରିବାକୁ ଲକ୍ଷ୍ୟ ରଖିଥିବା ଏଥିରୁ ସ୍ପଷ୍ଟ ହୋଇଛି।
The post ମୋଦି ସରକାରଙ୍କ କରୋନା ପରିଚାଳନାକୁ ନେଇ ଦେଶବାସୀ ଖପ୍ପା, ଚିନ୍ତାରେ ବିଜେପି appeared first on Odisha Reporter.
from Odisha Reporter https://ift.tt/3yUz5LC
No comments:
Post a Comment