ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ। ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନକୁ ଆଜି ସୁପ୍ରିମ୍କୋର୍ଟ ଖାରଜ କରି ଦେଇଛନ୍ତି।
ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି।
ଏହି ରାୟ ଦେବା ଅବସରରେ ଜଷ୍ଟିସ୍ ରମନ୍ନା କହିଥିଲେ, ଏମିତି କରିବାକୁ ମୋତେ ଭଲ ଲାଗୁନି। କିନ୍ତୁ ଆମେ ନାଚାର। ଆସନ୍ତା ବର୍ଷ ଭଗବାନ ରଥଯାତ୍ରା ପାଇଁ ଅନୁମତି ଦେବେ ବୋଲି ଆଶା କରୁଛୁ।
ପୂର୍ବରୁ ଏ ସଂପର୍କିତ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଥିଲେ। ଏହାପରେ ଆବେଦନକାରୀମାନେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ଛଡ଼ା ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରାକୁ ଅନୁମତି ଦେଇ ନାହାନ୍ତି। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା। କେନ୍ଦ୍ରାପଡ଼ା, ବାରିପଦା ନୀଳଗିରି ଓ ଭଟ୍ଲି ଆଦି ସ୍ଥାନରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ହାଇକୋର୍ଟ ଓ ପରେ ସୁପ୍ରିମ୍କୋର୍ଟରେ ଏକାଧିକ ଆବେଦନ ହୋଇଥିଲା।
ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇଥିଲେ ହେଁ ବହୁତ କଟକଣା ରଖାଯାଇଛି। ଗତ ବର୍ଷ ଭଳି ଚଳିତ ବର୍ଷ ବି ଏଠାରେ ବିନା ଭକ୍ତରେ ରଥଯାତ୍ରା ଆୟୋଜନ ହେବ। ସେବାୟତମାନଙ୍କର ଏକାଧିକ ଥର କରୋନା ଟେଷ୍ଟ ହେବ। ଯେଉଁମାନଙ୍କର ନେଗେଟିଭ୍ ରିପୋର୍ଟ ଆସିବ, ସେମାନେ କେବଳ ଏଥିରେ ସାମିଲ ହୋଇପାରିବେ। ସେହିପରି ରଥଯାତ୍ରା ସମୟରେ ପୂରା ପୁରୀ ସହରରେ ୧୪୪ ଧାରା ଜାରି ହେବ। ବାହାରୁ ଏଠାକୁ କେହି ଲୋକ ଆସିବେନି କି ପୁରୀ ଲୋକ ଏଥିରେ ସାମିଲ ହେବେ ନାହିଁ। ଏମିତିକି ବଡ଼ଦାଣ୍ଡରେ ଦୁଇ ପାର୍ଶ୍ୱରେ ଥିବା ଘର, ଧର୍ମଶାଳା, ହୋଟେଲ୍ ଆଦିର ଛାତ ଉପରୁ କେହି ରଥଟଣା ଦେଖି ପାରିବେ ନାହିଁ। ରଥଯାତ୍ରାର ଦୁଇ ଦିନ ପୂର୍ବରୁ ବଡ଼ଦାଣ୍ଡରେ ଥିବା ହୋଟେଲ୍ ଓ ଲଜ୍ ଗୁଡ଼ିକୁ ଖାଲି କରି ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
The post ପୁରୀ ବ୍ୟତୀତ ଅନ୍ୟ କେଉଁଠି ହୋଇପାରିବନି ରଥଯାତ୍ରା, ଆବେଦନ ଖାରଜ କଲେ ସୁପ୍ରିମ୍କୋର୍ଟ appeared first on Odisha Reporter.
from Odisha Reporter https://ift.tt/3qMzqwi
No comments:
Post a Comment