କୋଲକାତା: ନିର୍ବାଚନୀ ପରବର୍ତ୍ତୀ ହିଂସା ବିରୋଧୀ ବିଜେପିର ଏକ ମିଛ ପ୍ରହେଳିକା। ଏଭଳି କିଛି ହିଂସା ନାହିଁ, ସବୁ ସ୍ୱାଭାବିକ ରହିଛି ବୋଲି କହୁଥିବା ପଶ୍ଚିମବଙ୍ଗର ମମତା ସରକାରକୁ ଜୋରଦାର ଝଟକା ଦେଇଛନ୍ତି କୋଲକାତା ହାଇକୋର୍ଟ। ଏହି ପ୍ରସଙ୍ଗରେ ଶୁଣାଣି କରି ହାଇକୋର୍ଟ ନିର୍ବାଚନ ପରେ ହୋଇଥିବା ହିଂସା ବାବଦରେ ସମସ୍ତ ମାମଲାରେ ଏଫଆଇଆର କରିବାକୁ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଯେଉଁମାନେ ହିଂସାରେ ପ୍ରଭାବିତ ହୋଇଥିବା ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା ଓ ରାସନ ସାମଗ୍ରୀ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହା ସେଇମାନଙ୍କ ପାଇଁ ଲାଗୁ ହେବ ଯେଉଁମାନଙ୍କର କାର୍ଡ ନାହିଁ।
ଖାଲି ଏତିକି ନୁହେଁ ଏହି ମାମଲାରେ ଏନଏଚଆରସି ଟିମର ତଦନ୍ତ ଅବଧିକୁ ବଢ଼ାଇଛନ୍ତି ହାଇକୋର୍ଟ। ଏବେ ଜୁଲାଇ ୧୩ ଯାଏ ଏନଏଚଆରସି ଏହି ମାମଲାର ତଦନ୍ତ କରିବ। ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩ରେ ହେବ ବୋଲି କୋର୍ଟ ସ୍ଥିର କରିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ନିର୍ବାଚନ ପରେ ହୋଇଥିବା ସମସ୍ତ ହିଂସା ମାମଲାର ସମସ୍ତ ଦସ୍ତାବିଜ ସୁରକ୍ଷିତ ରହିବା ଦରକାର।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ଅନେକ ଲୋକ ହିଂସାର ଶିକାର ହୋଇ ପଡ଼ୋଶୀ ରାଜ୍ୟକୁ ପଳାଇଛନ୍ତି। ପ୍ରାଣ ଭୟରେ ସେମାନେ ଆଉ ଫେରିବାକୁ ଚାହୁଁ ନାହାନ୍ତି ବୋଲି ଅଭିଯୋଗ ରହିଛି। ହେଲେ ସରକାର ଏସବୁ ଅଭିଯୋଗକୁ ଗ୍ରହଣ କରୁନଥିଲେ। ପରେ ସେହି ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଏବଂ ଫେରାଇ ଆଣିବାକୁ ଏକ ପିଆଇଏଲ ଦାଖଲ ହୋଇଥିଲା। କୋର୍ଟ ଗତମାସରେ ଏହି ମାମଲାର ଶୁଣାଣି କରି ଜାତୀୟ ମାନବାଧିକାର କମିଶନଙ୍କୁ ହିଂସା ମାମଲାର ତଦନ୍ତ ଦାୟିତ୍ୱ ଦେଇଛନ୍ତି।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୭ ଜଣିଆ ଟିମ୍ ଗଠନ କରିଥିଲେ ଜାତୀୟ ମାନବାଧିକାର କମିଶନ। ଏହି ଟିମ୍ ନିକଟରେ ଯାଦବପୁର ତଦନ୍ତ କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣ ପଛରେ ଟିଏମସି ରହିଥିବା ଅଭିଯୋଗ ହୋଇଥିଲା।
ଜୁନ୍ ୧୯ରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ହାଇକୋର୍ଟ କହିଥିଲେ, ହିଂସା ଘଟଣାରେ ପଦକ୍ଷେପ ନେବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ୱନ କରିଛନ୍ତି। ଏମିତି ହେଲେ ରାଜ୍ୟ କିଭଳି ଆଗକୁ ଯିବ? ସରକାରରେ ଯିଏ ରହୁ ଲୋକଙ୍କ ବିଶ୍ୱାସ ଜିଣିବା ଦରକାର। ସରକାର ମନ ଇଚ୍ଛା ଚାଲିପାରିବ ନାହିଁ। ଲୋକଙ୍କ ଜୀବନ ଏବଂ ସମ୍ପତ୍ତି କିଭଳି ସୁରକ୍ଷିତ ରହିବ ତାହା ସରକାରଙ୍କ ଦାୟିତ୍ୱ ବୋଲି କହିଥିଲେ ହାଇକୋର୍ଟ।
The post ନିର୍ବାଚନୀ ପରବର୍ତ୍ତୀ ହିଂସା ମାମଲାରେ ମମତାଙ୍କୁ ଜୋରଦାର ଝଟକା appeared first on Odisha Reporter.
from Odisha Reporter https://ift.tt/2SLymMK
No comments:
Post a Comment