ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିବା ବେଳେ ଯେଉଁ ତିନି ହେବିଓ୍ୱେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସେମାନେ ହେଲେ ରବି ଶଙ୍କର ପ୍ରସାଦ, ଡାକ୍ତର ହର୍ଷବର୍ଦ୍ଦନ ଏବଂ ପ୍ରକାଶ ଜାଭଡ଼େକର। ଏବେ ଏହି ତିନି ନେତାଙ୍କୁ ଦଳ ଗୁରୁ ଦାୟିତ୍ୱ ଦେବ ବୋଲି ଶୁଣାଯାଉଛି। ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ରାଷ୍ଟ୍ରୀୟ ସଚିବଙ୍କ ସହ ଏ ନେଇ ଆଜି ଦଳର ହେଡ଼କ୍ୱାର୍ଟରରେ ବୈଠକ କରୁଥିବା ସୂଚନା ରହିଛି।
ଆଗକୁ ୟୁପି ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ବିଜେପି ମୁଖ୍ୟତଃ ରବିଶଙ୍କର ପ୍ରସାଦ ଏବଂ ଜାଭଡେକରଙ୍କୁ ଦଳର ମହାସଚିବ କିମ୍ୱା ଉପାଧ୍ୟକ୍ଷ ପଦରେ ନିଯୁକ୍ତ କରିପାରେ। ଏଥିସହ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନୂଆ ଦାୟିତ୍ୱ ଦେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
କହିରଖୁଛୁ ବିଜେପିର ପ୍ରାୟତଃ ବଡ଼ ନିଷ୍ପତ୍ତି ପାର୍ଲାମେଣ୍ଟାରୀ ବୋର୍ଡ ନେଇଥାଏ। ହେଲେ ଅରୁଣ ଜେଟଲୀ, ସୁଷମା ସ୍ୱରାଜ ଏବଂ ଅନନ୍ତ କୁମାରଙ୍କ ଦେହାନ୍ତ ପରେ ପାର୍ଲାମେଣ୍ଟାରୀ ବୋର୍ଡରେ ଏହି ତିନି ଜଣଙ୍କ ସ୍ଥାନ ଏଯାବତ ପୂରଣ ହୋଇପାରି ନାହିଁ। ଏବେ ଏହି ବୋର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ସଭାପତି ଜେପି ନଡ୍ଡା ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ରହିଛନ୍ତି। ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଫାଙ୍କା ଥିବା ପଦବୀରେ ପୂରଣ କରିବାକୁ ବିଜେପି ମୁଖିଆ ଚିନ୍ତା କରୁଥିବା ସୂଚନା ରହିଛି।
ନଡ୍ଡା ଆଜି ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବୈଠକ କରିବା ପୂର୍ବରୁ ଦୁଇ ଦିନିଆ ଗୋଆ ଗସ୍ତକୁ ବାତିଲ କରିଛନ୍ତି। ଜୁଲାଇ ୧୨ ଏବଂ ୧୩ରେ ନଡ୍ଡା ଗୋଆ ଯାଇ ଆଗାମୀ ବିଧାନସଭା ନିର୍ବାଚନ ନେଇ ପ୍ରସ୍ତୁତି କରିଥାନ୍ତେ ବୋଲି ସୂଚନା ରହିଛି। ଦେଲେ ଦିଲ୍ଲୀରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାମକୁ ଦେଖି ସେ ଗୋଆ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିଥିବା ଜଣାପଡ଼ିଛି।
ସେହିପରି ଜୁଲାଇ ୭ରେ ଯେତେବେଳେ ୧୨ ମନ୍ତ୍ରୀ ଇସ୍ତଫା ଦେଇଥିଲେ ସେତେବେଳେ ବିଜେପି କହିଥିଲା ଏବେ ଆପଣଙ୍କ ଅଭିଜ୍ଞତାର ଫାଇଦା ଦଳ ଆଶା ରଖୁଛି। ଏହାର ଅର୍ଥ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନେତାଙ୍କୁ ପରୋକ୍ଷରେ କହି ଦେଇଥିଲା ଯେ ଆଗାମୀ ଦିନରେ ଦଳ ଆପଣଙ୍କୁ ଗୁରୁ ଦାୟିତ୍ୱ ଦେଇପାରେ।
The post ଅସନ୍ତୁଷ୍ଟଙ୍କୁ ଖୁସି କରାଇବେ ମୋଦି, ଦେଇପାରନ୍ତି ଗୁରୁ ଦାୟିତ୍ୱ appeared first on Odisha Reporter.
from Odisha Reporter https://ift.tt/3B1oG1Y
No comments:
Post a Comment