ବିନିକା(ଦିଲୀପ ସାହୁ): ବିନିକା ତହସିଲ ଅଞ୍ଚଳରେ ଲାଗି ରହିଛି ମଣ୍ଡିରେ ଧାନବିକ୍ରି ଅବ୍ୟବସ୍ଥା। କେତେବେଳେ ଚାଷୀର ଟୋକନ ଲାପ୍ସ କରୁଛି ତ କେତେବଳେ ଟ୍ରାକ୍ଟରରେ ଧାନ ଲୋଡ ହୋଇ ଖରା ବର୍ଷାରେ ରାସ୍ତାରେ ଥୁଆ ହେଉଛି। କିନ୍ତୁ ପ୍ରଶାସନ କିଛି ଶୁଣୁ ନ ଥିବାରୁ ଆଜି ୧୧ ଘଣ୍ଟିଆ ବିନିକା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯିବ । ତେବେ ବନ୍ଦ ପାଳନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ, ମେଡିକାଲକୁ ବାଦ ଦିଆଯାଇଛି। କିନ୍ତୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଦୋକାନ-ବଜାର ବନ୍ଦ ରହିବ।
ବିନିକା ବ୍ଳକ୍ ଅଂଚଳର ଅନେକ ଚାଷୀଙ୍କ ଟୋକନ ଲାପ୍ସ ହେବାରୁ ମଣ୍ଡିରେ ଧାନ ବିକ୍ରି କରିବାରୁ ସେମାନେ ବଞ୍ଚିତ ହୋଇଛନ୍ତି । ଫଳରେ ଦୁଇ ଦିନ ହେଲା ଟ୍ରାକ୍ଟରରେ ଧାନ ଲୋଡ କରି ବିନିକା ତହସିଲ କାର୍ଯ୍ୟାଳୟରେ ବ୍ଳକ୍ କଂଗ୍ରେସ ଏବଂ ଜିଲ୍ଲା କଂଗ୍ରେସ କୃଷକ କମିଟି ପକ୍ଷରୁ ପ୍ରତିବାଦ କରାଯାଉଛି ।
ବନ୍ଦ ନେଇ ଗତକାଲି କଂଗ୍ରେସ ପକ୍ଷରୁ ଆଇଆଇସି ଓ ତହସିଲଦାରଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା। ଏହାପରେ ଗତକାଲି ଆଡିସନାଲ ଏସ୍ପି ଉତ୍କଳ କେଶରୀ ଦାସ ଘଟଣାସ୍ଥଳକୁ ଯାଇ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ଚାଷୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ଏହାପରେ ଆଜି ସକାଳୁ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ପୁଲିସ୍ ସ୍ଥିତି ଉପରେ ନଜର ରଖିଛି।
ସୁବର୍ଣ୍ଣପୁର ଯୁବକ କଂଗ୍ରେସ କମିଟି ସଭାପତି ପ୍ରିୟବ୍ରତ ସାହୁ କହିଛନ୍ତି, ଚାଷୀ ଆନ୍ଦୋଳନ ୨ ଦିନ ହେଲା ତହସିଲ ଅଫିସ ସମ୍ମୁଖରେ ଚାଲିଛି। ପ୍ରଶାସନ ଶୁଣୁନି। ତେଣୁ ବାଧ୍ୟ ହୋଇ ବିନିକା ବନ୍ଦ ଡାକରା ଦେଇଛୁ। ୨୪ ଘଣ୍ଟାରେ ଧାନ ଉଠୁ। ନଚେତ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦେବୁ।
ସମସ୍ତ ଚାଷୀ ଯାହାର ଟୋକନ ଲାପ୍ସ କରିଛି ସେମାନଙ୍କର ରିନ୍ୟୁ ହେଉ। ଜମି ହିସାବରେ ଯାହାର କୁଇଣ୍ଟାଲ କମିଛି ତାହାକୁ ବଢ଼ା ଯାଉ, ଯେଉଁ ଚାଷୀ କୋଭିଡରେ ପ୍ରାଣ ହରାଉଛନ୍ତି, ସେମାନଙ୍କ ଧାନ ଯଥାଶୀଘ୍ର ଉଠୁ ବୋଲି ଦାବି ଅନ୍ତର୍ଭୁକ୍ତ ଥିବା ସେ କହିଛନ୍ତି।
The post ଚାଷୀଙ୍କ ଦୁଃଖ ଶୁଣୁନି ପ୍ରଶାସନ; ଆଜି ବିନିକା ବନ୍ଦ appeared first on Odisha Reporter.
from Odisha Reporter https://ift.tt/3datpUs
No comments:
Post a Comment