ମୁମ୍ୱାଇ: କେନ୍ଦ୍ରର ତିନି କୃଷି ଆଇନ ପ୍ରସଙ୍ଗରେ ପୂର୍ବତନ କୃଷିମନ୍ତ୍ରୀ ତଥା ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କେନ୍ଦ୍ରକୁ ସୁହାଇଲା ଭଳି ମତ ରଖିଛନ୍ତି। ଗତବର୍ଷ କେନ୍ଦ୍ର ସରକାର ତିନି କୃଷି ଆଇନ ଆଣିବା ପରଠୁ ଏଯାବତ ବିବାଦ ରହିଛି। ତିନି କୃଷି ଆଇନକୁ ବିରୋଧ କରି ୟୁପି ଓ ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନରେ ବସିଛନ୍ତି। ଏହାକୁ ନେଇ ରାଜନୀତିକ ବିବାଦ ମଧ୍ୟ ରହିଛି। କୃଷି ଆଇନକୁ ଏନସିପି ମଧ୍ୟ ବିରୋଧ କରିଛି। ଆଗକୁ ସଂସଦର ମୌସୁମୀ ଅଧିବେଶନ ରହିଥିବା ବେଳେ ଆନ୍ଦୋଳନରତ ଚାଷୀ ଜାନୁଆରୀ ୨୬ ଭଳି ଟ୍ରାକ୍ଟର ପରେଡ କରିବାକୁ ଯୋଜନା କରିଛନ୍ତି। ଆନ୍ଦୋଳନରତ ଚାଷୀଙ୍କ ଦାବି ତିନି କୃଷି ଆଇନ୍ ସଂଶୋଧନ ହେବା ଦରକାର ନହେଲେ ରଦ୍ଦ ହେଉ। ଏହାରି ଭିତରେ ଏନସିପି ସୁପ୍ରିମୋ କିନ୍ତୁ କେନ୍ଦ୍ରକୁ ସୁହାଇଲା ଭଳି ମତ ରଖିଛନ୍ତି।
କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ଶରଦ ପାଓ୍ୱାରଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ‘ମୁଁ ପୂର୍ବତନ କୃଷି ମନ୍ତ୍ରୀଙ୍କ ସେହି ମନ୍ତବ୍ୟକୁ ସ୍ୱାଗତ କରୁଛି, ଯେଉଁଥିରେ ସେ ସମସ୍ତ କୃଷି ଆଇନ୍ ସଂଶୋଧନ ହେବାର ଆବଶ୍ୟକ ନାହିଁ ବୋଲି କହିଥିଲେ। ଯେଉଁ ଧାରା ଉପରେ ଆପତ୍ତି ରହିଛି ବିଚାର ବିମର୍ଶ ଜରିଆରେ ସେହି ବିବାଦ ଗୁଡ଼ିକର ସମାଧାନ ହେବା ଦରକାର ବୋଲି କହିଥିଲେ’। କେନ୍ଦ୍ର ସରକାର ପାଓ୍ୱାରଙ୍କ ମନ୍ତବ୍ୟକୁ ସ୍ୱାଗତ କରୁଛନ୍ତି। କୃଷି ଆଇନକୁ ନେଇ ଯେଉଁ ବିବାଦ ରହିଛି ତାର ସମାଧାନ ହେବା ଦରକାର ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ଶରଦ ପାଓ୍ୱାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ବାର୍ତ୍ତା କରିବା ବେଳେ କହିଥିଲେ, ଗତ ୬ମାସ ଧରି ଚାଷୀମାନେ ଆନ୍ଦୋଳନ କରୁଛନ୍ତି। କେନ୍ଦ୍ର ଏବଂ କୃଷକଙ୍କ ମଧ୍ୟରେ ବିବାଦ ଲାଗି ରହିଛି। କେନ୍ଦ୍ର ସେମାନଙ୍କ ସହ କଥା ହେବା ଦରକାର। ଏଥି ପାଇଁ ନେତୃତ୍ୱ ନେବା ଦରକାର।
ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏନସିପି ମୁଖ୍ୟ କହିଛନ୍ତି, “ବାଲାସାହେବ ଥୋରାଟଙ୍କ ସହ ଏହା ଉପରେ ଆଲୋଚନା କରାଯାଇଛି। ଯେହେତୁ ବିଲ୍ ପାସ ହୋଇସାରିଛି, ସେଗୁଡିକ ପାରିତ ହେବା ପୂର୍ବରୁ ରାଜ୍ୟମାନେ ବିବାଦୀୟ ବିଷୟ ଉପରେ ଆଲୋଚନା କରିବା ଉଚିତ ଏବଂ ନିଷ୍ପତ୍ତି ନେବେ। ମୁଁ ଭାବୁନାହିଁ ଯେ ଏହା ଆସିବ। ଦୁଇ ଦିନିଆ ବିଧାନସଭା ଅଧିବେଶନରେ ଯଦି ଏହା ଆସେ, ତେବେ ଆଲୋଚନା ହେବା ଉଚିତ୍। “
ମହାରାଷ୍ଟ୍ର ବିଧାନସଭା ଅଧିବେଶନ ଜୁଲାଇ ୫ରୁ ୬ ମଧ୍ୟରେ ଅନୁଷ୍ଠିତ ହେବ। ଗୁରୁବାର ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ କୃଷି ଆଇନ ରଦ୍ଦ ବ୍ୟତୀତ କେନ୍ଦ୍ର ସରକାର ସମସ୍ତ ବ୍ୟବସ୍ଥା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରିବା ବେଳେ ତୋମାର କହିଛନ୍ତି ଯେ ଆମେ କୃଷକ ସଂଘକୁ କହିଛୁ ଯେ ସରକାର ଏହାକୁ ରଦ୍ଦ କରିବା ବ୍ୟତୀତ କୃଷି ଆଇନର ବ୍ୟବସ୍ଥା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ ତିନି କୃଷି ବିଲ୍ ଚାଷୀଙ୍କ ଜୀବନଶୈଳୀରେ ଗୋଟିଏ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି।
The post ତିନି କୃଷି ଆଇନ: କେନ୍ଦ୍ରକୁ ସୁହାଇଲା ଭଳି ମତ ରଖିଲେ ପାଓ୍ୱାର, କୃଷିମନ୍ତ୍ରୀ କଲେ ସ୍ୱାଗତ appeared first on Odisha Reporter.
from Odisha Reporter https://ift.tt/2UUNMPg
No comments:
Post a Comment