ବିଦ୍ୟାଳୟ ଶିକ୍ଷା ଏକ ଆହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 19, 2021

ବିଦ୍ୟାଳୟ ଶିକ୍ଷା ଏକ ଆହ୍ୱାନ

  • ସୂର୍ଯ୍ୟମଣି ମିଶ୍ର

ଏହା ମଧ୍ୟରେ ଦେଶର ନୂଆ ଶିକ୍ଷାମନ୍ତ୍ରୀ ଭାବରେ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବାର ଗୋଟିଏ ଦିନ ପରେ ଆଇଆଇଟି, ଆଇଆଇଏମ୍‌, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଜାତୀୟ ଶିକ୍ଷା ପ୍ରତିଷ୍ଠାନ ପ୍ରତି ନିଜର ଶ୍ରଦ୍ଧାବ୍ୟକ୍ତ କରିଛନ୍ତି। ପୂର୍ବର ଶିକ୍ଷାମନ୍ତ୍ରୀମାନେ ମଧ୍ୟ ଏପରି ଶ୍ରଦ୍ଧା ରଖୁଥିଲେ। ଏଯାଏଁ ହୁଏତ ଶିକ୍ଷାର ଭାରତୀୟକରଣ ବନାମ ଧର୍ମନିରପେକ୍ଷବାଦ ବିଚାରଧାରାର ଲଢେଇ ପ୍ରସଙ୍ଗ ଥିଲା ଆଜି ଦିନରେ ଏହାସହ ଯେଉଁ ପ୍ରସଙ୍ଗ ଯୋଡ଼ି ହୋଇଛି ତାହା ହେଲା ଶିକ୍ଷାର ଗୈରୀକରଣ। ଆଜି ଆମେ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଯାଉଛନ୍ତି ତାହା ହେଲା ଦେଶରେ ବିଦ୍ୟାଳୟ ଶିକ୍ଷା କିପରି କଠିନ ଆହ୍ୱାନକୁ ସାମ୍‌ନା କରୁଛି।

କୋଭିଡ଼-୧୯ ସଂକଟ ଏପରି ଅବସ୍ଥା ସୃଷ୍ଟି କରିଛି ଯେଉଁଥିରେ ବିଦ୍ୟାଳୟରେ ପଢୁଥିବା କୋମଳମତି ଛାତ୍ରୀ ଓ ଛାତ୍ର ବିଶେଷ ପ୍ରଭାବିତ ହୋଇଛନ୍ତି। ୧୦ ବର୍ଷ ବୟସର ଦୁଇ ଜଣରେ ଜଣେ ବିଦ୍ୟାର୍ଥୀଙ୍କର ଦକ୍ଷତା ହ୍ରାସ ପାଇଛି। ମହାମାରୀ ସମୟରେ ଏହି ସମସ୍ୟା ବଢ଼ିଛି। ୧୫.୫ ଲକ୍ଷ ବିଦ୍ୟାଳୟ ଦେଶରେ ଭୌତିକ ଭାବରେ ବନ୍ଦ ହୋଇଛି। ଏହି ବିଦ୍ୟାଳୟରେ ୨୪.୮ କୋଟିରୁ ଅଧିକ ଛାତ୍ରୀ ଓ ଛାତ୍ର ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଶ୍ରେଣୀଗୃହରେ ପଢିବା ଓ ଲେଖିବାରୁ ବଂଚିତ। ‘ଅଜିମ୍‌ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟ’ର ସଦ୍ୟତମ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ପ୍ରାଥମିକ ବିଦ୍ୟାଳୟର ୯୨ ପ୍ରତିଶତ ବିଦ୍ୟାର୍ଥୀ ଗଣିତ ଓ ଭାଷାକୁ ଭୁଲିଗଲେଣି। ସରକାରଙ୍କ ଦ୍ୱାରା ରେଡିଓ ଏବଂ ଟେଲିଭିଜନ କାର୍ଯ୍ୟକ୍ରମରେ ଲାଇଭ୍‌ ବ୍ୟାଖ୍ୟାନ ଯେକୋମଳମତି ପିଲାମାନଙ୍କ ବୌଦ୍ଧିକ ବିକାଶରେ ସଫଳ ହେବା ନିଶ୍ଚିତ ହୋଇପାରିନାହିଁ। ଅନଲାଇନ୍‌ ଶିକ୍ଷାର ବାର୍ଷିକ ରିପୋର୍ଟ ୨୦୨୦ରୁ ଜଣାପଡ଼ିଛି ଘରୋଇ ସ୍ତରରେ ହାରାହାରି ୬୦ ପ୍ରତିଶତ ବିଦ୍ୟାର୍ଥୀ ଟେଲିଭିଜନ ଏବଂ ସ୍ମାର୍ଟ ଫୋନ୍‌ ସୁବିଧା ପାଇଚନ୍ତି। ଟେକ୍‌ନିକ୍‌ ସଂଚାଳିତ ଶିକ୍ଷାନୀତି ଏମାନଙ୍କ ପାଇଁ ସହାୟକ ହୋଇଛି। କିନ୍ତୁ ପ୍ରଶ୍ନ ହେଉଛି ଏହି ଟେକ୍‌ନିକ୍‌ ସଂଚାଳିତ ଶିକ୍ଷା ନୀତି କେତେ ସଂଖ୍ୟକ ପିଲାଙ୍କୁ ବା କେତେ ପ୍ରତିଶତ ପିଲାଙ୍କୁ ପାଠ ପଢିବାରେ ଓ ଲେଖିବାରେ ସହାୟକ ହୋଇଛି?

ସରକାରଙ୍କ ପ୍ରଚାର ହେଉଛି ଏକବିଂଶ ଶତାବ୍ଦୀରେ ନୂଆ ଜାତୀୟ ଶିକ୍ଷାନୀତି-୨୦୨୦ ପିଲାଙ୍କ ପାଠ ପଢିବାରେ ସହାୟକ ହେବ। ଜାତୀୟ ଶିକ୍ଷା ପ୍ରାଦ୍ୟୋଗିକେ ମଂଚର ପରିକଳ୍ପନା ହେଉଛି ଭାରତରେ ଟେକ୍‌ନୋଲୋଜି ଆଧାରିତ ଶିକ୍ଷାକୁ ସୁନିଶ୍ଚିତ କରିବାକୁ ହେବ। ଶସ୍ତାରେ ଇଣ୍ଟରନେଟ୍‌ ସଂଯୋଗ ପ୍ରଦାନ କରାଯିବ। ଡିଜିଟାଲ ଇଣ୍ଡିଆର ଲକ୍ଷ୍ୟକୁ ଆଧାର କରି ଡିଜିଟାଲ ଶିକ୍ଷା ଦିଆଯାଉଛି। ସୋର୍ସ ଲର୍ଣ୍ଣିଂ ପ୍ଲାଟଫର୍ମ ତିଆରି ହେଉଛି। ଏଡୁ-ଟେକ୍‌ ବଜାରର ଦ୍ରୁତ ବୃଦ୍ଧି ଘଟୁଛି। ଏହି କ୍ଷେତ୍ରରେ ଏବେ ୪ ହଜାର ୫୦୦ରୁ ଅଧିକ ଷ୍ଟାର୍ଟ ଅପ୍‌ କାର୍ଯ୍ୟ କରୁଛି। ଏହାର ବଜାର ମୂଲ୍ୟ ହାରାହାରି ୭୦ କୋଟି ଡଲାରରୁ ଅଧିକ। ଆଗାମୀ ୧୦ ବର୍ଷରେ ଏହାର ଆକାର ୩୦ ଅରବ ଡଲାରରେ ପହଂଚିବାର ସମ୍ଭାବନା ଅଛି। ଏହି ଡ଼ିଜିଟାଲ ଏଜୁକେଶନକୁ ବ୍ୟାପକ କରିବା ପାଇଁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ କାର୍ଯ୍ୟକ୍ରମ ଚାଲିଛି। ଯେପରି ଅରୁଣାଞ୍ଚଳ ପ୍ରଦେଶରେ ନାମ୍‌ସାର ଆଶ୍ରମରେ କ୍ୟାରିଅର ମାର୍ଗଦର୍ଶନ ପୋର୍ଟାଲ, ମିଜୋରାମରେ ଆମର ବିଦ୍ୟାଳୟ, ଗୁଜୁରାଟରେ ସମର୍ଥ, ଝାଡ଼ଖଣ୍ଡରେ ଡିଜିସାଥ୍‌, ହିମାଚଳରେ ପ୍ରତିଘରେ ପାଠଶାଳା, ଉତ୍ତରାଖଣ୍ଡରେ ସାମୁଦାୟିକ ରେଡିଓ, ମଧ୍ୟପ୍ରଦେଶ ଡିଜିଏଲ୍‌ଇଟି, କେରଳରେ ଅକ୍ଷରବୃକ୍ଷମ୍‌ ଭଳି ଏଡୁ-ଟେକ୍‌ କାର୍ଯ୍ୟକ୍ରମ ଚାଲିଛି। ଏହା ସତ୍ତ୍ୱେ ୬୦ ପ୍ରତିଶତରୁ ଅଧିକ ପିଲା ଏହି ଶିକ୍ଷା କାର୍ଯ୍ୟକ୍ରମ ସହ ନିଜକୁ ଯୋଡ଼ି ପାରୁନାହାନ୍ତି। ଆନୁଆଲ୍‌ ଷ୍ଟାଟସ୍‌ ଅଫ୍‌ ଏଜୁକେଶନ ରିପୋର୍ଟ-୨୦୨୦ଅନୁଯାୟୀ ମହାମାରୀ ସମୟରେ ଶିକ୍ଷାର ଗୁଣବତ୍ତା ପଢ଼ିବା ଓ ଲେଖିବା ବିଶେଷ ଭାବରେ ପ୍ରଭାବିତ ହୋଇଛି। ୪୨ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍‌ ନାହିଁ। ଅଧିକ ଗରିବ ପରିବାର ମଧ୍ୟରୁ ୫୫ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍‌ ନାହିଁ। ଗ୍ରାମାଞ୍ଚଳରେ ୩୫ ପ୍ରତିଶତ ବିଦ୍ୟାର୍ଥୀଙ୍କ ପାଖରେ ପଢ଼ିବା ଲେଖିବା ପାଇଁ ସହାୟକ ସାମଗ୍ରୀ ନାହିଁ। କୋଭିଡ଼-୧୯ କାରଣରୁ ବିଦ୍ୟାଳୟଗୁଡ଼ିକ ଗତ ୧ ବର୍ଷରୁ ଅଧିକ ସମୟ ଧରି ବନ୍ଦ ରହିବା ଫଳରେ ପଢୁଥିବା ପିଲାମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି।

ଫେବୃଆରୀ ୨୦୨୧ରେ ଅଜିମ୍‌ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟ ନିଜ ସର୍ବେକ୍ଷଣ ରିପୋର୍ଟରେ ସୂଚାଇଛି ଯେ, ୫୪ ପ୍ରତିଶତ ଛାତ୍ରୀଓ ଛାତ୍ରଙ୍କ ମୌଖିକ ଅଭିବ୍ୟକ୍ତି ଉପରେ ବିପରିତ ପ୍ରଭାବ ପଡ଼ିଛି। ୪୨ ପ୍ରତିଶତ ବିଦ୍ୟାର୍ଥୀ ପୂର୍ବ ଅପେକ୍ଷା ପଢିବାର କ୍ଷମତା ହରାଇଛନ୍ତି। ୪୦ ପ୍ରତିଶତ ବିଦ୍ୟାର୍ଥୀ ଲେଖିବା ପାଇଁ ନିଜକୁ କଷ୍ଟ ଅନୁଭବ କରୁଛନ୍ତି। ୮୨ ପ୍ରତିଶତ ବିଦ୍ୟାର୍ଥୀ ପୂର୍ବ ଶ୍ରେଣୀରେ ପଢ଼ିଥିବା ଗଣିତ ପାଠକୁ ଭୁଲିଗଲେଣି। ଦେଶର ୧୬ ହଜାର ୬୭ ବିଦ୍ୟାର୍ଥୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ମିଥ୍ସ ଅଫ୍‌ ଅନ୍‌ଲାଇନ୍‌ ଏଜୁକେଶନ ଉପରେ ୮୦ ହଜାର ବିଦ୍ୟାର୍ଥୀଙ୍କୁ ନେଇ କରାଯାଇଥିବା ସର୍ଭେରେ ସୂଚନା ମିଳିଛି ଯେ, ୬୦ ପ୍ରତିଶତ ଶିଶୁଙ୍କ ପାଖରେ ମୋବାଇଲ ବା ଲାପ୍‌ଟପ୍‌ ନାହିଁ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜୁଲାଇ ୨୦୨୦ରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନବୋଦୟ ବିଦ୍ୟାଳୟ ସମିତି ଏବଂ ସିବିଏସ୍‌ସି ବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ନେଇ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ୨୭ ପ୍ରତିଶତ ପିଲାଙ୍କ ପାଖରେ ମୋବାଇଲ ଓ ଲାପ୍‌ଟପର ଅଭାବ ରହିଛି। ଛାତ୍ରଛାତ୍ରୀମାନେ କହିଥିଲେ ଯେ, ଇଣ୍ଟରନେଟ୍‌ କନେକ୍ଟଭିଟିର ଅଭାବ ଦେଖିବାକୁ ମିଳିଛି। ଏହା ସହ ଇଣ୍ଟରନେଟ୍‌ର ମନ୍ଥରଗତି।

ଏକାଉଣ୍ଟବିଲିଟି ଇନ୍‌ସିଏଟିଭ୍‌ ତଥା ସେଣ୍ଟର ଫର ପଲିସି ରିସର୍ଚ୍ଚ ଦ୍ୱାରା ଚାଲିଥିବା ଇନ୍‌ସାଇଟି ଡିଷ୍ଟି୍ରକ୍ଟ କାର୍ଯ୍ୟକ୍ରମରୁ ଜଣାପଡ଼ିଛି ଏହି ସମୟରେ ଶିକ୍ଷା ଦାନରେ ବାଧା ଉପୁଜିଛି। ଆନୁଆଲ୍‌ ଷ୍ଟାଟସ୍‌ ଅଫ୍‌ ଏଜୁକେଶନ୍‌ ରିପୋର୍ଟ-୨୦୨୦ ଅନୁଯାୟୀ ଡିଜିଟାଲ ଶିକ୍ଷା ପାଇଁ ଯେଉଁ ସଂସାଧନ ଓ ସୁବିଧା ମିଳିବା କଥା ତାହା ଉପଲବ୍ଧ ହୋଇପାରୁନାହିଁ। ହ୍ୟୁମାନ ରାଇଟ୍ସ ୱାଚ୍‌ ୧୭ ମେ, ୨୦୨୧ରେ ପ୍ରକାଶ କରିଥିବା ‘ଇୟର୍ସ ଡଟ୍‌ ୱେଟ୍‌ ଫର୍‌ ଦେନ୍‌ ଇନ୍‌କି୍ରସ୍‌ଡ ଇନ୍‌ ଇକ୍ୱାଲିଟି ଇନ୍‌ ଚିଲ୍‌ଡ୍ରେନ୍ସ, ରାଇ ଟୁ ଏଜୁକେଶନ ଡିଉଟୁ  ଦ’ କୋଭିଡ଼୍‌-୧୯’ ମହାମାରୀ ରିପୋର୍ଟରେ ଭାରତର ବିଦ୍ୟାଳୟ ଶିକ୍ଷା ଉପରେ କିପରି ପ୍ରଭାବ ପଡ଼ିଛି ତାହା ଉଲ୍ଲେଖ ରହିଛି। ଏଥିପାଇଁ ଏହି ସଂଗଠନ ଉଦବେଗ ପ୍ରକାଶ କରିଛି ମଧ୍ୟ। ରାଇଟ୍‌ ଟୁ ଏଜୁକେଶନ ଫୋରମର ପଲିସି ବି୍ରଫ୍‌ ଅନୁସାରେ ଭାରତର ଏକକୋଟି ଭାରତୀୟ ବାଳିକା ହାଇସ୍କୁଲ ସ୍ତରରେ ଡ୍ରପ୍‌ ଆଉଟ୍‌ ହୋଇପାରନ୍ତି। ଦେଶର ୨୬ କୋଟି ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ କିପରି ସଶକ୍ତ ହେବ ତାହା ହେଉଛି ଆଜି ଦିନରେ କେନ୍ଦ୍ରର ନୂଆ ଶିକ୍ଷାମନ୍ତ୍ରୀଙ୍କ ପାଇଁ ବଡ଼ ଆହ୍ୱାନ।

ଶିକ୍ଷାର ଗୈରିକୀକରଣ, ଭାରତୀୟକରଣ କିମ୍ବା ଧର୍ମନିରପେକ୍ଷବାଦର ପ୍ରୟୋଗ ଅପେକ୍ଷା ଭୁଶୁଡ଼ି ପଡ଼ିଥିବା ବିଦ୍ୟାଳୟ ଶିକ୍ଷା କିପରି ସଜଡ଼ା ଯାଇପାରିବ ସେ ଦିଗରେ ନିଜର ଦାୟିତ୍ୱ ପାଳନ କରିବା ଉଚିତ୍‌। କାରଣ ଶିକ୍ଷା କ୍ଷେତ୍ରରେ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଏବେବି ଦଳିତ, ଆଦିବାସୀ, ପଛୁଆବର୍ଗ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପିଲାମାନେ ଅଧିକ ଭାବରେ ଶିକ୍ଷାଠାରୁ ଦୂରରେ ରହିଛନ୍ତି। ଖାଲି ଶୈକ୍ଷିକ ଅସମାନତା ନୁହେଁ, ସାମାଜିକ ଓ ଆର୍ଥିକ ଅସମାନତା ଉପରେ ସମୀକ୍ଷା ଜରୁରୀ। ଆର୍ଥିକ ଦୃଷ୍ଟିରୁ ଯେଉଁମାନେ ତଳେ ରହିଛନ୍ତି ସେମାନଙ୍କ ପିଲାମାନେ କିପରି ପାଠ ପଢ଼ିବେ ଏବଂ ଦେଶକୁ ଗଢ଼ିବାରେ ନିଜର ଭୂମିକା ନିର୍ବାହ କରିବେ ସେ ଦିଗରେ ନୂଆ ଶିକ୍ଷାମନ୍ତ୍ରୀ ନିଜର ପ୍ରମୁଖ ଓ ପରମ ଦାୟିତ୍ୱ ପାଳନ କରିବାର ସମୟ ଆସିଛି। କେବଳ ଭାଷଣରେ ନୁହେଁ, ବରଂ ସମସ୍ତଙ୍କ ପାଇଁ ଶିକ୍ଷା ସମସ୍ତେ ପଢ଼ିବେ ଓ ବଢ଼ିବେ ଏହାର ବାସ୍ତବ ରୂପାୟନ ଦିଗରେ ସାମ୍ବିଧାନିକ ଦାୟିତ୍ୱ ପାଳନ କରିବା ବଡ଼ ଆହ୍ୱାନ ଭାବେ ଠିଆ ହୋଇଛି। କାରଣ ବିଦ୍ୟାଳୟର ଶିକ୍ଷା ଶିକ୍ଷାମନ୍ତ୍ରୀଙ୍କ ପାଇଁ ଏକ ଆହ୍ୱାନ ଏଥିପାଇଁ ଯେ, କୋଟି କୋଟି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ବଳୟରେ।

The post ବିଦ୍ୟାଳୟ ଶିକ୍ଷା ଏକ ଆହ୍ୱାନ appeared first on Odisha Reporter.



from Odisha Reporter https://ift.tt/2VRuNpg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages