ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଢ଼ ମାସର ଲକ୍ଡାଉନ୍ ସତ୍ତ୍ୱେ ‘ବି’ କ୍ୟାଟେଗୋରୀରେ ଥିବା ରାଜ୍ୟର ୧୦ଟି ଜିଲ୍ଲାରେ କରୋନା ପଜିଟିଭିଟି ହାର ୫ ପ୍ରତିଶତରୁ ହ୍ରାସ ପାଉ ନାହିଁ। ରାଜ୍ୟ ସରକାର ଏହି ୧୦ଟି ଜିଲ୍ଲାରେ କୋଭିଡ୍ ପରିଚାଳନାରେ ବିଫଳ ହୋଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା ରାଜ୍ୟବାସୀ ମତ ଦେଇଛନ୍ତି। Odishatv.in ପକ୍ଷରୁ ଏହାର ଟ୍ୱିଟ୍ର ହ୍ୟାଣ୍ଡେଲ୍ରେ କରାଯାଇଥିବା ଏକ ଅନ୍ଲାଇନ୍ ସର୍ଭେରେ ଏଭଳି ମତ ପ୍ରକାଶ ପାଇଛି।
ଏହି ସର୍ଭେରେ ନିର୍ଦ୍ଧାରିତ ୨୪ ଘଣ୍ଟାରେ ୬୦ ହଜାର ୧୩୪ ଜଣ ବ୍ୟକ୍ତି ସେମାନଙ୍କ ମତ ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରୁ ୫୬.୮% ଲୋକ କହିଥିଲେ ଯେ ଲକ୍ଡାଉନ୍ କଟକଣା ସତ୍ତ୍ୱେ ସରକାର ‘ବି’ କ୍ୟାଟେଗୋରୀରେ ଅନ୍ତର୍ଭୁକ୍ତ ଜିଲ୍ଲାଗୁଡ଼ିକରେ କୋଭିଡ୍ ମାମଲା ଓ ତତ୍ଜନିତ ମୃତ୍ୟୁ ସଂଖ୍ୟାକୁ ରୋକିବାରେ ବିଫଳ ହୋଇଛନ୍ତି। ତେବେ ୪୧.୬% ଲୋକ ସରକାରଙ୍କ ସପକ୍ଷରେ ମତ ଦେଇଛନ୍ତି। ବାକି ୧.୬% ନା ସରକାରଙ୍କ ବିପକ୍ଷରେ ମତ ଦେଇଛନ୍ତି ନା ସପକ୍ଷରେ।
ମେ’ ୫ ତାରିଖରୁ ରାଜ୍ୟରେ ସରକାର ପୁଣି ଥରେ ଲକ୍ଡାଉନ୍ କଟକଣା ଜାରି କରିଥିଲେ। ଏହାକୁ ପର୍ଯ୍ୟାୟକ୍ରମେ ବଳବତ୍ତର ରଖିବା ପରେ ଜୁନ୍ ୧୭ ତାରିଖରୁ ଏହାକୁ ପୁଣି ପର୍ଯ୍ୟାୟ କ୍ରମେ କୋହଳ କରୁଛନ୍ତି। ରାଜ୍ୟକୁ ଏଯାଏଁ ସଂପୂର୍ଣ୍ଣ ଅନ୍ଲକ୍ ଘୋଷଣା କରାଯାଇ ନଥିବା ବେଳେ ଜୁଲାଇ ପହିଲାରୁ ନୂଆ ଗାଇଡ୍ଲାଇନ୍ ଜାରି ହୋଇଛି, ଯାହା ୧୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।
ନୂଆ ଗାଇଡ୍ଲାଇନ୍ରେ ସରକାର ୩୦ଟି ଜିଲ୍ଲାକୁ ଦୁଇଟି ବର୍ଗରେ ବିଭକ୍ତ କରିଛନ୍ତି। ୫ ପ୍ରତିଶତରୁ କମ୍ ପଜିଟିଭିଟି ହାର ଥିବା ୨୦ଟି ଜିଲ୍ଲାକୁ ‘ଏ’ ବର୍ଗରେ ରଖିଛନ୍ତି ଏବଂ ମଲ୍ ଓ ପାର୍ଲର ବ୍ୟତୀତ ବାକି ସବୁ ଦୋକାନବଜାର ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଏହି ଜିଲ୍ଲା ଗୁଡ଼ିକରେ ଦୋକାନ ବଜାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ସେହିପରି ଏହି ଜିଲ୍ଲା ଗୁଡ଼ିକରେ ବସ୍ ଓ ଟ୍ୟାକ୍ସି ଆଦି ଚଳାଚଳକୁ ଅନୁମତି ଦିଆଯାଇଛି।
ଅନ୍ୟପକ୍ଷରେ ୫ ପ୍ରତିଶତରୁ ଅଧିକ ପଜିଟିଭିଟି ହାର ଥିବା ୧୦ ଜିଲ୍ଲାକୁ ‘ବି’ ବର୍ଗରେ ରଖାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ। ଏହି ଜିଲ୍ଲା ଗୁଡ଼ିକରେ ମଲ୍, ପାର୍ଲର, ସ୍ପା ଓ ଜିମ୍ ଆଦିକୁ ଛାଡ଼ି ବାକି ସବୁ ଦୋକାନ ତଥା ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ଏହି ଜିଲ୍ଲାଗୁଡ଼ିକରେ କେବଳ ସକାଳ ୬ରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିପାରିବ। ଏହି ୧୦ ଜିଲ୍ଲାରେ ବସ୍ ଚଳାଚଳକୁ ଅନୁମତି ମିଳି ନଥିବା ବେଳେ ସପ୍ତାହାନ୍ତ ଶଟ୍ଡାଉନ୍ ଜାରି ରହିବ।
The post ୧୦ ଜିଲ୍ଲାରେ କୋଭିଡ୍ ପରିଚାଳନାରେ ବିଫଳ ହୋଇଛନ୍ତି କି ରାଜ୍ୟ ସରକାର? ଜାଣନ୍ତୁ କ’ଣ କହୁଛି ସର୍ଭେ appeared first on Odisha Reporter.
from Odisha Reporter https://ift.tt/2UcE9ex
No comments:
Post a Comment