ପୁରୀ(ଓଡ଼ିଶା ରିପୋର୍ଟର): ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ଶ୍ରୀଜିଉଙ୍କ ପହଣ୍ଡି ବିଜେ । ତିନି ରଥରେ ବିରାଜମାନ ହେଲେ ତିନି ଠାକୁର । ଶେଷ ହେଲା ପହଣ୍ଡି ବିଜେ।
ଆଜି ସକାଳେ କରୋନା କଟକଣା ଭିତରେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା। ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତମାନେ ଆରମ୍ଭ କରିଥିଲେ ସୁଦର୍ଶନଙ୍କ ପହଣ୍ଡି ବିଜେ ।
ଶ୍ରୀସୁଦର୍ଶନଙ୍କର ପହଣ୍ଡି ବିଜେ ପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ। ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିଜେ କରିଥିଲେ ମହାପ୍ରଭୁ। ଏହାପରେ ଧାଡ଼ି ପହଣ୍ଡିରେ ଦେବୀ ସୁଭଦ୍ରା ଦେବଦଳନ ରଥକୁ ବିଜେ କରିଥିଲେ। ଶେଷରେ ଗୁଣ୍ଡିଚାରୁ ବାହାରି ଗହଳି ଲଗାଇ ଟାହିଆ ହଲେଇ ହଲେଇ ଆସିଥିଲେ ଜଗତର ନାଥ ଶ୍ରୀ ଶ୍ରୀ ଜଗନ୍ନାଥ। ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥ ଆଡକୁ ଅଗ୍ରସର ହୋଇ ନନ୍ଦିଘୋଷ ରଥରେ ବିରାଜମାନ ହୋଇ ସାରିଛନ୍ତି।
ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଛି ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି । ରଥାରୁଢ ହୋଇସାରିଛନ୍ତି ଶ୍ରୀସୁଦର୍ଶନ, ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଓ ବଡ଼ଠାକୁର ଶ୍ରୀଜଗନ୍ନାଥ। । ଏହାପରେ ଗଜପତି ମହାରାଜା ପହଞ୍ଚି ୩ ରଥରେ ଛେରା ପହଁରା କରିଛନ୍ତି।
ସୂଚନାଯୋଗ୍ୟ, ଜନ୍ମବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ଆଜି ରତ୍ନବେଦୀକୁ ଫେରିବେ ମହାବାହୁ । ଏଥିଲାଗି ଗତ ସଂଧ୍ୟାରୁ ରୀତିନୀତି ଆରମ୍ଭ ହୋଇଛି । ବାହୁଡ଼ା ପହଣ୍ଡି ଲାଗି ଶ୍ରୀମୁଖ ଖଣ୍ଡୁଆ ସହ ବାହୁଟ କଣ୍ଟ, ଚାର ବନ୍ଧା, କୁସୁମି ଲାଗି ନୀତି କରାଯାଇଥିଲା । ଆଜି ଅପରାହ୍ଣ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି ।
ବାହୁଡ଼ା ପାଇଁ ଅଧିକ କଡ଼ା ହୋଇଛି ପୁରୀ ପୋଲିସ୍ । ଏମିତିକି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ ପାଇଁ କଡାକଡି ବ୍ୟବସ୍ଥା ହେଉଛି । ଏଥିପାଇଁ ଗତକାଲି ଅପରାହ୍ନରୁ ପୁରୀ ସହର ଚାରିପାଖେ ନାକା ଲଗାଇ ଗାଡ଼ି ମୋଟର ଯାଞ୍ଚ କରିଛି ପୋଲିସ୍ ।
ଗତକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ସମୟରେ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ପୂର୍ବ ନିଷ୍ପତ୍ତି ମୁତାବକ ବଡ଼ଦାଣ୍ଡରେ ଘର କରିଥିବା ଲୋକେ ସେମାନଙ୍କ ଘର ଛାତ କିମ୍ବା ବାଲକୋନି ଉପରେ ନ ବସି ଘରେ ରହି ଟିଭିରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ସିଧା ପ୍ରସାରଣ ଦେଖିବାକୁ ନିବେଦନ କରାଯାଇଛି ।
The post ରଥରେ ବିରାଜିଲେ ୩ ଠାକୁର, ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ପହଣ୍ଡି appeared first on Odisha Reporter.
from Odisha Reporter https://ift.tt/3rkdCIP
No comments:
Post a Comment