ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ସୋମବାର (ଜୁଲାଇ ୨୭)ରେ ଓଡ଼ିଶା ରିପୋର୍ଟର ‘ଦୈନିକ କେତେ ଜୀବନ ନେଉଛି କୋଭିଡ୍? ତଥ୍ୟ ନଦେଇ ଗୋଳାଉଛନ୍ତି ସରକାର!‘ ଶୀର୍ଷକରେ ଏକ ଖବର ପ୍ରସାରଣ କରିଥିଲା। ଏହି ଖବର ଜରିଆରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ସାଧାରଣ ଲୋକଙ୍କ ମନରେ ଯେଉଁ ଦ୍ୱନ୍ଦ୍ୱ ଉପୁଜିଛି ତା’ର ଉତ୍ତର ଲୋଡିଥିଲା। ଆଉ ପଚାରିଥିଲା ରାଜ୍ୟରେ ପ୍ରତିଦିନ କରୋନାରେ କେତେ ଲୋକ ଆଖି ବୁଜୁଛନ୍ତି? ଏହାର ସ୍ପଷ୍ଟୀକରଣ ସରକାର କେବେ ଦେବେ ବୋଲି ପଚାରିଥିଲା। ଯାହାର ଉତ୍ତର ଗୋଟିଏ ଦିନ ପରେ ଡିଏମଇଟି ସିବିକେ ମହାନ୍ତି ରଖିଛନ୍ତି।
କରୋନା ସଂକ୍ରମଣ ବେଳେ ଦୈନିକ ପ୍ରାୟ ୬୦ରୁ ୭୦ ମୃତକଙ୍କ ସମ୍ପର୍କରେ ସୂଚନା ଦିଆଯାଉଥିବା ବେଳେ ଏହାକୁ ଦେଖି ଲୋକଙ୍କ ମନରେ ଛନକା ପଶି ଯାଉଛି ବୋଲି ଓଡ଼ିଶା ରିପୋର୍ଟରେ ଖବର ପ୍ରକାଶ କରିଥିଲା। ଏବେ ଉତ୍ତରରେ ଡିଏମଇଟି କହିଛନ୍ତି ଆଉ ମାତ୍ର ୧୦ରୁ ୧୫ ଦିନ ମଧ୍ୟରେ କରୋନାର ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ। ଅର୍ଥାତ୍ ଅଗଷ୍ଟ ୧୫ ସୁଦ୍ଧା କେତେ ଜଣ ପ୍ରତିଦିନ କରୋନାରେ ପ୍ରାଣ ହରାଉଛନ୍ତି ତାର ରିପୋର୍ଟ ଲୋକଙ୍କ ଆଗରେ ରହିବ।
ଡିଏମଇଟି କହିଛନ୍ତି, ଆମ ରିପୋର୍ଟ ଡାଇନାମିକ୍। ପ୍ରତିଦିନ ପ୍ରତି ଜିଲ୍ଲାରୁ , ପ୍ରତି ଇନଷ୍ଟିଚ୍ୟୁଟରୁ ଆସୁଛି। ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ କରୋନାରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ । ବର୍ତ୍ତମାନ କରୋନା ମୃତ୍ୟୁର ଅଡ଼ିଟ ପରେ ସମସ୍ତ ତଥ୍ୟ ପ୍ରଦାନ କରାଯାଉଛି । ମୃତକଙ୍କ ପରିବାର କି ପ୍ରକାର ସୁବିଧା ଓ ସୁଯୋଗ ପାଉଛନ୍ତି, ସେସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ଦିଆଯାଉଛି । ଆମ ସମୀକ୍ଷା ଯୋଗୁ କେହି ଯେପରି କ୍ଷତିଗ୍ରସ୍ତ ନ ହୁଅନ୍ତୁ ସେଥିପ୍ରତି ନଜର ଦେଉଛୁ।
ଏବେ କୋଭିଡରେ ସଂକ୍ରମିତ ହେବା ଯେତିକି ଗୁରୁତ୍ୱ ନୁହେଁ କେତେ ଜଣ ମୃତ୍ୟୁ ବରଣ କରୁଛନ୍ତି ତାହା ଗୁରୁତ୍ୱ। ସରକାର ଯଦି ସଂକ୍ରମିତ ଏବଂ ଆରୋଗ୍ୟ ସଂଖ୍ୟା ବିଗତ ୨୪ ଘଣ୍ଟା ଜାରି କରିପାରୁଛନ୍ତି ତାହେଲେ ମୃତ୍ୟୁ ସଂଖ୍ୟା ଜାରି କରିବାରେ ଅସୁବିଧା କେଉଁଠି ବୋଲି ଓଡ଼ିଶା ରିପୋର୍ଟର ପଚାରିଥିଲା।
ସୂଚନାଯୋଗ୍ୟ, ନିକଟରେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ କୋଭିଡ୍ ମୃତ୍ୟୁ ରିପୋର୍ଟ ଜାରି କରିବାକୁ କହିଛନ୍ତି। କୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର ଆଦି ରାଜ୍ୟ ଥରେ ଦୁଇ ଥରରେ ପିଛିଲା କୋଭିଡ୍ ମୃତ୍ୟୁ ରିପୋର୍ଟ ଜାରି କରିଛନ୍ତି। ତେଣୁ ଏବେ ଏହି ସବୁ ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ପୂର୍ବ ତୁଳନାରେ କମ୍ ରହିଛି। ଜୁଲାଇ ୨୫ରେ ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ୨୨୪ ଜଣଙ୍କର ମୃତ୍ୟୁ ହୋଇଥବା ଜଣାପଡ଼ିଥିବା ବେଳେ ଦିଲ୍ଲୀରେ ଦୁଇ ଜଣଙ୍କର ବିଗତ ୨୪ ଘଣ୍ଟାରେ ମୃତ୍ୟୁ ଘଟିଥିବା ଟାଇମ୍ସ ଅଫ୍ ଇଣ୍ଡିଆ ଏବଂ ଏନଡିଟିଭି ରିପୋର୍ଟରେ ଉଲ୍ଲେଖ ରହିଛି। ହେଲେ ଓଡ଼ିଶା ସରକାର ଯେଉଁ କୋଭିଡ ମୃତ୍ୟୁ ରିପୋର୍ଟ ଜାରି କରୁଛନ୍ତି ସେଥିରେ ଦୈନିକ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇପାରୁନି।
The post ଓଡ଼ିଶା ରିପୋର୍ଟରର ପ୍ରଭାବ, ଖବର ପ୍ରସାରଣ ପରେ ଉତ୍ତର ରଖିଲେ ଡିଏମଇଟି ସିବିକେ ମହାନ୍ତି appeared first on Odisha Reporter.
from Odisha Reporter https://ift.tt/3l1Dckv
No comments:
Post a Comment