ଚଣ୍ଡିଗଡ଼: ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ ଆସୁଥିବା ବେଳେ କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ ନିଜର ଦାବି ବଢ଼ାଇ ଚାଲିଛନ୍ତି କଂଗ୍ରେସ ହାଇକମାଣ୍ଡଙ୍କ ପାଖରେ। ହେଲେ ରାଜନୀତିର ଓସ୍ତାଦ କ୍ୟାପଟେନ ଅମରିନ୍ଦର ସିଂଙ୍କ ଆଗରେ ସବୁ କିଛି ଫିକା ପଡ଼ୁଛି। କାରଣ ଅମରିନ୍ଦର ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ନେତୃତ୍ୱରେ ଅକାଳୀ ଦଳ ଏବଂ ବିଜେପିର ମେଣ୍ଟ ସରକାରକୁ ରାଜ୍ୟରୁ କ୍ଷମତାଚ୍ୟୁତ କରାଇଥିଲେ, ତା ପୁଣି ଦେଶରେ ମୋଦି ସରକାର ଥିବା ବେଳେ।
ସିଦ୍ଧୁ ପଞ୍ଜାବ କଂଗ୍ରେସର ନେତୃତ୍ୱ ନେବାକୁ ଇଚ୍ଛା ରଖି ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ବିରୋଧରେ ହାଇକମାଣ୍ଡଙ୍କ ପାଖରେ ଅନେକ ଅଭିଯୋଗ କରିଛନ୍ତି। ହେଲେ ହାଇକମାଣ୍ଡ କ୍ୟାପଟେନଙ୍କୁ ନାଖୁସ କରିବା ମୁଡରେ ନଥିବା ବିଭିନ୍ନ ରିପୋର୍ଟରୁ ଜଣାପଡ଼ିଛି। ଏହାରି ଭିତରେ ସିଦ୍ଧୁ ଗତକାଲି ଏକ ଟ୍ୱିଟ୍ କରିଥିଲେ। ଯେଉଁଥିରେ ସିଧା କିଛି ନକହି ପରୋକ୍ଷରେ ଆମ୍ ଆଦମୀ ପାର୍ଟିକୁ ପ୍ରଶଂସା କରିଥିଲେ। ଏମିତିକି ଆମ୍ ଆଦମୀ ପାର୍ଟି ହିଁ ତାଙ୍କ କଥାକୁ ଗୁରୁତ୍ୱ ଦେଉଛି ଓ ଲୋକଙ୍କ ସ୍ୱରକୁ ସଠିକ୍ ଭାବରେ ଉଠାଉଛି ବୋଲି କହିଥିଲେ। ଏହାପରେ ଚର୍ଚ୍ଚା ହେଉଛି ସିଦ୍ଧୁ କୁଆଡେ ହାତ ପାର୍ଟିର ବନ୍ଧନରୁ ମୁକ୍ତ ହେବାକୁ ଚାହୁଁଛନ୍ତି।
ଗତକାଲି ସିଦ୍ଧୁ ଟ୍ୱିଟ୍ କରି କହିଥିଲେ, ବିରୋଧୀ ଆପ୍ ତାଙ୍କ କାମକୁ ସମ୍ମାନ ଦେଉଛି। ରାଜ୍ୟ ପ୍ରତି ତାଙ୍କର ଓ ଆପର ଦୃଷ୍ଟିଭଙ୍ଗୀ ସମାନ। ଡ୍ରଗ୍ସ, ଚାଷୀ ସମସ୍ୟା, ଦୁର୍ନୀତି ଏବଂ ବିଜୁଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ସଠିକ୍ ଭାବରେ ଆପ୍ ହିଁ ଉଠାଉଛି।
ଏବେ ଜୁଲାଇ ୧୪ରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ଗୋଆ ଗସ୍ତରେ ଥିବା ବେଳେ ଟ୍ୱିଟ୍ କରି କହିଛନ୍ତି, ‘ମୁଁ ବହୁତ ଖୁସି ଅନୁଭବ କରୁଛି ଯେ ଆମ୍ ଆଦମୀ ପାର୍ଟି ଏତେ ଭଲ କାମ କରୁଛି। କାରଣ ବିରୋଧୀ ଦଳ ଏବଂ ବିରୋଧୀଦଳ ନେତାମାନେ ମଧ୍ୟ ଆମ କାମକୁ ପ୍ରଶଂସା କରୁଛନ୍ତି। ଏଥିରୁ ଆମେ ଉତ୍ସାହିତ’। ଯାହାକି ସିଦ୍ଧୁ ଏବଂ କେଜ୍ରିଓ୍ୱାଲଙ୍କ ଭିତରେ କିଛି ରାଜନୀତିକ ସମ୍ପର୍କ ଗଢ଼ି ଉଠୁଛି ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଅନ୍ୟ ରାଜ୍ୟ ତୁଳନାରେ ଅଧିକ ସକ୍ରିୟ ରହିଛି। ରାଜ୍ୟରୁ ଭଗଓ୍ୱନ୍ତ ସିଂହ ମାନ୍ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୧୭ ବିଧାନସଭା ନିର୍ବାଚନରେ ଆପ୍ ୧୭ଟି ଆସନରେ ବିଜୟୀ ହୋଇଛି। ଭଗଓ୍ୱନ୍ତ ରାଜ୍ୟରେ ଆପର ଚେହେରା ହୋଇଥିବା ବେଳେ ଏବେ ଦଳକୁ ଆଗକୁ ବଢ଼ିବାକୁ ହେଲେ ଗୋଟିଏ ବଡ଼ ଚେହେରା ଆବଶ୍ୟକ ରହିଛି। ଏପରି ଦେଖିବାକୁ ଗଲେ ସିଦ୍ଧୁ ଜଣେ ଶିଖ୍ ନେତା ସହିତ ଲୋକପ୍ରିୟ ବ୍ୟକ୍ତି।
ସେହିପରି ବିଜେପି ଛାଡ଼ି ୨୦୧୭ରେ କଂଗ୍ରେସରେ ଯୋଗ ଦେବା ବେଳେ ସିଦ୍ଧୁ ଆପରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏହାରି ଭିତରେ ସିଦ୍ଧୁ କେବେ ବି ଆପ ବିରୋଧରେ କିମ୍ୱା କେଜ୍ରିଓ୍ୱାଲଙ୍କ ବିରୋଧରେ କିଛି କହି ନାହାନ୍ତି। ହେଲେ ରାଜ୍ୟ କଂଗ୍ରେସ ଏବଂ ଆପ୍ ନେତାଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ରହିଛି। ଏପରି ସ୍ଥିତିରେ ସିଦ୍ଧୁଙ୍କ ଦାବି ଯଦି କଂଗ୍ରେସ ପୂରଣ ନକରେ ତାହେଲେ ଆପରେ ଯୋଗ ଦେଇ ୨୦୨୨ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚେହେରା ହେବାକୁ ସିଦ୍ଧୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି।
The post ସିଦ୍ଧୁଙ୍କ ଶରୀର କଂଗ୍ରେସରେ, ମନ ଆପରେ ! appeared first on Odisha Reporter.
from Odisha Reporter https://ift.tt/36x6Q95
No comments:
Post a Comment