ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନରେ ଅସୁମାରୀ ସ୍ୱପ୍ନ ନେଇ ମାତ୍ର ୧୦ ଦିନ ତଳେ ନୂଆ ସଂସାରରେ ପାଦ ଥାପିଥିଲେ। ପାଦରୁ ଅଳତା ଲିଭିନି କି ହାତର ମେହେନ୍ଦି ଫିକା ପଡ଼ିନି। ହେଲେ ଲିଭିଗଲା ନବବିବାହିତାଙ୍କ ଜୀବନ ଦୀପ। ବେକ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା କିଛି ଘଣ୍ଟା ମଧ୍ୟରେ ଆଖି ବୁଜିଦେବା ଘଟଣାକୁ ପରିବାର ଲୋକ ସହଜେ ଗ୍ରହଣ କରି ପାରୁ ନ ଥିବା ବେଳେ ଏଥିଲାଗି ଡାକ୍ତରଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଏପରି ଅଭାବନୀୟ ଘଟଣା ଖୋଦ ରାଜଧାନୀରେ ଘଟିଛି। ଏହାକୁ ନେଇ ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି।
ଅଭିଯୋଗ ମୁତାବକ, ମେଣ୍ଢାଶାଳର ପ୍ରିୟଙ୍କା ପଟ୍ଟନାୟକଙ୍କ ବେକରେ ଯନ୍ତ୍ରଣା ହେବାରୁ ଆଜି ଭୋରରୁ ଶ୍ୱଶୁରଘର ଲୋକେ ତାଙ୍କୁ ବିବେକାନନ୍ଦ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଇଞ୍ଜେକସନ୍ ଦେବାର କିଛି ସମୟ ଭିତରେ ପ୍ରିୟଙ୍କାଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ରୋଗୀ ବେଡରେ ଛଟପଟ ହେଉଥିଲେ ବି ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀ କେହି ଚିକିତ୍ସା କରିନଥିଲେ କି କିଛି ଶୁଣିନଥିଲେ । ଏହା ସହିତ ହସ୍ପିଟାଲର ବାଉନ୍ସରମାନେ ସଂପର୍କୀୟଙ୍କୁ ମାଡ଼ ମାରିଥିବା ବି ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ନୟାପଲୀ ପୋଲିସ ହସ୍ପିଟାଲରେ ପହଂଚି ଘଟଣାର ତଦନ୍ତ କରୁଛି ।
ଡାକ୍ତରୀ ଅବହେଳା ଯୋଗୁ ପ୍ରିୟଙ୍କାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଶାଶୁ ଘର ଓ ବାପ ଘର ଲୋକ ଅଭିଯୋଗ ଆଣିଛନ୍ତି। ଡାକ୍ତର ଛିଡ଼ା ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଇଞ୍ଜେକସନ ଦେଇଥିବା ଘଟଣାକୁ ନେଇ ଆପତ୍ତି ଉଠାଇଛନ୍ତି ପରିବାର ଲୋକ। ଇଞ୍ଜେକସନ ନେବାର ମାତ୍ର କିଛି ସମୟ ମଧ୍ୟରେ ମହିଳାଜଣକ ଛଟପଟ ହୋଇ ମରିଯିବା ଘଟଣାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକ। ତେଣୁ ଇଞ୍ଜେକସନ ଦେଇଥିବା ବ୍ୟକ୍ତି କିଏ, ତାଙ୍କର ମେଡିକାଲ ଡିଗ୍ରୀ ଯୋଗ୍ୟତା ଅଛି କି ନାହିଁ, ସେ କି ଇଞ୍ଜେକସନ ଦେଲେ ବୋଲି କହି ସେମାନେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଘେରିଛନ୍ତି।
ହେଲେ ଚିକିତ୍ସାରେ ଅବହେଳା ଘଟଣାକୁ ଅସ୍ୱୀକାର କରିଛନ୍ତି ଡାକ୍ତର ସଞ୍ଜୟ ପଣ୍ଡା। ମୃତକଙ୍କ ବେକରେ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ପେନକିଲର୍ ସହ ବାନ୍ତି ଓ ଗ୍ୟାସ୍ ପାଇଁ ଇଞ୍ଜେକସନ୍ ଦିଆଯାଇଥିଲା । ପରେ ହୃଦଘାତରେ ପ୍ରିୟଙ୍କାଙ୍କ ମୃତ୍ୟୁ ହୋଇଯାଇଥିବା ସେ ସୂଚନା ଦେଇଛନ୍ତି ।
ମହିଳାଙ୍କ ବେକରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ଆଣିଥିଲେ। ଏଠାରେ ଡାକ୍ତର ଚିକିତ୍ସା ଆରମ୍ଭ କରିଥିଲେ। ମାତ୍ର ହଠାତ୍ ତାଙ୍କ ମୃତ୍ୟୁ ହୋଇଥିଲା। ମୃତଦେହ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନୟାପଲ୍ଲୀ ଥାନା ଆଇଆଇସି ଶରତ ସାହୁ।
The post ଇଞ୍ଜେକସନ ନେବା ପରେ ଛଟପଟ ହୋଇ ଆଖି ବୁଜିଲେ, ୧୦ ଦିନ ତଳେ ହୋଇଥିଲା ବାହାଘର appeared first on Odisha Reporter.
from Odisha Reporter https://ift.tt/3weCen4
No comments:
Post a Comment