କେନ୍ଦ୍ରାପଡ଼ା ସାମ୍ବାଦିକ ଭୁଲ କରିନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 23, 2021

କେନ୍ଦ୍ରାପଡ଼ା ସାମ୍ବାଦିକ ଭୁଲ କରିନାହାନ୍ତି

  • ରବି ଦାସ

କେନ୍ଦ୍ରାପଡ଼ାରେ ଜଣେ ସାମ୍ବାଦିକଙ୍କୁ ମହିଳା କନଷ୍ଟେବଳଙ୍କର ସର୍ବସମ୍ମୁଖରେ ମାଡ଼ ଘଟଣାର ସାମ୍ବାଦିକମାନେ ପ୍ରତିବାଦ କରିବା ଏବଂ ସଂପୃକ୍ତ କନଷ୍ଟେବଳଙ୍କୁ ସସ୍ପେଣ୍ଡ କରିବା ପାଇଁ ଦାବି ଉପସ୍ଥାପିତ କରିବା ସମୟରେ ଜିଲ୍ଲାପାଳଙ୍କ ଅଫିସକୁ ଭିଡିଓ କନଫରେନ୍ସିଂ ପାଇଁ ଆସିଥିବା ବିଧାୟକମାନଙ୍କୁ ଅଟକ ରଖିବା ଘଟଣାକୁ କେନ୍ଦ୍ରକରି ବଡ଼ ଧରଣର ଚର୍ଚ୍ଚା ଚାଲିଛି। ଯେଉଁ ସାମ୍ବାଦିକ ସଂପୃକ୍ତ ମହିଳା କନଷ୍ଟେବଳ ମାକ୍ସ ନପିନ୍ଧି ବିଜେପି ବିକ୍ଷୋଭକାରୀମାନଙ୍କୁ ଅଟକାଇବା କାର୍ଯ୍ୟରେ ଡ୍ୟୁଟି କରୁଥିଲେ ତାହାର ଭିଡିଓ ଉତ୍ତୋଳନ କରି ଜିଲ୍ଲା ଏସ୍‌ପିଙ୍କୁ ପୋଷ୍ଟ କରିଦେଲେ ତାଙ୍କ ଉପରେ କ୍ରୋଧ ପ୍ରକାଶ କରିବାକୁ ଯାଇ ମାଡ଼ ମାରିଥିବା ଘଟଣା ବେଶ ସ୍ପଷ୍ଟ। ମହିଳା କନଷ୍ଟେବଳ ବିପର୍ଯ୍ୟୟ ପରିଚାଳନା ଆଇନର ନିର୍ଦ୍ଦେଶନାମା ଅନୁସାରେ ମାକ୍ସ ପିନ୍ଧି ନଥିବାରୁ ଏକ ବେଆଇନ କାର୍ଯ୍ୟ କରିଥିଲେ। ଏଭଳି ବେଆଇନ କାର୍ଯ୍ୟ କରୁଥିବା ସାଧାରଣ ନାଗରିକଠାରୁ ପୋଲିସ ଜୋରିମାନା ଆଦାୟ କରୁଛି। ତେଣୁ ପୋଲିସ କନଷ୍ଟେବଳଙ୍କର ଏହି ଧରଣର କାର୍ଯ୍ୟ ବେଆଇନ ବୋଲି ଦର୍ଶାଇବା ପାଇଁ ସାମ୍ବାଦିକଜଣକ ଭିଡିଓ ଉତ୍ତୋଳନ କରି ପୋଲିସ ଏସ୍ପିଙ୍କୁ ପୋଷ୍ଟ କରିଥିଲେ। ଏଥିରେ ଭୁଲ ରହିଲା କେଉଁଠି? ଏଥିରେ କ୍ରୋଧାନ୍ୱିତ ହୋଇ ମହିଳା କନଷ୍ଟେବଳ ସମସ୍ତଙ୍କ ସମ୍ମୁଖରେ ସଂପୃକ୍ତ ସାମ୍ବାଦିକଙ୍କୁ ମାଡ଼ ମାରିବା ଓ ତାଙ୍କ ସାର୍ଟ ଚିରିଦେବା ଆଉ ଏକ ଜଘନ୍ୟ ଅପରାଧ। ଏପରି ଅପରାଧୀଙ୍କ ବିରୋଧରେ ସାମ୍ବାଦିକମାନେ ମିଳିତ ଭାବରେ କାର୍ଯ୍ୟାନୁଷ୍ଠାନ ଦାବି କରିବାରେ କିଛି ବି ଭୁଲନାହିଁ।

କିଛି ବୁଦ୍ଧିଜୀବୀ କହୁଛନ୍ତି ଯେ, ପୋଲିସର ଦମନ, ଅତ୍ୟାଚାର କିଛି ନୂଆ ନୁହେଁ। ସମାଜରେ ଅନେକ ଅନ୍ୟାୟ ଓ ଅନୀତି ହେଉଛି। ସେହି ହିସାବରେ ସାମ୍ବାଦିକଙ୍କ ଉପରେ ମହିଳା କନଷ୍ଟେବଳଙ୍କ ଆକ୍ରମଣକୁ ବିଚାର କରିବା କଥା। କିନ୍ତୁ ଏଥିପାଇଁ ବିଧାୟକମାନଙ୍କୁ ନେଇ ଗୋଟିଏ ଘରେ ତାଲା ପକାଇ ଅଟକ ରଖିବା ଆଦୌ ଠିକ୍ ନୁହେଁ। ସଂପୃକ୍ତ ବୁଦ୍ଧିଜୀବୀଙ୍କ ଯୁକ୍ତି ହେଲା ଯେ ଅନ୍ୟାୟ ବିରୋଧରେ ସାମ୍ବାଦିକମାନେ ହିଂସାତ୍ମକ ପନ୍ଥାରେ ପ୍ରତିରୋଧ କରିବା କଦାପି ଯୁକ୍ତିଯୁକ୍ତ ନୁହେଁ। କିନ୍ତୁ ଅସଲକଥା ହେଉଛି ଯେଉଁ ମହିଳା କନଷ୍ଟେବଳ ଜଣକ ମାକ୍ସ ନପିନ୍ଧି ଭୁଲ କଲେ ଓ ଏହା ଜଣାଇବାରୁ ସାମ୍ବାଦିକଙ୍କୁ ମାଡ଼ ମାରିଲେ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ? ସାମ୍ବାଦିକମାନେ ମିଳିତ ଭାବରେ ପ୍ରତିବାଦ କରି ସଂପୃକ୍ତ ମହିଳା କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ମଧ୍ୟ ତାହା ନହେବାରୁ ସାମ୍ବାଦିକମାନେ ବିଧାୟକମାନଙ୍କୁ ଏକାଠି ପାଇ ଅଟକାଇଥିଲେ। ଏହା କ’ଣ ହିଂସାତ୍ମକ ପ୍ରତିବାଦ? କୌଣସି ବିଧାୟକଙ୍କ ପ୍ରତି ସାମ୍ବାଦିକମାନେ ଅସମ୍ମାନ କରିନାହାନ୍ତି। ସେମାନଙ୍କର ବିଶ୍ୱାସ ଯେ, ଶାସକ ଦଳର ଏହି ବିଧାୟକମାନେ ଚାପଦେଲେ ସେମାନେ ଯେଉଁ ଦାବି କରୁଛନ୍ତି ତାହା ଗ୍ରହଣ କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶଶାସନ ବାଧ୍ୟ ହେବ।

କିନ୍ତୁ ଏହି ଘଟଣା ପଛରେ କେତେଗୁଡ଼ିଏ ମୌଳିକ କଥା ମଧ୍ୟ ରହିଛି। ପ୍ରଥମେ ହେଲା ପୋଲିସ ଅନେକ ସ୍ଥାନରେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଏପରି କାର୍ଯ୍ୟାନୁଷ୍ଠାନ କରୁଛି ଯାହାକି ସଂପୂର୍ଣ୍ଣ ଅନ୍ୟାୟ। ଅନ୍ୟମାନେ ପୋଲିସର ଏହି କାର୍ଯ୍ୟ ବିରୋଧରେ ସହଜରେ ପ୍ରତିବାଦ କରିପାରନ୍ତି ନାହିଁ। କାରଣ ଅନ୍ୟ ଯେଉଁମାନେ ଆନ୍ଦୋଳନ କରୁଥାନ୍ତି ବା କୌଣସି ଦାବି ପାଇଁ କାର୍ଯ୍ୟ କରୁଥାନ୍ତି ସେମାନେ ପୋଲିସ ସହିତ ଲଢ଼ିବାକୁ ସାହସ କରନ୍ତି ନାହିଁ। କିନ୍ତୁ କେନ୍ଦ୍ରାପଡ଼ା ଘଟଣାରେ ସାମ୍ବାଦିକମାନଙ୍କର ସିଧାସଳଖ ଅଭିଯୋଗ ପୋଲିସ ବିରୋଧରେ। ଯଦି ସାମ୍ବାଦିକମାନେ ପୋଲିସର ଅନ୍ୟାୟ କାର୍ଯ୍ୟ ବିରୋଧରେ ପ୍ରତିବାଦ କରିପାରିବେ ନାହିଁ ତେବେ ଅନ୍ୟମାନେ କରିବା ପାଇଁ କିପରି ସାହସ ପାଇବେ? ୧୯୬୪ରେ ଓଡ଼ିଶାରେ ଯେଉଁ ଛାତ୍ର ଆନ୍ଦୋଳନ ହୋଇଥିଲା ତାହାର ପୃଷ୍ଠଭୂମି ଥିଲା ଏକ ରେଡିଓ ଦୋକାନରେ ହୋଇଥିବା ଗଣ୍ଡଗୋଳ। କିନ୍ତୁ ପ୍ରକୃତ ଆନ୍ଦୋଳନ ହେଲା ସେତିକିବେଳେ ଯେତେବେଳେ ପୋଲିସ କିଛି ଚିନ୍ତା ନକରି ବିକ୍ଷୋଭକାରୀଙ୍କୁ ଦମନ ନାଁରେ ଲାଠିଚାର୍ଜ କରି ରେଭେନ୍ସା କଲେଜ ହତା ଭିତରେ ପଶି ଛାତ୍ରମାନଙ୍କୁ ଆକ୍ରମଣ କଲେ। ଛାତ୍ରମାନଙ୍କ ଉପରେ ପୋଲିସର ଏହି ଆକ୍ରମଣ ରାଜ୍ୟରେ ଏକ ବଡ଼ଧରଣର ଛାତ୍ର ଆନ୍ଦୋଳନରେ ପରିଣତ ହୋଇଥିଲା। ବର୍ତ୍ତମାନ ସମୟରେ ଅନ୍ୟାୟ ଅନୀତି ବିରୋଧରେ ବା ପୋଲିସର କାର୍ଯ୍ୟ ବିରୋଧରେ ଏପରି ଭାବରେ ଛାତ୍ର ଆନ୍ଦୋଳନ ବା ଜନ ଆନ୍ଦୋଳନ ଆଉ ସମ୍ଭବ ହେଉନାହିଁ। ଏହି ଅବସ୍ଥା ପୋଲିସ ଓ ପ୍ରଶାସନକୁ ଅନ୍ୟାୟ ଅନୀତି ପାଇଁ ସାହସ ଯୋଗାଉଛି। ସେହି ଦୃଷ୍ଟିରୁ ବିଚାର କଲେ କେନ୍ଦ୍ରାପଡ଼ା ସାମ୍ବାଦିକମାନେ କିଛି ଭୁଲ କରିନାହାନ୍ତି।

ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥା ସୁଦୃଢ଼ କରିବାରେ ଶାସନ ବ୍ୟବସ୍ଥା, ଆଇନ ପ୍ରଣୟନ ସଭା ଓ ନ୍ୟାୟପାଳିକାର ଯେପରି ଗୁରୁତ୍ୱ ରହିଛି ସମ୍ବାଦପତ୍ର ଓ ସାମ୍ବାଦିକମାନଙ୍କର ମଧ୍ୟ ସେହିପରି ଗୁରୁତ୍ୱ ରହିଛି। ଏକ ମୁକ୍ତ ଓ ସ୍ୱାଧୀନ ଗଣମାଧ୍ୟମ ବିନା କୌଣସି ଦେଶରେ ଗଣତନ୍ତ୍ର ତିଷ୍ଠି ରହିପାରିବ ନାହିଁ। ଜରୁରୀ ପରିସ୍ଥିତିରେ ଇନ୍ଦିରା ଗାନ୍ଧୀ ଏହି ଅଧିକାରକୁ ଛଡ଼ାଇ ନେଇଥିବାରୁ ଶାସନ ବ୍ୟବସ୍ଥାରେ କ’ଣ ସବୁ ଅନ୍ୟାୟ ଅନୀତି ହେଲା ତାହା ସରକାର ଠିକ୍ ଭାବରେ ଜାଣିପାରିଲେ ନାହିଁ। ଧରିନେଲେ ଯେ, ଦେଶର ଜନସାଧାରଣ ସରକାରଙ୍କ ମତ ସହିତ ସଂପୂର୍ଣ୍ଣ ଏକମତ ଅଛନ୍ତି। ଏହାର ଫଳ କ’ଣ ହେଲା ତାହା ୧୯୭୭ ନିର୍ବାଚନରେ ପରିଷ୍କାର ହୋଇଗଲା। ଏବେବି ଦେଶରେ ସରକାରୀ ଦଳ ଓ ଶାସନ ସବୁବେଳେ ଗଣମାଧ୍ୟମକୁ ଓ ସାମ୍ବାଦିକମାନଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ପନ୍ଥାର ଆଶ୍ରୟ ନେଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏପରି ଭାବରେ ଗଣମାଧ୍ୟମକୁ ନିୟନ୍ତ୍ରଣ କରବାର ପ୍ରତିଯୋଗିତା କରୁଛନ୍ତି ସେଥିରେ ଗଣମାଧ୍ୟମର ଓ ସାମ୍ବାଦିକମାନଙ୍କର ସ୍ୱାଧୀନତା ବିପନ୍ନ ହୋଇଯାଉଛି। ଓଡ଼ିଶାରେ ଯେଉଁ ମୁଷ୍ଟମେୟ ଗଣମାଧ୍ୟମ ରାଜ୍ୟ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନଙ୍କୁ ଜବତ କରିବା ପାଇଁ ସେମାନଙ୍କ ମାଲିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ବିଭିନ୍ନ ଆଳରେ ବ୍ୟବସ୍ଥା କରାଯାଉଛି। ସେହିପରି ଯେଉଁ ସାମ୍ବାଦିକମାନେ କେବଳ ସତ୍ୟ ଓ ତଥ୍ୟ ପ୍ରକାଶ କରି ଖବର ପ୍ରସାରଣ କରୁଛନ୍ତି ସେମାନଙ୍କ ଉପରେ ସ୍ଥାନୀୟ ପ୍ରଶାସନ କ୍ଷୁବ୍ଧ ହେଉଛି। ସେହି ସାମ୍ବାଦିକମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ପ୍ରକାର କୌଶଳ ଓ କାର୍ଯ୍ୟାନୁଷ୍ଠାନର ଧମକ ଦେଉଛନ୍ତି। ବାସ୍ତବରେ ଏହିସବୁ କାରଣ ଯୋଗୁ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିଲେ ମଧ୍ୟ ମୁକ୍ତ ସାମ୍ବାଦିକତା କ୍ଷେତ୍ରରେ ଭାରତର ସ୍ଥାନ ବିଶ୍ୱରେ ୪୨ନଂ ସ୍ଥାନରେ ରହିଛି। ଅନେକ ସଚେତନ ସାମ୍ବାଦିକ ଦୈନିକ ଭାସ୍କର ଓ ସମାଚାର ଭାରତ ବିରୋଧରେ ଆୟକର କାର୍ଯନୁଷ୍ଠାନକୁ ମଧ୍ୟ ସେହି କ୍ରମରେ ବିଚାର କରୁଛନ୍ତି।

କେନ୍ଦ୍ରାପଡ଼ାର ସାମ୍ବାଦିକମାନେ ଯେଉଁ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ତାହା ସମାଜର ପ୍ରତ୍ୟେକ ସ୍ତରକୁ ବିସ୍ତାରିତ ହେବା ଉଚିତ। ଅନ୍ୟାୟ ଅନୀତି ବିରୋଧରେ ପ୍ରତିବାଦ କରିବା ଓ ଆନ୍ଦୋଳନ କରିବା ଏକ ସଂପୂର୍ଣ୍ଣ ଗଣତାନ୍ତ୍ରିକ ନ୍ୟାୟପୂର୍ଣ୍ଣ ବ୍ୟବସ୍ଥା। ଜନସାଧାରଣ ଏହି ପ୍ରକ୍ରିୟାକୁ ଧୀରେ ଧୀରେ ଭୁଲିଯାଇଥିବାରୁ ପ୍ରଶାସନକୁ ଏକଛତ୍ରବାଦୀ ହେବା ପାଇଁ ସୁଯୋଗ ମିଳୁଛି। ନ୍ୟାୟପାଳିକା ଜରିଆରେ ଅନ୍ୟାୟ ଅନୀତିର ସମାଧାନ ସମ୍ଭବ ବୋଲି ଯେଉଁମାନେ କହୁଛନ୍ତି ସେମାନେ ଭଲଭାବେ ଜାଣନ୍ତି ଯେ, ସାଧାରଣ ନାଗରିକ ସେହି ପନ୍ଥାରେ କଦାପି ସହଜରେ ନ୍ୟାୟ ପାଇବ ନାହିଁ। ତାହା ଛ’ଡ଼ା ଗଣତନ୍ତ୍ରରେ ପ୍ରତିବାଦ ଆନ୍ଦୋଳନ ସଂପୂର୍ଣ୍ଣ ଯୁକ୍ତିଯୁକ୍ତ। ନିକଟରେ ଆମେରିକାରେ ଏକ ବିକ୍ଷୋଭ ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନ ଫଳରେ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କର ଯେପରି ମୃତ୍ୟୁ ଘଟିଲା ତାହା ଆମେରିକାରେ ଏକ ନୂଆ ଆନ୍ଦୋଳନକୁ ଜନ୍ମଦେଲା। ଆମେରିକାରେ ବର୍ଣ୍ଣବାଦ ଲୋପ ଦିଗରେ ସେହି ଆନ୍ଦୋଳନ ସ୍ମରଣୀୟ ହୋଇରହିବ। ତେଣୁ କେନ୍ଦ୍ରାପଡ଼ା ସାମ୍ବାଦିକମାନଙ୍କର ପ୍ରତିବାଦ ଆନ୍ଦୋଳନକୁ ଗଣତନ୍ତ୍ରର ବିସ୍ତାରିତ ଆଭିମୁଖ୍ୟକୁ ନେଇ ବିଚାର କରାଯିବା ଉଚିତ।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

The post କେନ୍ଦ୍ରାପଡ଼ା ସାମ୍ବାଦିକ ଭୁଲ କରିନାହାନ୍ତି appeared first on Odisha Reporter.



from Odisha Reporter https://ift.tt/3BAeBJx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages