ମୋହନା(ମିହିର ଜତି): ୩ ଦଶନ୍ଧି ବିତିଲାଣି। ହେଲେ ସରିପାରୁନି ଛେଳିଗଡ଼ ବୃହତ ଜଳସେଚନ ପ୍ରକଳ୍ପ କାମ । ବ୍ୟୟ ଅଟକଳ ୫୭ କୋଟିରୁ ଆସି ପହଞ୍ଚିଲାଣି ୭୦୮କୋଟିରେ । ମାତ୍ର ମଝିରେ ବାଟ ଓଗାଳିଛି ବିସ୍ଥାପନ ସମସ୍ୟା । ପ୍ରଶାସନ କିନ୍ତୁ କହୁଛି ବିସ୍ଥାପନ ସମସ୍ୟା ଦୂର କରିବାକୁ ଚାଲିଛି ଯୋଜନା । ଖୁବ୍ଶୀଘ୍ର ଗଜପତି ଛେଳିଗଡ଼ ବୃହତ ଜଳସେଚନ ପ୍ରକଳ୍ପର କାମ ଆରମ୍ଭ ହେବ ।
ସୂଚନାଯୋଗ୍ୟ, ଗଜପତି ଜିଲ୍ଲା ଛେଳିଗଡ଼ ଗାଁ ନିକଟ ଦେଇ ବହିଯାଇଥିବା ବଡ଼ଜୋର ନଦୀ ଉପରେ ଡ୍ୟାମ୍ ନିର୍ମାଣ ପାଇଁ ହୋଇଥିଲା ଯୋଜନା । ଏଥିପାଇଁ ୧୯୮୫ ମସିହାରେ ଜଳସଂପଦ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ନକ୍ସା । ୧୯୮୯ରେ ୫୭ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିଲା କାମ । ମାତ୍ର ୨୦୦୫ରେ ଏହା ୨ ଶହ କୋଟି ଏବଂ ୨୦୧୮-୧୯ରେ ଏହାର ବ୍ୟୟ ଅଟକଳ ୭୦୮ କୋଟିରେ ପହଞ୍ଚିଲାଣି । ତଥାପି ତୁଟୁନି ବିସ୍ଥାପନ ସମସ୍ୟା କି ଆରମ୍ଭ ହୋଇପାରୁନି କାମ ।
ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ଜମିରେ ଚାଷ କରିବା ସମ୍ଭବ ନୁହେଁ, ତା’ ଛଡ଼ା ଘର କରିବା ପାଇଁ ମିଳୁଥିବା ସହାୟତା ରାଶି ମଧ୍ୟ ଯଥେଷ୍ଟ ନୁହେଁ ବୋଲି ଅଭିଯୋଗ କରିଛନ୍ତି ବିସ୍ଥାପିତ ।
ଏନେଇ ବିସ୍ଥାପିତ ହେବାକୁ ଥିବା ପ୍ରମୋଦ କାର୍ଯ୍ୟୀ କହିଛନ୍ତି, ସରକାର ଆମକୁ ପାହାଡ଼ ଉପରେ ଥଇଥାନ କରିବାକୁ ଚାହୁଁଥିବା ବେଳେ ସେଠାରେ ଚାଷ କରିବାକୁ ଜାଗା ନାହିଁ। ପର୍ବତ ଉପରେ ଘର କରିବାକୁ ମିଳୁଥିବା ଟଙ୍କା ପର୍ଯ୍ୟାପ୍ତ ନୁହେଁ।
ଅରୁଣେନ୍ଦ୍ର ଭୂୟାଁ ନାମକ ଅନ୍ୟ ଜଣେ ବିସ୍ଥାପିତ କହିଛନ୍ତି, ଘର କରିବାକୁ ଆମକୁ ଅଢେଇ ଲକ୍ଷ ଟଙ୍କା ଦେଉଛନ୍ତି। ସେଥିରେ ଘର କରିବା ସମ୍ଭବ ନୁହେଁ। ସବୁ ସୁବିଧା ଦେଲେ ଆମେ ଏଠାରୁ ହଟିବୁ।
ଏନେଇ କୁମାରୀ କାର୍ୟୀ ନାମ୍ନୀ ଅନ୍ୟ ଜଣେ ବିସ୍ଥାପିତ କହିଛନ୍ତି, ସେ ଯେଉଁ ଜାଗା ଦେଉଛନ୍ତି ତାହାକୁ ଦେଖିଲେ ଆଖିରୁ ଲୁହ ବାହାରୁଛି। କିଛି ମୂଲ୍ୟ ନାହିଁ। ଚାରିଆଡ଼େ ପଥର। ବିଦ୍ୟୁତ୍ ଦେଲେ କ’ଣ ହେବ , ଖାଇବାକୁ ତ ଦାନା ନାହିଁ। ଜମି ନାହିଁ, ଚାଷ ଜମି ନାହିଁ, ବାଡ଼ି ନାହିଁ। ଆମେ କିଛି ଫସଲ କରି ବିକିଲେ ତ ଖାଇବୁ, ନଚେତ ଖାଇବୁ କ’ଣ।
ଛେଳିଗଡ଼ଠାରେ ଏହି ଡ୍ୟାମ୍ ନିର୍ମାଣ ହେଲେ ଗଜପତି ଜିଲ୍ଲାର ୧ ହଜାର ହେକ୍ଟର ଓ ଗଂଜାମ ଜିଲ୍ଲାର ୫ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ହୋଇପାରିବ । ଏଥିସହ ୩୬ ମେଗାଓ୍ୱାଟ୍ ବିଦ୍ୟୁତ୍ ଉତ୍ପାଦନ ପାଇଁ ବି ଲକ୍ଷ୍ୟ ରଖାଯାଇଛି।
ଜଳସେଚନ ପ୍ରକଳ୍ପ ହେଲେ ଛେଳିଗଡ଼ ଓ ମହେନ୍ଦ୍ରଗଡ଼ ଅଞ୍ଚଳର ପ୍ରାୟ ୫୭୪ ହେକ୍ଟର ଚାଷ ଜମି ସହ ଅନେକ ଗାଁ ଜଳମଗ୍ନ ହେବ । ପ୍ରଶାସନ ପକ୍ଷରୁ ଏଯାଏଁ କେବଳ ଦୁଇଟି ଗାଁର କିଛି ପରିବାରକୁ ବିସ୍ଥାପିତ କରି ଗଡ଼ସାମନ୍ତରାପୁର ଓ ବାବୁଲିବନ୍ଧଠାରେ ଥଇଥାନ କରାଯାଇଥିବା ବେଳେ ଅନ୍ୟ ପରିବାରକୁ ବିସ୍ଥାପନ ପାଇଁ ଚାଲିଛି ଯୋଜନା । ଅନ୍ୟପଟେ ଟେଣ୍ଡର କାମ ମଧ୍ୟ ହୋଇସାରିଛି । ଖୁବ୍ଶୀଘ୍ର କାମ ଆରମ୍ଭ ହେବ ବୋଲି ଛେଳିଗଡ଼ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ର ମହାରଣା ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଓଡ଼ିଶାର ସବୁ ପ୍ରକଳ୍ପ ପାଇଁ ଧାର୍ଯ୍ୟ ସହାୟତା ରାଶି ଅଛି। ଖୁବ୍ ଶୀଘ୍ର ସମସ୍ୟା ସମାଧାନ ହୋଇ କାମ ଆରମ୍ଭ ହେବ।
The post ବାଟ ଓଗାଳୁଛି ବିସ୍ଥାପନ ସମସ୍ୟା, ବ୍ୟୟ ଅଟକଳ ୫୭ରୁ ୭୦୮ କୋଟିରେ ପହଞ୍ଚିଲାଣି appeared first on Odisha Reporter.
from Odisha Reporter https://ift.tt/3hhyoFv
No comments:
Post a Comment