ଉମରକୋଟ(କାର୍ତ୍ତିକ ମଲ୍ଲିକ): ଜଙ୍ଗଲରେ ମକା ଚାଷକୁ ବିରୋଧ କରି ହୋଇଛି ତୁମୁଳ କାଣ୍ଡ। ଏପରିକି ପାଖ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ୪୦ ପରିବାର। ଆକ୍ରମଣକାରୀମାନେ ୪୦ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିବା ସହ ସେମାନଙ୍କ ଘର ଭାଙ୍ଗି ଦେଇଛନ୍ତି ଓ ସୁନା ଅଳଙ୍କାର ଲୁଟ୍ କରି ନେଇଛନ୍ତି। ଏପରିକି କୂଅରେ ବି ବିଷ ପକାଇ ଦେଇଥିବା ଅଭିଯୋଗ ହୋଇଛି।
ଭୟଭୀତ ଗ୍ରାମବାସୀ ଗାଁରୁ ପଳାଇ ଟେଣ୍ଟ ଟାଣି ପିଲା ଛୁଆ ଧରି ରହୁଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍। ଏପରି ଅଭାବନୀୟ ଘଟଣା କଳାହାଣ୍ଡି-ନବରଙ୍ଗପୁର ସୀମା ସାହାଜଖୋଲ ଜଙ୍ଗଲରେ ଘଟିଛି ।
ଅଭିଯୋଗ ଅନୁସାରେ, ନବରଙ୍ଗପୁର ଜିଲ୍ଲାର ପ୍ରାୟ ୪୦ ପରିବାର ସାହାଜଖୋଲ ଜଙ୍ଗଲର ଭତାପାଣି ଓ ଡୁମେରପାଣି ଅଞ୍ଚଳରେ ରହୁଥିଲେ । ସେମାନେ ଜଙ୍ଗଲରେ ମକା ଚାଷ କରୁଥିବାରୁ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ଗୋତାମୁଣ୍ଡା ଗାଁ ଲୋକେ ।
ଧିରେ ଧିରେ କୁରୁଳୁଥିବା ଏହି ବିରୋଧ ଗତ ୩୦ ତାରିଖରେ ଉଗ୍ର ହିଂସାରେ ପରିଣତ ହୋଇଥିଲା । ଗୋତାମୁଣ୍ଡା ଗ୍ରାମର ଶତାଧିକ ଲୋକ ପହଞ୍ଚି ଏହି ୪୦ ପରିବାରଙ୍କ ଘର ଭଙ୍ଗାରୁଜା କରିବା ସହ ମାଡ଼ ମାରିଥିଲେ । ସେମାନଙ୍କ ସୁନା ଅଳଙ୍କାର ଲୁଟ କରିବା ସହ ସେମାନେ ବ୍ୟବହାର କରୁଥିବା କୂଅରେ ବିଷ ପକାଇ ଦେଇଥିବା ଅମପାଣି ଥାନାରେ ଏତଲା ହୋଇଛି । ଖାଲି ଏତିକି ନୁହେଁ, ତୁରନ୍ତ ଜାଗା ଛାଡ଼ି ଚାଲି ଯିବାକୁ ଧମକ ଦେଇଥିବା ବି ଅଭିଯୋଗ ହୋଇଛି ।
ଘଟଣାସ୍ଥଳରେ ଧର୍ମଗଡ଼ ଏସ୍ଡିପିଓ, ଆମପାଣି ପୋଲିସ୍ ପହଞ୍ଚି ମାମଲାର ତଦନ୍ତ କରିଛନ୍ତି। ଅପରପକ୍ଷେ ୪୦ ପରିବାର ଏବେ ପଲିଥିନ୍ ଟାଙ୍ଗି ଚନ୍ଦାହାଣ୍ଡି ବ୍ଲକ କୁଆମ୍ବା ପ୍ରାଥମିକ ବିଦ୍ୟାଳୟ ପରିସରରେ ରହୁଛନ୍ତି ।
ଏନେଇ ଜଣେ ଅଭିଯୋଗକାରୀ କହିଛନ୍ତି, ଆମେ ୨୦ ବର୍ଷ ହେଲା ଚାଷ କରୁଛୁ। ଗତବର୍ଷ ୨୦-୩୦ ଲୋକ ଆସି ଏଠାରୁ ପଳା ପଳା ବୋଲି କହିଲେ। ଏ ବର୍ଷ ବି ସମାନ ପରିସ୍ଥିତି। ଆମେ କ’ଣ କରିବୁ। କୁଆଡ଼େ ଯିବୁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏନେଇ ଆମପାଣି ଥାନାଧିକାରୀ କୃଷ୍ଣଚନ୍ଦ୍ର ସ୍ୱାଇଁ କହିଛନ୍ତି, ପାଖ ଗାଁର କିଛି ଲୋକ ଧମକଚମକ ଦେବା ସହ ଆକ୍ରମଣ କରିଛନ୍ତି। ଏନେଇ ମାମଲା ରୁଜୁ ହୋଇଛି।
The post ମକା ଚାଷରୁ ତୁମୁଳ କାଣ୍ଡ, ୪୦ ପରିବାର ଉପରେ ଅତର୍କିତ ଆକ୍ରମଣ appeared first on Odisha Reporter.
from Odisha Reporter https://ift.tt/3hB5X4j
No comments:
Post a Comment