ନୂଆଦିଲ୍ଲୀ: ସାରା ଦେଶ ପାଇଁ ଚିନ୍ତାଜନକ ପାଲଟିଥିବା କୋଭିଡ-୧୯ ଏବେ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ମୋଟ୍ ୫୪ ହଜାର ୬୯ ଜଣ କୋଭିଡରେ ସଂକ୍ରମିତ ହୋଇଛନ୍ତି। ଏହି ଅବଧି ମଧ୍ୟରେ କିନ୍ତୁ ୬୮ ହଜାର ୮୮୫ ଜଣ ଆରୋଗ୍ୟ ହୋଇଛନ୍ତି। ଏବେ ଦେଶରେ ମୋଟ୍ ୬ ଲକ୍ଷ ୨୭ ହଜାର ଚିକିତ୍ସାଧୀନ ରହିଛନ୍ତି। ଲଗାତର ୪୨ ଦିନ ହେବ କୋଭିଡ ସଂକ୍ରମିତ ସଂଖ୍ୟା ଆରୋଗ୍ୟ ସଂଖ୍ୟାଠୁ କମ୍ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଏବେ ଆରୋଗ୍ୟ ହାର ୯୬.୬୧ ପ୍ରତିଶତ ହୋଇଛି। ଦୈନିକ ପଜିଟିଭିଟି ହାର ୩.୦୪ ପ୍ରତିଶତ ହୋଇଥିବାବେଳେ ସାପ୍ତାହିକ ପଜିଟିଭିଟି ହାର ୫ ପ୍ରତିଶତ ହୋଇଛି। ଲଗାତର ୧୭ ଦିନ ହେବ ଦୈନିକ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି।
କୋଭିଡକୁ ରୋକିବା ଦିଗରେ ଟିକାକରଣ ଏବଂ ବିଭିନ୍ନ ରାଜ୍ୟ ସରକାର ଲଗାଇଥିବା ପ୍ରତିବନ୍ଧକ ବଡ ସଞ୍ଜିବନୀ ପାଲଟିଛି। ଜୁନ୍ ୨୧ରୁ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୮୬ ଲକ୍ଷ ଲୋକ ସାରା ଦେଶରେ ଟିକା ନେଇଥିବା ବେଳେ ମଙ୍ଗଳବାର ଏହି ସଂଖ୍ୟା କମି ୫୪ ଲକ୍ଷ ଏବଂ ବୁଧବାର ଏହା ୬୪.୮୯ ଲକ୍ଷ ଲୋକ ଟିକା ନେଇଛନ୍ତି। ଏଯାବତ ସାରା ଦେଶରେ ୩୦.୧୬ କୋଟି ଲୋକ ଟିକା ନେଇଥିବା ଜଣାପଡ଼ିଛି।
ଜୁନ୍ ୨୧ରେ ସାରା ଦେଶରେ ୮୬ ଲକ୍ଷ ଲୋକ ଟିକା ନେଇଥିଲେ। ସେଥିରୁ ୬୩.୬୮ ପ୍ରତିଶତ କେବଳ ଗ୍ରାମାଞ୍ଚଳର। ୫୬.୦୯ ଲକ୍ଷ ଟିକା କେବଳ ଗ୍ରାମାଞ୍ଚଳରେ ବସବାସ କରୁଥିବା ହିତାଧିକାରୀମାନଙ୍କୁ ଦିଆଯାଇଛି। ସହରାଞ୍ଚଳରେ ସେହିଦିନ ୩୧.୯ ଲକ୍ଷ ଲୋକ କୋଭିଡ଼ ଟିକା ନେଇଥିଲେ।
ସରକାରଙ୍କ ରିପୋର୍ଟ ଅନୁଯାୟୀ ଏବେ ଦେଶରେ ଥିବା ମୋଟ ଟିକାକରଣ କେନ୍ଦ୍ରର ୭୧ ପ୍ରତିଶତ କେବଳ ଗ୍ରାମାଞ୍ଚଳରେ ରହିଛି ଏବଂ ଗତ କିଛି ସପ୍ତାହ ଧରି ନିରବଚ୍ଛିନ୍ନ ଭାବେ ଗ୍ରାମାଞ୍ଚଳରେ ମୋଟ ଟିକାକରଣର ଅର୍ଦ୍ଧାଧିକ ଟିକା ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି। “ ଆଇଟି ବ୍ୟବସ୍ଥାର ଅଧିକ ଉପଯୋଗ ଦ୍ୱାରା, ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଟିକାକରଣ ଉପକାରିତା ସଂପର୍କରେ ଅବଗତ ଓ ସଚେତନ କରାଯାଉଛି। ଲୋକମାନେ ଏହାକୁ ଗ୍ରହଣ କରୁଥିବାରୁ ଏବେ ଗ୍ରାମାଞ୍ଚଳକୁ ଅଧିକରୁ ଅଧିକ ଟିକା ପଠାଯାଉଛି। ତେଣୁ ଆମର ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଛି ଯେ ଗ୍ରାମାଞ୍ଚଳରେ ସଂପୂର୍ଣ୍ଣ ରୂପେ ଟିକାକରଣ ସମ୍ଭବପର।”
The post ଦୁର୍ବଳ ହେଉଛି କୋଭିଡ-୧୯ ସଂକ୍ରମଣ, ଦୈନିକ ପିଜିଟିଭିଟି ହାର ୩.୦୪% appeared first on Odisha Reporter.
from Odisha Reporter https://ift.tt/3vTcb4s
No comments:
Post a Comment